ଆଜି ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦୁଇ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରୈନା ଅନ୍ତର୍ଜାତୀୟ କ୍ରିକେଟକୁ କଲେ ଅଲବିଦା

0 431
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଏ । ସେହିପରି, ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଆଉ ଜଣେ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଧୋନୀଙ୍କୁ ସମ୍ବୋଧନ କରି ସେ ଲେଖିଛନ୍ତି,“ତୁମ ସହ ଖେଳିବା ଗର୍ବ ଓ ଆନନ୍ଦର ବିଷୟ ଥିଲା । ଏହି (ଅବସର) ଯାତ୍ରାରେ ମୁୁଁ ତୁମ ସହ ଯୋଗ ଦେଉଛି ।”

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା । ଭାରତୀୟ କ୍ରିକେଟରେ ଜଣେ ସଫଳ ଓ୍ଵିକେଟ କିପର ଏବଂ ମ୍ୟାଚ ଫିନିସର ଭାବେ ଲୋକପ୍ରିୟ ଧୋନୀ ୨୦୦୪ରେ ବାଂଲାଦେଶ ବିରୁଦ୍ଧରେ ଏକଦିବସୀୟ କ୍ୟାରିୟର ଓ ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୬ ଡିସେମ୍ବର ୨୦୧୪ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ସେ ନିଜର ଅନ୍ତିମ ଟେଷ୍ଟ ଖେଳିଥିଲେ । ସେହିପରି ୨୦୧୯, ଜୁଲାଇ ୯ରେ ସେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ନିଜର ଅନ୍ତିମ ଏକଦିବସୀୟ ଖେଳିଥିଲେ । ସେ ଟେଷ୍ଟରେ ୪୮୭୬ ରନ ଓ ଏକ ଦିବସୀୟରେ ୧୦୭୭୩ ରନ ଓ ଟି୨୦ରେ ୧୬୧୭ ରନ ସଂଗ୍ରହ କରିଛନ୍ତି । ୨୦୦୬ରେ ସେ ନିଜର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ ଓ ଏହାର ବର୍ଷକ ପରେ ଅର୍ଥାତ ୨୦୦୭ରେ ଭାରତକୁ ଟି୨୦ ବିଶ୍ୱକପ ଜିତାଇଥିଲେ ।

ସେହିପରି ସୁରେଶ ରୈନା ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଏକଦିବସୀୟ କ୍ୟାରିୟର ଓ ୨୦୧୦ରେ ଶ୍ରୀଲଙ୍କା ବିରୁଦ୍ଧରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୮ ଜୁଲାଇ ୧୭ରେ ସେ ଇଂଲାଣ୍ଡ ବିରୁଦ୍ଧରେ ନିଜର ଶେଷ ଏକଦିବସୀୟ ଓ ୨୦୧୫ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶେଷ ଟେଷ୍ଟ ଖେଳଥିଲେ । ସେହିପରି ୨୦୦୬ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି-୨୦ ଆରମ୍ଭ କରିଥିବା ରୈନା ୨୦୧୮, ଜୁଲାଇ ୮ରେ ଇଂଲାଣ୍ଡ ବିରୁଦ୍ଧରେ ଶେଷ ଟି-୨୦ ଖେଳିଥିଲେ ।

Leave A Reply

Your email address will not be published.

9 + two =

error: Content is protected !!
Open chat