କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୮:ବିଶ୍ୱର ସବୁଠାରୁ ଧନଶାଳୀ ଟ୍ୱେଣ୍ଟି୨୦ ଲିଗ୍ ଆଇପିଏଲ୍ ଖେଳିବା ପାଇଁ ଖେଳାଳି ଏବେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ସଂଗରୋଧରେ ଅଛନ୍ତି। ୮ଟିଯାକ ଫ୍ରାଞ୍ଚାଇଜି ଖୁବ୍ ଶୀଘ୍ର ଅଭ୍ୟାସ ପାଇଁ ମଧ୍ୟ ଓହ୍ଲାଇବେ। ଆଇପିଏଲ୍ର ୧୩ଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭହୋଇ ନଭେମ୍ବର ୧୦ରେ ସରିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭହେବାକୁ ପ୍ରାୟ ୩ ସପ୍ତାହ ବାକିଥିଲେ ହେଁ ଆଇପିଏଲ୍ର ଖେଳସୂଚୀ ଅଦ୍ୟାବଧି ଘୋଷଣା କରା ଯାଇନାହିଁ। ୟୁଏଇର ୩ଟି ସହର- ଦୁବାଇ, ଆବୁଧାବି ଓ ଶାରଜାରେ ଆଇପିଏଲ୍ର ୬୦ଟିଯାକ ମ୍ୟାଚ୍ ଖେଳାଯିବ ବୋଲି ଘୋଷଣା ହୋଇସାରିଛି। ହେଲେ ଆବୁଧାବିରେ ମ୍ୟାଚ୍ ଖେଳାଯିବ କି ନୁହେଁ; ଏହାକୁ ନେଇ ବିସିସିଆଇ ନିଶ୍ଚିତ ନୁହେଁ। ଏଥିପାଇଁ ଆଇପିଏଲ୍ ଖେଳସୂଚୀ ଘୋଷଣା ହେବାରେ ବିଳମ୍ବ ହେଉଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।
ଗତ ଗୋଟିଏ ସପ୍ତାହ ମଧ୍ୟରେ ଆବୁଧାବିରେ କରୋନା ସଂକ୍ରମଣ ବେଶ୍ ବୃଦ୍ଧିପାଇଛି। ଫଳରେ ଆବୁଧାବିର ଆଞ୍ଚଳିକ ପ୍ରଶାସନ ସହରରେ ପ୍ରବେଶ ପୂର୍ବର ର୍ୟାପିଡ୍ କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି। ସହରର ସମସ୍ତ ପ୍ରବେଶପଥରେ ଡାକ୍ତରୀ ଦଳ ରହି କୋଭିଡ୍ ପରୀକ୍ଷା କରୁଛନ୍ତି। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ; କେବଳ ସେମାନଙ୍କୁ ଆବୁଧାବିରେ ପ୍ରବେଶର ଅନୁମତି ମିଳୁଛି। ଆଇପିଏଲ୍ର ୬ଟି ଫ୍ରାଞ୍ଚାଇଜିର ଖେଳାଳି, ସପୋର୍ଟ ଷ୍ଟାଫ୍ ଓ ଅଧିକାରୀଙ୍କ ସହ ଟିଭି କ୍ରୁ ଏବଂ ଆଇପିଏଲ୍ ଅଧିକାରୀ ଏବେ ଦୁବାଇରେ ରହିଛନ୍ତି। ସେମାନଙ୍କୁ ମ୍ୟାଚ୍ ସମୟରେ ଆବୁଧାବିରେ ପ୍ରବେଶ କରିବା ବେଳେ କୋଭିଡ୍-୧୯ର ଟେଷ୍ଟ କରାଇବାକୁ ପଡ଼ିବ। ଫଳରେ ଫ୍ରାଞ୍ଚାଇଜିଙ୍କ ସହ ଟିଭି ପ୍ରସାରଣକାରୀ କମ୍ପାନୀ ଓ ବିସିସିିଆଇକୁ ଏହି ପରୀକ୍ଷା ବାବଦରେ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ଏହି ଖର୍ଚ୍ଚ ପାଇଁ କେହି ମଧ୍ୟ ରାଜି ନୁହନ୍ତି।
ଏହି ବାବଦରେ ଏମିରେଟ୍ସ କ୍ରିକେଟ୍ ବୋର୍ଡ ସହ ବିିସିସିଆଇ ଆଲୋଚନା ଚଳାଇଛି ଏବଂ କିଛି ସମାଧାନର ସୂତ୍ର ବାହାର କରିବାର ପ୍ରୟାସ କରୁଛି। ମ୍ୟାଚ୍ ଆୟୋଜକ ତାଲିକାରୁ ଆବୁଧାବିକୁ ସମ୍ପୂର୍ଣ୍ଣ ବାଦଦେବାକୁ ବିସିସିଆଇ ଚିନ୍ତା କରୁଥିବା ବେଳେ ଏବେ ଏଠାରେ କମ୍ ମ୍ୟାଚ୍ ଦେବାକୁ ବିଚାର କରୁଛି। ଏମିତି ବି ହୋଇପାରେ ଦୁଇ ଦଳ ସେମାନଙ୍କ ଘରୋଇ ଓ ବାହାର ମ୍ୟାଚ୍ ଲାଗଲାଗ ଖେଳିପାରନ୍ତି। ସେହିପରି କେବଳ ଆଇପିଏଲ୍ର ପ୍ରଥମାର୍ଦ୍ଧରେ ଆବୁଧାବିରେ ମ୍ୟାଚ୍ ଆୟୋଜନ ପାଇଁ ବିସିସିଆଇର ଯୋଜନା ରହିଛି। ଏବେ ୬ଟି ଦଳ ଦୁବାଇରେ ଥିବା ବେଳେ ଦୁଇ ପୂର୍ବତନ ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ୍ ରାଇଡର୍ସ ଆବୁଧାବିରେ ଅଛନ୍ତି। ଏଣେ ୨ଟି ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଏକାଦଶଙ୍କ ସଂଗରୋଧ ଗୁରୁବାର ସମାପ୍ତ କରୁଛି। ଉଭୟ ଦଳ ଅଗଷ୍ଟ ୨୦ରେ ୟୁଏଇରେ ପହଞ୍ଚିଥିଲେ। ମଙ୍ଗଳବାର ସେମାନେ ୩ୟ ତଥା ଅନ୍ତିମ କୋଭିଡ୍ ପରୀକ୍ଷା ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଆସିବାକୁ ଥିବା ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ରିପୋର୍ଟ ଯଦି ନେଗେଟିଭ୍ ରହେ, ସେମାନଙ୍କୁ ଅଭ୍ୟାସର ଅନୁମତି ମିଳିବ।