୨୦୨୩ ହକି ବିଶ୍ବକପ୍‌ ପ୍ରସ୍ତୁତି, ବଢ଼ିବ ବିଜୁ ପଟ୍ଟନାୟକ ଷ୍ଟାଡିୟମ କ୍ଷମତା

0 520
greentech

ବନେଶ୍ୱର/ରାଉରକେଲା, ୯/ ୧୨: ଏଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉଭୟ ଭୁବନେଶ୍ୱର ଓ ରାଉରକେଲା ଦୁଇଟି ଭେନ୍ୟୁରେ ଆୟୋଜିତ ହେବ । ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌-୨୦୧୮ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା । ତେଣୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭିତ୍ତିଭୂମି ରହିଛି । ଏବେ କେବଳ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଉପରେ ଫୋକସ୍‌ । ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଆସନ୍ତା ୧୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ରାଉରକେଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସହ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ଏଏଫ୍‌ଆଇଏଚ୍‌ ସଭାପତି ଡ. ନରିନ୍ଦର ବାତ୍ରା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଆରଏସ୍‌ପି ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟରାଜ ଏବଂ ରାଉରକେଲା ଏଡିଏମ୍‌ ଏ.ସୁନୀଲ ନରୱାନେ ପ୍ରମୁଖ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ରହିବେ ।

ସୂଚନା ଅନୁସାରେ, ଆସନ୍ତା ୧୧ ତାରିଖ ସକାଳେ ଅଧିକାରୀମାନେ ରାଉରକେଲା ପହଞ୍ଚିବା ପରେ ପ୍ରଥମେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନରେ ଯିବେ । ଷ୍ଟାଡିୟମ ଭିତର ଓ ବାହାରର ବୁଲି ଦେଖିବା ପରେ ଆଖପାଖରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ତାହାର ତଦାରଖ କରିବେ । ଷ୍ଟାଡିୟମ ସମ୍ମୁଖ ଭାଗ ଏବଂ ଚତୁଃପାଶ୍ୱର୍ରେ କେତେ ବସ୍ତି ଅଛି, ସେଗୁଡ଼ିକ କିଭଳି ସ୍ଥାନାନ୍ତର କରାଯିବ ସେ ନେଇ ମଧ୍ୟ ତର୍ଜମା କରାଯିବ । ଏହାପରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ସହରର ସୌନ୍ଦର୍ଯ୍ୟକରଣ, ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ³ ଷ୍ଟାଡିୟମରୁ ରେଳୱେ ଷ୍ଟେସନ, ହୋଟେଲ ଏବଂ ବିମାନ ବନ୍ଦରକୁ ଦୂରତା ଇତ୍ୟାଦି ସଂପର୍କରେ ଅଧିକାରୀମାନେ ତଦାରଖ କରିବେ ।
ଅନ୍ତର୍ଜାତୀୟ ଖେଳାଳିମାନେ ବିମାନରେ ଆସି ରାଉରକେଲା ବିମାନ ବନ୍ଦରରେ ଓହ୍ଲାଇବେ, ସେଠାରୁ ସେମାନେ ଷ୍ଟାଡିୟମକୁ କେଉଁ ମାର୍ଗ ଦେଇ ଆସିବେ, କେମିତି ଆସିବେ, ସେମାନଙ୍କ ପାଇଁ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେ ସମସ୍ତ ଦିଗ ଉପରେ ମଧ୍ୟ ଆଲୋଚନା ହୋଇପାରେ ।

୨୦୧୮ ସଂସ୍କରଣର ଆୟୋଜନରେ ଓଡ଼ିଶା ହକି ବିଶ୍ୱକପ୍‌ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ତେଣୁ ପୁଣି ଥରେ ଏଫ୍‌ଆଇଏଚ୍‌ ହକି ଇଣ୍ଡିଆ ମାଧ୍ୟମରେ ଓଡ଼ିଶାକୁ ପରବର୍ତ୍ତୀ ସଂସ୍କରଣ ଆୟୋଜନର ଅଧିକାର ପ୍ରଦାନ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଆଗାମୀ ସଂସ୍କରଣକୁ କେବଳ ଭୁବନେଶ୍ୱରରେ ସୀମିତ ନରଖି ହକିର ଏନ୍ତୁଡ଼ିଶାଳରେ ଆୟୋଜନର ଘୋଷଣା କରିଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ନିଷ୍ପତ୍ତି । ତେଣୁ ଆସନ୍ତା ୨୦୨୩ ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ । ୨୦୨୩ ଜାନୁଆରୀ ୧୩ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ ।

Leave A Reply

Your email address will not be published.

four × five =

error: Content is protected !!
Open chat