ଆଇନ ଜାଲରେ ସାଂଘାତିକ ଫସିଲେ ରିୟା : ଗୋଟେ ପଟେ ସିବିଆଇ ଜାରି କଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ ବିଜ୍ଞପ୍ତି,ଅନ୍ୟପଟେ ସୁପ୍ରିମକୋର୍ଟ ଦେଲେନି ସୁରକ୍ଷା, ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଓ ଜେରା ପାଇଁ ଇଡି ପଠାଇଲା ସମନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୬/୦୮ : କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ସ୍ବୀକାର କରିଥିବା ସୂଚନା ଦେବା ପରେ ବିଳମ୍ବିତ ସନ୍ଧ୍ୟାରେ ସିବିଆଇ ଏଥି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି । ବିହାର ସରକାରଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ସିବିଆଇ କରିବ ବୋଲି ବୁଧବାର ସକାଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟକୁ ଜଣାଇଥିଲେ ।
ସୁଶାନ୍ତ ସିଂହ ରାଜପୁତ ମାମଲାରେ ୬ଜଣଙ୍କ ବିରୋଧରେ ମାମଲା
ସୁଶାନ୍ତ ସିଂହଙ୍କ ପିତା କେ.କେ. ସିଂହ ଗତ ୨୮ ତାରିଖରେ ପାଟନାରେ ରିୟା ଚକ୍ରବର୍ତୀ, ତାଙ୍କ ପରିବାରର ସଦସ୍ୟ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସୁଶାନ୍ତଙ୍କୁ ଏହି ବ୍ୟକ୍ତିମାନେ ଆତ୍ମହତ୍ୟା ନିମନ୍ତେ ପ୍ରୋତ୍ସାହିତ କରିଥିଲେ ବୋଲି କେ.କେ.ସିଂହ ଅଭିଯୋଗ କରିଥିଲେ । ଏହି ମାମଲାରେ ପାଟନା ପୁଲିସ ଧାରା ୩୪୧ ଓ ୩୪୨ (ଅପରାଧିକ ମନୋବୃତ୍ତି ନେଇ ବନ୍ଧକ ରଖିବା), ୩୮୦ (ରହୁଥିବା ଘରୁ ଚୋରି କରିବା), ୪୦୬ (ବିଶ୍ଵାସଘାତକତା କରିବା), ୪୨୦ (ଜାଲିଆତି) ଓ ୩୦୬ (ଆତ୍ମହତ୍ୟା ନିମନ୍ତେ ଉସୁକାଇବା) ରେ ମାମଲା ରୁଜୁ କରିଥିଲା । ନିଜ କ୍ୟାରିଅର ସମ୍ଭାଳିବା ପାଇଁ ରିୟା ଚକ୍ରବର୍ତୀ ୨୦୧୯ରେ ସୁଶାନ୍ତ ସିଂହ ରାଜପୁତ ସହ ମିଛ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ସୁଶାନ୍ତଙ୍କ ପିତା ଏଥିରେ ଅଭିଯୋଗ କରିଥିଲେ । ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଏହି ଘଟଣାର ତଦନ୍ତ ବିହାର ପୋଲିସ୍ ନିକଟରୁ ସ୍ଥାନାନ୍ତରିତ କରି ମୁମ୍ବାଇ ପୋଲିସ୍କୁ ଦେବା ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋଟ ଶୁଣାଣି କରିଥିଲେ। ଏ ସଂକ୍ରାନ୍ତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ରିୟାଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ନାମଞ୍ଜୁର କରିଛନ୍ତି। ଜଷ୍ଟିସ୍ ହୃଷିକେଶ ରୟଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା।
