କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୦୪/୦୮: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏଥିପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ପ୍ରଥମ ନିମନ୍ତ୍ରଣ କାର୍ଡ ଅଯୋଧ୍ୟା ଜମି ବିବାଦ ମାମଲାର ଲିଟିଗାଣ୍ଟ ଇକବାଲ ଅନସାରୀଙ୍କ ପାଖରେ ପହଞ୍ଚିଛି। ଅର୍ଥାତ ତାଙ୍କୁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ କୁହାଯାଇଛି।
ଭୂମି ପୂଜନରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିବାରୁ ଅନସାରୀ କହିଛନ୍ତି, “ଭଗବାନ ରାମଙ୍କ ଇଚ୍ଛା ଯୋଗୁ ହିଁ ମୋତେ ପ୍ରଥମ ନିମନ୍ତ୍ରଣ ପତ୍ର ମିଳିଛି। ମୁଁ ଏହାକୁ ଗ୍ରହଣ କରିଛି। ଅଯୋଧ୍ୟାରେ ହିନ୍ଦୁ ଓ ମୁସିଲମର ଭାଇଚାରା ରହିଛି। ଏହା ଆଗକୁ ମଧ୍ୟ ଜାରି ରହିବ। ଏଠାରେ ମନ୍ଦିର ନିର୍ମାଣ ହେବା କ୍ଷଣି ଅଯୋଧ୍ୟା ଆହୁରି ଅଧିକ ସୁନ୍ଦର ହୋଇଯିବ।
ଏଠାକୁ ଶ୍ରଦ୍ଧାଳୁ ଆସିବେ। ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବି ଶ୍ରଦ୍ଧାଳୁମାନେ ଏଠାକୁ ଆସିବେ। ଅଯୋଧ୍ୟାର ଲୋକମାନେ ଗଙ୍ଗା-ଯମୁନା ସଭ୍ୟତାକୁ ଅନୁକରଣ କରୁଛନ୍ତି ଓ ଆମ ମାନଙ୍କ ମଧ୍ୟରେ କୌଣସି ନକାରାତ୍ମକ ଚିନ୍ତାଧାରା ନାହିଁ।”