ଆତଙ୍କବାଦୀମାନଙ୍କୁ ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ସହାୟତା ଦେଉଥିବା ପାକିସ୍ତାନକୁ ଉତ୍ତରଦାୟୀ କରାଯିବା ଉଚିତ: ଭାରତ

0 438
greentech

ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦୁର୍ଦାନ୍ତ ଓ ତାଲିକାଭୁକ୍ତ ଆତଙ୍କବାଦୀମାନଙ୍କୁ ପେନ୍‌ସନ୍‌ ଯୋଗାଇବା ସହ ସେମାନଙ୍କୁ ନିଜ ଦେଶରେ ଆତିଥ୍ୟ ଦେବାକୁ ପାକିସ୍ତାନ ତା’ର ରାଷ୍ଟ୍ରୀୟ ନୀତି ଅନ୍ତର୍ଭୁକ୍ତ କରିଛି ବୋଲି ମଙ୍ଗଳବାର ଦିନ ଭାରତ କହିଛି। ଭାରତ ଆହୁରି ମଧ୍ୟ କହିଛି ଯେ, ଆତଙ୍କବାଦକୁ ସାହାଯ୍ୟ ଏବଂ ଉତ୍ସାହ ଦେଉଥିବା ପାକିସ୍ତାନକୁ ଏଥିନିମନ୍ତେ ଉତ୍ତରଦାୟୀ କରାଯିବା ଉଚିତ।

ଜିନିଭାସ୍ଥିତ ‘ଇଣ୍ଡିଆନ୍‌ ପର୍‌ମାନେଣ୍ଟ୍‌ ମିସନ୍‌’ର ପ୍ରଥମ ସଚିବ ପବନ କୁମାର ବାଧେ ଜାତିସଂଘ ମାନବୀୟ ଅଧିକାର ପରିଷଦ୍‌ର ୪୭ତମ ଅଧିବେଶନରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନର ମନ୍ତବ୍ୟ ପରେ ଭାରତର ପ୍ରତ୍ୟୁତ୍ତର ଅଧିକାର ସାବ୍ୟସ୍ତ କରି ବାଧେ ସଂଖ୍ୟାଲଘୁମାନଙ୍କ ଉପରେ ପାକିସ୍ତାନ ଜାରି କରୁଥିବା ଧାର୍ମିକ ଅପମାନ ଆଇନ, ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ବିବାହ ଓ ବେଆଇନ ମୃତ୍ୟୁଦଣ୍ଡ ଭଳି କଠୋର କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିଥିଲେ। ସେ କହିଥିଲେ ଯେ, ବଳପ୍ରୟୋଗଜନିତ ଧର୍ମ ପରିବର୍ତ୍ତନ ପାକିସ୍ତାନରେ ଦୈନନ୍ଦିନ ଘଟଣା ପାଲଟି ଗଲାଣି। ଧାର୍ମିକ ସଂଖ୍ୟାଲଘୁ ଶ୍ରେଣୀର ଝିଅମାନଙ୍କୁ ଅପହରଣ କରାଯାଇ ସେମାନଙ୍କ ସହ ଦୁଷ୍କର୍ମ କରାଯିବା ପରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇ ବିବାହ କରାଯାଉଥିବା ରିପୋର୍ଟ ଆମେ ସମ୍ବାଦପତ୍ରରୁ ପଢୁଛୁ। ପାକିସ୍ତାନରେ ପ୍ରତିବର୍ଷ ଏହି ଭଳି ୧୦୦୦ ଝିଅଙ୍କୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି।

ପାକିସ୍ତାନରେ ଉପରୋକ୍ତ ଘଟଣାକୁ ସମାଲୋଚନା କରୁଥିବା ସାମ୍ବାଦିକମାନଙ୍କୁ ଧମକ ଦିଆଯାଉଛି, ଭୟଭୀତ କରାଯାଉଛି, ଖବର ପ୍ରସାରଣ କରିବାରୁ ବଞ୍ଚିତ କରାଯାଉଛି, ଅପହରଣ କରାଯାଉଛି ଏବଂ କେତେକ ‌କ୍ଷେତ୍ରରେ ହତ୍ୟା କରାଯାଉଛି।

ଜିନିଭାସ୍ଥିତ ଜାତିସଂଘ ପାଇଁ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଖଲିଲ୍‌ ହାସ୍‌ମି ହାଇକମିସନର୍‌ଙ୍କ ବାର୍ଷିକ ବିବରଣୀ ଉପରେ ବିତର୍କ ବେଳେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାରୁ ଭାରତ ଏଭଳି ମନ୍ତବ୍ୟ ଦେଇଛି। ପାକିସ୍ତାନରେ ମାନବୀୟ ଅଧିକାରର ଲଜ୍ଜାଜନକ ଅବସ୍ଥା ଉପରୁ ପରିଷଦ୍‌ର ଦୃଷ୍ଟିକୁ ବିଭ୍ରାନ୍ତ କରିବା ଲାଗି ଇସ୍‌ଲାମାବାଦ ଉଦ୍ୟମ କରୁଛି ବୋଲି ବାଧେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.

twenty − one =

error: Content is protected !!
Open chat