ଅନଲକ-୪: ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଖୋଲିବ ମେଟ୍ରୋ !

0 291
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଅଗଷ୍ଟ ୩୧ ପରେ ଦେଶରେ ଅନଲକ-୪ ଲାଗୁ ହେବ। ଏନେଇ ମାନସମନ୍ଥନ ମଧ୍ୟ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଅନଲକ-୪ରେ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ, ସେନେଇ ଆଲୋଚନା ଆରମ୍ଭ ହୋଇଛି। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ଅନଲକ-୪ରେ କେନ୍ଦ୍ର ସରକାର ଆଉ କିଛି ନିୟମରେ କୋହଳ କରିପାରନ୍ତି।

ତେବେ ପୂର୍ବଭଳି ଅନଲକ-୪ରେ ମଧ୍ୟ ସମଗ୍ର ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ତେବେ ଦେଶର ବିଭିନ୍ନ ସ୍ଥାନରେ ସେପ୍ଟେମ୍ବର ମାସରେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହେବ। ସରକାରୀ ସୂତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଖୁବଶୀଘ୍ର ଅନଲକ-୪ର ଗାଇଡଲାଇନ ଜାରି କରିବ। ଏଥିରେ ମେଟ୍ରୋ ସେବାକୁ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା କରାଯିବ। ମେଟ୍ରୋ ସେବା ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ବେଳେ ସ୍କୁଲ ଓ କଲେଜ କିନ୍ତୁ ବନ୍ଦ ରହିବ।

ସେହିପରି ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ବାର୍‌ ଗୁଡ଼ିକ ପ୍ରତି ସରକାର କିଛି କୋହଳ ମନୋଭାବ ପ୍ରକାଶ କରିବାର ସଙ୍କେତ ମିଳିଛି। ତେଣୁ କେନ୍ଦ୍ର ସରକାର ଅନଲକ-୪ରେ ଏହାକୁ ଖୋଲିବାକୁ ଅନୁମତି ଦେଇପାରିନ୍ତି। ତେବେ ଏଠାରେ ମଦ ପିଇବାର ସୁବିଧା ମିଳିବ ନାହିଁ।  କେବଳ କାଉଣ୍ଟରରେ ବାର ମାଲିକମାନେ ଷ୍ଟକ ରଖିଥିବା ମଦକୁ ବିକ୍ରି କରିପାରିବେ।

ତେବେ ଆଉ କୌଣସି ନିୟମରେ ସେତେଟା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହାର ଅର୍ଥ ସିନେମା ହଲ ବି ଅନଲକ-୪ରେ ଖୋଲିବ ନାହିଁ। ପୂର୍ବରୁ କେନ୍ଦ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। କିନ୍ତୁ ରାଜ୍ୟମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ନିଜ ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା ଲାଗୁ କରୁଛନ୍ତି।

Leave A Reply

Your email address will not be published.

sixteen + fourteen =

error: Content is protected !!
Open chat