ଆଜିଠାରୁ ଆଇପିଏଲ୍‍ର ୧୩ଶ ସଂସ୍କରଣ

0 391
greentech

ମୁମ୍ବଇ ଇଣ୍ଡିଆନ୍ସ-ଚେନ୍ନଇ ସୁପର କିଙ୍ଗସ୍‌ ଉଦ୍‌ଘାଟନୀ ମ୍ୟାଚ

ଆବୁଧାବି/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ହେବାକୁ ଯାଉଛି। ଶନିବାରଠାରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଖେଳାଯିବ। ୟୁଏଇର ୩ଟି ସହର ଦୁବାଇ, ଆବୁଧାବି ଓ ଶାରଜାରେ ଆସନ୍ତା ୫୩ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ୮ଟି ଫ୍ରାଞ୍ଚାଇଜି ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ। ଆଇପିଏଲ୍‍ ହେଉଛି ବିଶ୍ୱର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ କ୍ରିକେଟ୍‍ ଲିଗ୍‍। ବିଶ୍ୱର ୧୦ରୁ ଅଧିକ ଦେଶର ଖେଳାଳି ଏଥିରେ ଖେଳିବାକୁ ଯାଉଛନ୍ତି। ମରୁଭୂମିରେ ଘୂର୍ଣ୍ଣିଝଡ଼ ପରି ଆସନ୍ତା ୫୩ ଦିନରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିବ। ସାରାବିଶ୍ୱ ମହାମାରୀ କରୋନା କବଳରେ ଥିବା ବେଳେ ବିଦେଶରେ ହେଉ ପଛେ; ଆଇପିଏଲ୍‍ ପରି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ବିସିସିିଆଇ ପାଇଁ ବହୁତ ବଡ଼ ଉପଲବ୍‍ଧି। ଆଇପିଏଲ୍‍ର ସଫଳ ଆୟୋଜନ ବିଶ୍ୱରେ ଅନ୍ୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମାର୍ଗଦର୍ଶକ ହେବ ବୋଲି କୁହାଯାଉଛି।


