ଭୁବନେଶ୍ୱର : ଷାଠିଏ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତିମାନଙ୍କ ଲାଗି ସୋମବାରଠାରୁ ରାଜ୍ୟରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ପରିଚୟପତ୍ର ଦେଖାଇ ଟିକା ନେଇପାରିବେ। କିନ୍ତୁ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷର କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବା ପରେ ସେମାନଙ୍କୁ ଟିକା ପ୍ରଦାନ କରାଯିବ। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି।
ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ଦିଆଯିବ ଏବଂ ରାଜ୍ୟର ୨୨ଟି ଘରୋଇ ହସ୍ପିଟାଲରେ ଟିକାବାବଦ ପ୍ରତି ଡୋଜକୁ ୨୫୦ ଟଙ୍କା ଦେବାକୁ ପଡ଼ିବ। ଯିଏ ଟିକା ନେବ, ସେ କୋୱିନ୍ ପୋର୍ଟାଲରେ ପଞ୍ଜିକରଣ କରିବେ। ଯିଏ ପଞ୍ଜିକରଣ କରି ନ ଥିେବ, ସେମାନେ ଟିକାଦାନ କେନ୍ଦ୍ରରେ ମଧ୍ୟ ପଞ୍ଜିକରଣ କରାଇପାରିବେ। ଟିକା ନେବା ବ୍ୟକ୍ତିଙ୍କୁ
ଟିକାକରଣ କେନ୍ଦ୍ର ବାଛିବା ଲାଗି ସୁବିଧା ପ୍ରଦାନ କରାଯାଇଛି। ରାଜ୍ୟରେ ପୁଣି କରୋନା ମହାମାରୀ କାୟାବିସ୍ତାର କରୁଥିବାବେଳେ ଭୁବନେଶ୍ୱରର ୨୨ଟି ହସ୍ପିଟାଲ ଯଥା- ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି ଘରୋଇ ହସ୍ପିଟାଲରେ ଟିକା ଦେବା ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ରାଜଧାନୀରେ ୩ୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦିଆଯିବ। ଭୁବନେଶ୍ବର ବାଦ୍ ରାଜ୍ୟର ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ। ପ୍ରଥମ ଦିନ ପ୍ରତି କେନ୍ଦ୍ରରେ ୬୦ ଜଣଙ୍କୁ ଟିକା ଦିଆଯିବ ବୋଲି ସୂଚନା ରହିଛି।
ସଂକ୍ରମଣ ବଢୁଥିବାରୁ ଟିକା ନେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାସହ ପୂର୍ବରୁ ରାଜ୍ୟର ଘରୋଇ ମେଡିକାଲରେ କରୋନା ଟିକାକରଣ କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ରର ଅନୁମତି ପରେ ଏବେ ରାଜ୍ୟର ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ବୋଲି ଜଣାଯାଇଛି।