ଆଇପିଏଲରୁ ପ୍ରାୟୋଜକ ଚାଇନିଜ ମୋବାଇଲ କମ୍ପାନି “ଭିଭୋ” ଆଉଟ : ଟାଇଟଲ ସ୍ପନସରସିପ ଦୌଡ଼ରେ ପତଞ୍ଜଳି – ହୋଇପାରେ ପ୍ରାୟୋଜକ

0 395
greentech

ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ବାବା ରାମଦେବଙ୍କ ଆଖି – ଆଇପିଏଲ ଟାଇଟଲ ସ୍ପନସରସିପ୍ ଦୌଡ଼ରେ ସ୍ୱଦେଶୀ କମ୍ପାନୀ ‘ପତଞ୍ଜଳି’ ସାମିଲ

ନୂଆଦିଲ୍ଲୀ/ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ଇଣ୍ଡିଆନ ପ୍ରିମିୟର ଲିଗ ‌(ଆଇପିଏଲ) ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି ସ୍ୱଦେଶୀ କମ୍ପାନୀ। ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଆଇପିଏଲ ସ୍ପନସରଶିପ୍‌ ନେବାକୁ ଆଗ୍ରହ ଦେଖାଇଛି। ସ୍ପନସରଶିପ୍‌ ଲାଗି କମ୍ପାନୀ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଥିବା ନେଇ ପତଞ୍ଜଳି ସ୍ପଷ୍ଟ କରିଛି। କିନ୍ତୁ କାହାକୁ ସ୍ପନସରଶିପ୍‌ ମିଳିବ ତାହା ସ୍ପଷ୍ଟ ହୋଇନାହିଁ। ଆଇପିଏଲରୁ ଚାଇନିଜ ମୋବାଇଲ କମ୍ପାନି ‘ଭିଭୋ’ ଆଉଟ ହେବା ପରେ ଆଇପିଏଲ ଗ୍ରାଉଣ୍ଡ ଉପରେ ସ୍ୱଦେଶୀ କମ୍ପାନି ପତଞ୍ଜଳି ଆଖି ପକାଇଛି। ମୁଖ୍ୟ ପ୍ରାୟୋଜକ ଥିବା ଭିଭୋ ମୋବାଇଲ କମ୍ପାନି ସହ ଆଇପିଏଲର ସମ୍ପର୍କର ଛିନ୍ନ ହେବା ପରେ ସ୍ପନସରସିପ୍ ଦୌଡ଼ରେ ସାମିଲ ହୋଇଛି ବାବା ରାମଦେବଙ୍କ ପତଞ୍ଜଳି। କାରଣ ଦେଶୀ-ଚାଇନିଜ ଲଢ଼େଇ ଭିତରେ ଏ ଦେଶୀ ଫର୍ମାଟର କ୍ରିକେଟକୁ ପ୍ରୋତ୍ସାହନର ଫାଇଦା ଆଇପିଏଲ ଅପେକ୍ଷା ବେଶୀ ପତଞ୍ଜଳିକୁ ହିଁ ମିଳିବ। ବ୍ରାଣ୍ଡିଂ ଓ ମାର୍କେଟିଂ ବିଶେଷଜ୍ଞଙ୍କ ମତ ଅନୁସାରେ ଏବେ ଚାଇନା ସାମଗ୍ରୀକୁ ନେଇ ଦେଶରେ ଗୋଟେ ବିରୋଧାଭାଷ ରହିଛି।

ଜାତୀୟତା ଭାବନା ଯୋଗୁ  ଦେଶୀ ଉତ୍ପାଦ ପ୍ରତି ଗୋଟେ ଭାବାବେଗ ସୃଷ୍ଟି ହୋଇଛି। ତେଣୁ ସ୍ୱାଭାବିକ ଭାବେ ଏହା ପତଞ୍ଜଳିର ବ୍ରାଣ୍ଡକୁ ଆହୁରି ଉପରକୁ ନେବ। ତେଣୁ ବିଶ୍ୱସ୍ତରର ବ୍ରାଣ୍ଡ ଭାବେ ନିଜକୁ ଉପସ୍ଥାପନ କରିବାକୁ ଆଇପିଏଲ ଏକ ଭଲ ପ୍ଲାଟଫର୍ମ ହେବ ବୋଲି ବ୍ରାଣ୍ଡିଂ ଓ ମାର୍କେଟିଂ ବିଶେଷଜ୍ଞଙ୍କ ମତ। ଅବଶ୍ୟ ସ୍ପନସର ଦୌଡ଼ରେ ଜିଓ, ଆମାଜନ, ଟାଟାଗ୍ରୁପ୍, ଡ୍ରିମ-୧୧  ଓ ବାଇଜୁ ଭଳି କମ୍ପାନି ରହିଛନ୍ତି। ନିକଟ ଅତୀତରେ ବିସିସିଆଇ ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ ସହିତ ଚୁକ୍ତି ରଦ୍ଦ କରିଦେଇଥିଲା। ଏହା ପରେ ବିଭିନ୍ନ କମ୍ପାନୀଗୁଡ଼ିକ ସହିତ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ବି ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି। 

