ଅଯୋଧ୍ୟାର ରାମ ମନ୍ଦିର ବିଶ୍ୱର ତୃତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ହେବ : ନୂଆ ପରିବର୍ତ୍ତିତ ନକ୍ସା ପ୍ରସ୍ତୁତ

0 345
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ :  ଅଯୋଧ୍ୟାରେ ରାମ ମନ୍ଦିରର ଆକାର ଏବଂ ଡିଜାଇନ୍‌କୁ ପରିବର୍ତ୍ତନ କରିବା ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷର ସବୁଜ ସଙ୍କେତ ମିଳିଛି। ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ଯଦି ନୂଆ ଆକାର ଓ ଡିଜାଇନ୍‌ରେ ନିର୍ମାଣ ହୁଏ ତେବେ ଏହା ବିଶ୍ୱର ଅନ୍ୟତମ ବୃହତ୍ତମ ହିନ୍ଦୁ ମନ୍ଦିର ହେବ ବୋଲି କୁହାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ବିଳମ୍ବିତ ହୋଇଥିବା ଭୂମିପୂଜା ପାଇଁ ଦୁଇଟି ନୂଆ ତାରିଖ ଆପାତତଃ ସ୍ଥିର ହୋଇଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୩ ତାରିଖ ଶ୍ରାବଣ ପୂର୍ଣ୍ଣିମା ଥିବା ବେଳେ ୫ ତାରିଖରେ ମଧ୍ୟ ଶୁଭବେଳା ରହିଛି । ଏଣୁ ଏହି ଦୁଇଟି ତାରିଖକୁ ବଛାଯାଇଛି । ଏଥିସହିତ ମନ୍ଦିର ନିର୍ମାଣ ପାଇଁ ଦାନ ମିଳିବା ଆରମ୍ଭ ହୋଇଯାଇଛି। ଇଣ୍ଡିଆନ୍‌ ବୁଲିଅନ୍‌ ଜୁଏଲର୍ସ ଆସୋସିଏସନର ମଙ୍ଗଳବାର ଦିନ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ପ୍ରାୟ ୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଇଟା ଦାନ କରିଛନ୍ତି। ଅନ୍ୟପକ୍ଷରେ, ରାମାଡାଲ ଟ୍ରଷ୍ଟ ମଧ୍ୟ ୨୧,୦୦୦ ଟଙ୍କାର ଚେକ୍‌ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରିଛି।

ଏହି ପ୍ରକଳ୍ପର ମୁଖ୍ୟ ନିର୍ମାତା ଚନ୍ଦ୍ରକାନ୍ତ ସୋମପୁରାଙ୍କ ପୁଅ ସ୍ଥପତି ନିଖିଲ ସୋମପୁରା ଏବଂ ଆଶିଷ ସୋମପୁରା ମନ୍ଦିରର ପରିବର୍ତ୍ତିତ ନୂଆ ନକ୍ସା ପ୍ରସ୍ତୁତ କରିବେ । ମନ୍ଦିରର ନୂଆ ନକ୍ସା ଆଙ୍କିଲା ବେଳେ ମୌଳିକ ନକ୍ସାରେ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ କହିଛନ୍ତି।

ନୂଆ ଆକାର ଏବଂ ଡିଜାଇନ୍‌ ଅନୁଯାୟୀ, ମନ୍ଦିରର ଓସାର ୧୪୦ ଫୁଟରୁ ୨୭୦- ୨୮୦ ଫୁଟକୁ ବୃଦ୍ଧି ହେବାର ସମ୍ଭାବନା ଅଛି । ସେହିପରି ମନ୍ଦିର ଲମ୍ବ ୨୬୮ରୁ ୨୮୦-୩୦୦ ଫୁଟକୁ ବୃଦ୍ଧି ହୋଇପାରେ। ଏଥିସହିତ ମନ୍ଦିରର ଉଚ୍ଚତା ୧୨୮ ଫୁଟ ରହିଥିବା ବେଳେ ଏହା ୧୬୧ ଫୁଟକୁ ବୃଦ୍ଧି କରାଯାଇପାରେ।