କରୋନା ସଂକ୍ରମଣ ପରେ ଇଂଲଣ୍ଡ ମାଟିରେ ୩ଟି ଦେଶ ବିପକ୍ଷରେ ଇଂଲଣ୍ଡ ଖେଳିବା ପରେ ବଡ଼ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ୟୁଏଇ ୨ୟ ଦେଶ ହେବ। ଶନିବାର ଗତବର୍ଷର ଦୁଇ ଫାଇନାଲିଷ୍ଟ ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳାଯିବ। ଆଇପିଏଲ୍‍ ଇତିହାସରେ ଏଦୁହେଁ ଦୁଇ ସଫଳ ଦଳ। ମୁମ୍ବଇ ସର୍ବାଧିକ ୪ ଥର ଆଇପିଏଲ୍‍ ଟ୍ରଫି ଜିତିଥିବା ଚେନ୍ନଇ ୩ ଥର ଏହି ସମ୍ମାନଜନକ ଟ୍ରଫି ଜିତିଛି। ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ସଂସ୍କରଣ କେବଳ ଟିଭି ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ହେବ। କରୋନା ସଂକ୍ରମଣ ଯୋଗୁଁ ଷ୍ଟାଡିୟମ୍‍କୁ ଦର୍ଶକଙ୍କୁ ଛଡ଼ାଯିବ ନାହିଁ। କରୋନା ସଂକ୍ରମଣ ହେବା ପରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିଲା ବଲିଉଡ୍‍। ତେବେ ଶନିବାରରୁ ଆଇପିଏଲ୍‍ ହିଁ ହେବ ଟିଭି ଦର୍ଶକଙ୍କ ପ୍ରଥମ ପସନ୍ଦ। ଏଥର ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବନାହିଁ କିମ୍ବା ବିଦେଶୀ ଚିଅରଗାର୍ଲ ଏଥିରେ ନାଚିବେନାହିଁ। ଫଳରେ ଆଇପିଏଲ୍‍ କିଛି ଚମକ ହରାଇବ ନିଶ୍ଚୟ। ହେଲେ କ୍ରିକେଟ୍‍ ଯାହା ଥିଲା; ତାହା ରହିବ। ବିଦେଶରେ ଆଇପିଏଲ୍‍ ଆୟୋଜନ ହେବା କିଛି ନୂଆ କଥା ନୁହେଁ। ୨୦୦୯ରେ ସାଧାରଣ ନିର୍ବାଚନ ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍‍ ଅନୁଷ୍ଠିତ ହୋଇଥିଲା। ୨୦୧୪ରେ ସମାନ କାରଣ ଯୋଗୁଁ ଆଇପିଏଲ୍‍ର ପ୍ରଥମାର୍ଦ୍ଧ ୟୁଏଇରେ ଆୟୋଜନ ହୋଇଥିଲା। ଚଳିତବର୍ଷ କେବଳ ଆଇପିଏଲ୍‍ର ଆୟୋଜନ ସ୍ଥଳ ବଦଳିନି, ନୂତନ ଟାଇଟଲ ପ୍ରାୟୋଜକ ଭାବେ ଡ୍ରିମ୍‍୧୧ର ଆବିର୍ଭାବ ଘଟିଛି। ଭାରତ-ଚୀନ୍‍ ତିକ୍ତତା ଯୋଗୁଁ ଟାଇଟଲ ପ୍ରାୟୋଜକ ଭିଭୋ ଓହରି ଯାଇଥିଲା। ଚଳିତବର୍ଷ ଆଇପିଏଲ୍‍ ମାର୍ଚ୍ଚ ୨୯ରୁ ଆରମ୍ଭହେବାର ଥିଲା। ତେବେ କରୋନା ସଂକ୍ରମଣ ଯୋଗୁଁ ଏହା ସ୍ଥଗିତ ହେବା ପରେ ୟୁଏଇରେ ଆୟୋଜନ ହେବାକୁ ଯାଉଛି। ଚଳିତବର୍ଷର ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ସ୍ଥଗିତ ହେବା ଯୋଗୁଁ ବିସିସିଆଇକୁ ତା’ର ସୁନା ଅଣ୍ଡାଦିଆ କୁକୁଡ଼ା ବା ଆଇପିଏଲ୍‍ ଆୟୋଜନ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଗତମାସ ୩ୟ ସପ୍ତାହରୁ ୮ଟିଯାକ ଦଳ ୟୁଏଇରେ ପହଞ୍ଚିବା ଆରମ୍ଭ କରିଥିଲେ। ସମସ୍ତେ ନିଜନିଜର ଜୈବ ନିରାପତ୍ତା ବଳୟ ମଧ୍ୟରେ ରହିଛନ୍ତି। ସମସ୍ତ ଦଳ ପୃଥକ୍‍ ହୋଟେଲରେ ଅଛନ୍ତି। ଏହାସତ୍ତ୍ବେ ସିଏସ୍‍କେର ୧୩ ଜଣ କରୋନା ସଂକ୍ରମିତ ହେବା ଚିନ୍ତାର ବିଷୟ। ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କର ଏକାଧିକ ଥର କୋଭିଡ୍‍ ପରୀକ୍ଷା କରାଯାଇଛି ଏବଂ ପୂରା ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୨୦ ହଜାର କୋଭିଡ୍‍ ପରୀକ୍ଷା କରାଯିବ ବୋଲି କୁହାଯାଇଛି।


