କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୮/୦୭ : ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି । ୪୬ ବର୍ଷୀୟା ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନ୍ରେ ଥିଲେ | ସୂଚନା ଅନୁସାରେ ଉଭୟଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
ଐଶ୍ୱର୍ୟ୍ୟାଙ୍କ ସ୍ୱାମୀ ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କ ଶ୍ୱଶୁର ମେଗାଷ୍ଟାର ଅମିତାଭ ବଚ୍ଚନ ସପ୍ତାହକ ତଳେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଜୁଲାଇ ୧୨ରେ ଅଭିଷେକ ଟ୍ୱିଟ୍ କରି କହିଥିଲେ ଐଶ୍ୱର୍ୟ୍ୟା ଏବଂ ଆରାଧ୍ୟା ମଧ୍ୟ କୋଭଡ-୧୯ ପଜିଟିଭ୍ ହୋଇଛନ୍ତି। ସେମାନେ ହୋମ୍ ଆଇସୋଲେସନ୍ରେ ଅଛନ୍ତି | ବିଏମସି ସେମାନଙ୍କ ସ୍ଥିତିକୁ ନଜରରେ ରଖି ଆବଶ୍ୟକୀୟ କାର୍ଯ୍ୟ କରୁଛି । ମୋ ମା ଜୟା ବଚ୍ଚନଙ୍କ ସମେତ ପରିବାରର ଅନ୍ୟ ସମସ୍ତଙ୍କ ପରୀକ୍ଷା ନେଗେଟିଭ୍ ଆସିଛି ।