ପ୍ରସ୍ତାବିତ ନୂତନ ଡିଜାଇନ୍‌ ପରେ ମନ୍ଦିର ବର୍ତ୍ତମାନ ଦୁଇ ମହଲା ପରିବର୍ତ୍ତେ ତିନି ମହଲା ବିଶିଷ୍ଟ ହେବ। ଏଥିସହିତ ମନ୍ଦିରର ସମଗ୍ର କ୍ଷେତ୍ର ମଧ୍ୟ ବୃଦ୍ଧି କରାଯିବ । ରାମ ଜନ୍ମଭୂମି କମ୍ପ୍ଲେକ୍ସର ସମଗ୍ର କ୍ଷେତ୍ର ୭୦ ଏକରରୁ ୧୦୦-୧୨୦ଏକରକୁ ବୃଦ୍ଧି କରାଯିବ ବୋଲି ଏକ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ନୂତନ ପ୍ରସ୍ତାବିତ ମନ୍ଦିର ଡିଜାଇନ୍‌ ପାଇଁ ଟ୍ରଷ୍ଟ ଅତିରିକ୍ତ ଜମି ଅଧିଗ୍ରହଣ କରିବ । ଏହା ପାଖାପାଖି ୭୬,୦୦୦-୮୪,୦୦୦ ବର୍ଗଫୁଟରେ ନିର୍ମାଣ ହୋଇଥିବା ବେଳେ ମୂଳ ବର୍ଗଫୁଟ ୩୭,୫୯୦ ରହିଥିଲା।

ମନ୍ଦିର ଯଦି ଉପରୋକ୍ତ ନୂତନ ଆକାର ଏବଂ ଡିଜାଇନ୍‌ରେ ନିର୍ମାଣ ହୁଏ, ତେବେ ମନ୍ଦିର ବିଶ୍ୱର ଶ୍ରେଷ୍ଠ ତିନୋଟି ବୃହତ୍ତମ ହିନ୍ଦୁ ମନ୍ଦିର ମଧ୍ୟରୁ ଗୋଟିଏ ହେବ। ଅନ୍ୟ ଶ୍ରେଷ୍ଠ ମନ୍ଦିର ଦୁଇଟି ମଧ୍ୟରୁ ଗୋଟିଏ ହେଉଛି କାମ୍ବୋଡିଆସ୍ଥିତ ଅଙ୍ଗକୋର ୱାତ୍ ମନ୍ଦିର କମ୍ପ୍ଲେକ୍ସ। ଏହା ୪୦୧ ଏକର ପରିସୀମାରେ ରହିଛି।

ସେହିପରି ତାମିଲନାଡୁର ତିରୁଚିରାପଲ୍ଲୀସ୍ଥିତ ଶ୍ରୀରଙ୍ଗନାଥାସ୍ୱାମୀ ମନ୍ଦିର ଦ୍ୱିତୀୟ ବୃହତ୍ତମ ମନ୍ଦିର ଭାବେ ପରିଚୟ ହାସଲ କରିଛି। ଏହି ମନ୍ଦିର ୧୫୫ ଏକର ଭୂମି ଉପରେ ନିର୍ମାଣ କରାଯାଇଛି। ଏଥିସହିତ ପ୍ରସ୍ତାବିତ ପରିବର୍ତ୍ତନ ପରେ ରାମ ମନ୍ଦିର କମ୍ପ୍ଲେକ୍ସ ଯଦି ୧୦୦ରୁ ୧୨୦ ଏକର ଉପରେ ନିର୍ମାଣ ହୁଏ ତେବେ ବିଶ୍ୱର ତୃତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଚୟ ହାସଲ କରିବ।

Leave A Reply

Your email address will not be published.

three + nine =

error: Content is protected !!
Open chat