ଆଜି ପୂର୍ବତନ ରାଷ୍ଟ୍ରପତି ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ

0 605
greentech

ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ : ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା ।

ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ : ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮ : ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୨୦୧୯ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଇଥିଲା । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ରହିଥିବା ପ୍ରଣବ ମୁଖାର୍ଜୀ  କଂଗ୍ରେସର ଜଣେ ବରିଷ୍ଠ ନେତା  ଏବଂ କେନ୍ଦ୍ରରେ କଂଗ୍ରେସ ସରକାରରେ ସେ  ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ମଧ୍ୟ ଅଳଙ୍କୃତ କରିଛନ୍ତି। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ କ୍ୟବିନେଟରେ  ସେ ଦେଶର ଅର୍ଥମନ୍ତ୍ରୀ ଥିଲେ ଏବଂ ପରେ ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସେ ୧୯୯୫ରୁ ୧୯୯୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିଲେ। ଆଜି ତାଙ୍କର ବିୟୋଗରେ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା।  ରକ୍ତ ଟେଳାଟିକୁ ବାହାର କରିବାକୁ ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ। ଏହା ପରେ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା। ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲିଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆଜି ସକାଳେ ଅବନତି ଘଟିଥିଲା। ଏ ନେଇ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଡାକ୍ତରଖାନା ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ମୁଖାର୍ଜୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୨୦ଦିନ ପରେ ବି  ସେ କୋମାରେ ଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିଲା ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଶୋକ ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ମଧ୍ୟ ଶୋକପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିଦ ନିଜ ଟ୍ବିଟର ଆକାଉଣ୍ଟରେ ଶୋକପ୍ରକାଶ କରିବା ସହ ପ୍ରଣବ ମୁଖାର୍ଜୀଙ୍କ ସହ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ଦେଶ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ସେ ସାଧାରଣ ପୃଷ୍ଠଭୂମିରୁ କଠିନ ପରିଶ୍ରମ, ଅନୁଶାସନ ଓ ସମର୍ପଣ ମନୋଭାବ ପ୍ରଦର୍ଶନ କରି ଦେଶର ଶୀର୍ଷ ସାମ୍ବିଧାନିକ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ବୋଲି ଭେଙ୍କିଆ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ବର୍ଗ ତାଙ୍କର ସମ୍ମାନ କରୁଥିଲେ ଓ ତାଙ୍କର ମହତ୍ବପୂର୍ଣ୍ଣ ଯୋଗଦାନକୁ ସାରା ଦେଶ ସ୍ମରଣ କରିବ ।

ସେହପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ଶୋକପ୍ରକାଶ କରି ଦେଶ ଜଣେ ଯୋଗ୍ୟ ପୁତ୍ରଙ୍କୁ ହରାଇଲା ବୋଲି କହିଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପ୍ରଣବ’ଦାଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ଯେ, ପ୍ରଣବ ମୁଖାର୍ଜୀ ଏକମାତ୍ର ବ୍ୟକ୍ତି ଯାହାଙ୍କ ସହ ଦେଶର ଇତିହାସ, ସଂସ୍କୃତି ଓ ରାଜନୈତିକ ସମ୍ପୃକ୍ତି ଅନେକାଂଶରେ ଜଡ଼ିତ ଥିଲା ।

ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ । ସେ ନିଜ ଟ୍ୱିଟରରେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଲେଖିଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ଟ୍ବିଟ୍ କରି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ନେପାଳ ଜଣେ ଭଲ ବନ୍ଧୁଙ୍କୁ ହରାଇଲା ଓ ଭାରତ-ନେପାଳ ସମ୍ପର୍କ ଦୃଢ଼ କରିବାରେ ତାଙ୍କର ବହୁତ ବଡ଼ ଯୋଗଦାନ ଥିଲା ବୋଲି ଓଲି କହିଛନ୍ତି ।

ପ୍ରଣବ ମୁଖାର୍ଜୀ ୧୯୩୫ ଡ଼ିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୯ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବା ପରେ ୨୦୧୨ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ । ୨୦୧୨ ମସିହାରେ ଦେଶର ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିଲେ । ପ୍ରଣବ ୧୯୫୭ ଜୁଲାଇ ୧୩ ତାରିଖରେ ଶୁଭ୍ରା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଶୁଭ୍ରା ୨୦୧୫ରେ ୭୪ ବର୍ଷରେ ପରଲୋକଗମନ କରିଥିଲେ । ତାଙ୍କର ପୁଅ ଅଭିଜିତ୍ ମୁଖାର୍ଜୀ କଂଗ୍ରେସର ସାଂସଦ ଅଛନ୍ତି । ଝିଅ ଶର୍ମିଷ୍ଠା ଜଣେ କଥକ ନୃତ୍ୟଶିଳ୍ପୀ ଓ ସେ ମଧ୍ୟ କଂଗ୍ରେସରେ ଅଛନ୍ତି ।

Leave A Reply

Your email address will not be published.

1 + five =

error: Content is protected !!
Open chat