ସୁଶାନ୍ତଙ୍କ ମୃତ୍ୟୁର ପ୍ରମାଣକୁ ମୁମ୍ବାଇ ପୋଲିସ୍ ନଷ୍ଟ କରୁଥିବା ନେଇ ସୁଶାନ୍ତ ପରିବାର ଲୋକ ଆଣିଥିବା ଅଭିଯୋଗ ଉପରେ ଦୃଷ୍ଟି ଦିଆଯିବ ବୋଲି ମଧ୍ୟ ସୁପ୍ରମିକୋର୍ଟ କହିଛନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ପାଟନା ଆଇପିଏସ୍ ଅଫିସରଙ୍କୁ କ୍ୱାରେଣ୍ଟିନ୍ରେ ରଖିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ମୁମ୍ବାଇ ପ୍ରଶସନକୁ ଭର୍ତ୍ସନା କରିଛନ୍ତି। ଏହି ମାମଲାରେ ସମସ୍ତଙ୍କ ଦୃଷ୍ଟି ଥିବାବେଳେ ଏଭଳି ସ୍ଥିତିରେ ଏପରି ଏକ ଘଟଣା ଏକ ଭଲ ବାର୍ତ୍ତା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହେବା ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ କରୁଛି। ଏହି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଯାଇଥିବା ସୁଶାନ୍ତଙ୍କ ବାପା କେକେ ସିଂହ ଏତଲା ଦେଇଛନ୍ତି।
ଏହାକୁ ଭିତ୍ତି କରି ଇଡି ମାମଲା ରୁଜୁ କରିଥିଲା। ଏବେ ତଦନ୍ତକାରୀ ସଂସ୍ଥା ରିୟାଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଆଜି ଇଡି ରିୟାଙ୍କୁ ସମନ କରିଛି। ଆସନ୍ତା ୭ ତାରିଖରେ ତାଙ୍କୁ ଇଡିର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ସେ ହାଜର ହେବା ପରେ ତାଙ୍କୁ ବିଭିନ୍ନ ବିଷୟରେ ପଚରାଉଚରା କରାଯିବ।
ଏହାପୂର୍ବରୁ ଇଡି ସୁଶାନ୍ତଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। ଏଥିସହ ମୁମ୍ବାଇର କୋଟାକ ମହିନ୍ଦ୍ରା ବ୍ୟାଙ୍କରୁ ମଧ୍ୟ ତଥ୍ୟ ହାସଲ କରିଛି।
ଅନ୍ୟପକ୍ଷରେ ରିୟାଙ୍କୁ ବିହାର ପୁଲିସ୍ ପକ୍ଷରୁ ଆଜି ପୁଣିଥରେ ଫେରାର ଦର୍ଶାଯାଇଛି। ରିୟାଙ୍କୁ ବିହାର ପୁଲିସ୍ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳି ନଥିବା କୁହାଯାଇଛି। ତେଣୁ ସେ ୭ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ, ବିହାର ପୁଲିସ୍ ମଧ୍ୟ ତାଙ୍କ ବୟାନ ରେକର୍ଡ କରିବାର ସମ୍ଭାବନା ରହିଛି। ଏବେ ସମସ୍ତଙ୍କର ନଜର ୭ ତାରିଖ ଉପରେ ରହିଛି।
ଗତ ୧୪ ଜୁନରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ନିଜ ବାନ୍ଦ୍ରାସ୍ଥିତ ଘରେ ମୃତ ଅବସ୍ଥାରେ ମିଳିଥିଲେ । ନିଜ ଶୟନ କକ୍ଷରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପୁଲିସକୁ ଯଦିଓ କୌଣସି ସୁଇସାଇଡ଼ ନୋଟ୍ ମିଳି ନ ଥିଲା, ତଥାପି ଏ ସମ୍ପର୍କରେ ତଦନ୍ତ ମୁମ୍ବାଇ ପୁଲିସ ଆରମ୍ଭ କରିଥିଲା । ଏହି ଘଟଣାରେ ସୁଶାନ୍ତଙ୍କ ପରିବାର ସଦସ୍ୟ, ରୋଷେଇଆ, ସହିତ ସଞ୍ଜୟ ଲୀଳା ଭଂସାଲୀ, ଫିଲ୍ମ ସମୀକ୍ଷକ ରାଜୀବ ମସନ୍ଦ, ଅଭିନେତ୍ରୀ ସଞ୍ଜନା ସାଂଘୀ, ରିୟା ଚକ୍ରବର୍ତୀ, କାଷ୍ଟିଂ ନିର୍ଦେଶକ ଶାନୁ ଶର୍ମା, ପ୍ରଯୋଜକ ମୁକେଶ ଛାବ୍ରା, ଯଶରାଜ ଫିଲ୍ମର ଆଦିତ୍ୟ ଚୋପ୍ରାଙ୍କ ସମେତ ୪୦ ଲୋକଙ୍କୁ ପଚରା ଉଚରା ମୁମ୍ବାଇ ପୁଲିସ କରି ସାରିଛି ।