ତଥ୍ୟ ଅନୁସାରେ ଏକ ଚାଇନିଜ୍‌ କମ୍ପାନୀର ବିକଳ୍ପ ଭାବେ ଗୋଟିଏ ଜାତୀୟ ବ୍ରାଣ୍ଡ ଭାବେ ପତଞ୍ଜଳି ବହୁତ ମଜଭୁତ ସ୍ଥିତିରେ ରହିଛି। କିନ୍ତୁ ପ୍ରଥମ ଥର ପାଇଁ ପତଞ୍ଜଳିର ନାଁ ଚର୍ଚ୍ଚାକୁ ଆସିଛି। ସେପଟେ ଭିଭୋ ସହ ସମ୍ପର୍କ ଛିନ୍ନ ହେବା ପରେ ମଧ୍ୟ ଆଇପିଏଲ ଆୟୋଜନକୁ ନେଇ କୌଣସି ଆର୍ଥିକ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ କହିଛନ୍ତି ଯେ, କୌଣସି ବଡ଼ ଆୟୋଜନ ବେଳେ ପ୍ଲାନ୍ ବି ଓ ସିକୁ ପ୍ରସ୍ତୁତ କରି ରଖାଯାଇଥାଏ। ଗୋଟିଏ ଦାୟିତ୍ୱସମ୍ପନ୍ନ ସଂସ୍ଥା ଭାବେ ବିସିସିଆଇ ପାଖରେ ବିକଳ୍ପ ବ୍ୟବସ୍ଥା  ରହିଛି। କିନ୍ତୁ ଏହା ବି କୁହାଯାଉଛି ଯେ ଏକ ବହୁରାଷ୍ଟ୍ରୀୟ ବ୍ରାଣ୍ଡ ହିସାବରେ ପତଞ୍ଜଳିର କ୍ଷମତା ଅନ୍ୟ ବ୍ରାଣ୍ଡ ତୁଳନାରେ କମ୍‌ ରହିଛି। ସେପଟେ ପତଞ୍ଜଳିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପତଞ୍ଜଳିକୁ ସେମାନେ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ୟୁଏଇରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପ୍ରାରମ୍ଭିକ ସ୍ତରରେ କେତେକ ମ୍ୟାଚରେ ଦର୍ଶକ ରହିବେ ନାହିଁ। କିନ୍ତୁ ଗଣମାଧ୍ୟମରେ ଏହାର ଜୋରଦାର ପ୍ରଚାର କରାଯିବ। ବିସିସିଆଇ ଭିଭୋ ସହିତ ସମ୍ପର୍କ ତୁଟାଇବା ପରେ ନୂଆ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିନାହିଁ। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପତଞ୍ଜଳିର ମୁଖପାତ୍ର ଏସ. କେ. ତିଜାରାୱାଲା କହିଛନ୍ତି ଯେ, ଆମେ ଚଳିତବର୍ଷ ଆଇପିଏଲର ଟାଇଟଲ ସ୍ପନସରଶିପ୍‌ ନେବାକୁ ବିଚାର କରୁଛୁ। ଆମେ ପତଞ୍ଜଳି ବ୍ରାଣ୍ଡକୁ ବିଶ୍ଵସ୍ତରକୁ ନେବାକୁ ଚାହୁଁଛୁ। ଏଥିପାଇଁ ଆଇପିଏଲ ଲିଗ୍‌ ଉପଯୁକ୍ତ ମଞ୍ଚ। ତେଣୁ ସେ ଏଥିପାଇଁ ବିସିସିଆଇକୁ ଏକ ପ୍ରସ୍ତାବ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି ।

Leave A Reply

Your email address will not be published.

9 + ten =

error: Content is protected !!
Open chat