ଅନ୍ୟ ସଂସ୍କରଣମାନଙ୍କ ପରି ଏଥର ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍‍ସ, ରୋହିତ ଶର୍ମାଙ୍କ ମୁମ୍ବଇ ଇଣ୍ଡିଆନ୍‍ସ, ବିରାଟ କୋହଲିଙ୍କ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ ଟାଇଟଲ ଫେଭରିଟ୍‍ ରହିବେ। ତେବେ ଶ୍ରେୟାସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍‍ସ, କେ.ଏଲ୍‍. ରାହୁଲଙ୍କ କିଙ୍ଗ୍‍ସ ଏକାଦଶ ପଞ୍ଜାବ ଓ ଦିନେଶ କାର୍ତ୍ତିକଙ୍କ କଲକାତା ନାଇଟ ରାଇଡର୍ସ ଦଳ ଏଥର ଡାର୍କ ହର୍ସ। ଅଷ୍ଟ୍ରେଲିଆର ଦୁଇ ମହାନ୍‍ ବ୍ୟାଟ୍‍ସମ୍ୟାନ୍‍ ଷ୍ଟିଭେନ୍‍ ସ୍ମିଥ୍‍ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍‍ସ ଓ ଡେଭିଡ୍‍ ୱାର୍ଣ୍ଣର ନେତୃତ୍ୱାଧୀନ ସନ୍‍ରାଇଜର୍ସ ହାଇଦରାବାଦ କୌଣସି ଗୁଣରେ କମ୍‍ ନୁହନ୍ତି। ଲାସିଥ୍‍ ମାଲିଙ୍ଗାଙ୍କ ଅନୁପସ୍ଥିତି ସତ୍ତ୍ବେ ମୁମ୍ବଇ ଇଣ୍ଡିଆନ୍‍ସ ପୁଣିଥରେ ଟାଇଟଲ ଫେଭରିଟ୍‍। ୮ଟି ଫ୍ରାଞ୍ଚାଇଜି ମଧ୍ୟରୁ ସିଏସ୍‍କେ ହେଉଛି ସବୁଠାରୁ ଅଭିଜ୍ଞ ଦଳ। ଆନ୍ତର୍ଜାତିକ ଅବସର ଘୋଷଣା କରିଥିବା ବେଶ୍‍ କିଛି ଖେଳାଳି ଏହି ଦଳରେ ଅଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‍ରେ ଏତେ ସଫଳତା ପାଇବା ସତ୍ତ୍ବେ ଥରେ ମଧ୍ୟ ଆଇପିଏଲ୍‍ ଟ୍ରଫି ଧରି ପାରିନାହାନ୍ତି ଆର୍‍ସିବିର ଅଧିନାୟକ ବିରାଟ କୋହଲି। ୟୁଏଇ ମାଟି ବିଜୟ ମାଲ୍ୟାଙ୍କ ଦଳର ଭାଗ୍ୟରେ ପରିବର୍ତ୍ତନ ଆଣିବ ବୋଲି କୋହଲି ଆଶାବାନ୍ଧି ବସିଛନ୍ତି। ଶ୍ରେୟାସ ଆୟର, ପୃଥ୍ୱୀ ସ’ ଓ ଋଷଭ ପନ୍ତ୍‍ଙ୍କ ପରି ବ୍ୟାଟିଂ ପ୍ରତିଭାଙ୍କ ଦମ୍‍ରେ ଏଥର ଟାଇଟଲ ଜିତିବାକୁ ଦିଲ୍ଲୀ କ୍ୟାପିଟାଲ୍‍ସ ଆଶାୟୀ। କେ.ଏଲ୍‍. ରାହୁଲ, କ୍ରିସ୍‍ ଗେଲ୍‍, ଗ୍ଲେନ୍‍ ମ୍ୟାକ୍ସୱେଲ୍‍ ଓ ମହମ୍ମଦ ସାମିଙ୍କ ପରି ଚମ୍ପିଆନ୍‍ କ୍ରିକେଟରଙ୍କୁ ନେଇ କିଙ୍ଗ୍‍ସ ଏକାଦଶ ପଞ୍ଜାବ ଏଥର ଚମ୍ପିଆନ୍‍ ହେବାର ପ୍ରୟାସ କରିବ। ବିଦେଶୀ ଖେଳାଳିଙ୍କ ବଳରେ ସବୁଠାରୁ ବଳୀୟାନ୍‍ ହେଉଛି ସନ୍‍ରାଇଜର୍ସ ହାଇଦରବାଦ। ଅଧିନାୟକ ୱାର୍ଣ୍ଣରଙ୍କୁ ଛାଡ଼ି କେନ୍‍ ୱିଲିୟମ୍‍ସନ, ଜନି ବେୟାରଷ୍ଟୋ ଓ ରସିଦ୍‍ ଖାଁଙ୍କ ପରି ଖେଳାଳି ଏହି ଦଳରେ ଅଛନ୍ତି। ବିଶ୍ୱର ୨ ଶ୍ରେଷ୍ଠ ଟ୍ୱେଣ୍ଟି୨୦ ବ୍ୟାଟ୍‍ସମ୍ୟାନ୍‍ ଆନ୍ଦ୍ରେ ରସେଲ ଓ ଇଓନ୍‍ ମୋର୍ଗାନ୍‍ କଲକାତା ନାଇଟ୍‍ ରାଇଡର୍ସକୁ ଚମ୍ପିଆନ୍‍ କରିପାରନ୍ତି। ରାଜସ୍ଥାନ ରୟାଲ୍‍ସ ମଧ୍ୟ ବିଦେଶୀ ଖେଳାଳିଙ୍କ ଉପରେ ଅଧିକ ନିର୍ଭରଶୀଳ। ଏହି ଦଳରେ ଅଛନ୍ତି ବେନ୍‍ ଷ୍ଟୋକ୍‍ସ, ଷ୍ଟିଭେନ୍‍ ସ୍ମିଥ୍‍, ଜୋସ୍‍ ବଟ୍‍ଲର ଓ ଜୋଫ୍ରା ଆର୍ଚର। ତେବେ ଷ୍ଟୋକ୍‍ସ କେବେ ଦଳରେ ଯୋଗଦେବେ; ତାହା କହିବା ଅସମ୍ଭବ।

Leave A Reply

Your email address will not be published.

3 + eighteen =

error: Content is protected !!
Open chat