ଓଡ଼ିଶାବାସୀ ଖୁସି ନୁହନ୍ତି – ଅବିବାହିତଙ୍କଠାରୁ ବିବାହିତ ଅଧିକ ଖୁସି

0 410
greentech

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ବିଶାଳ ସଂସ୍କୃତି ଏବଂ ପରମ୍ପରାରେ ଭରା ଓଡ଼ିଶା । ସରଳ ଜୀବନଶୈଳୀକୁ ପ୍ରାଧାନ୍ୟ ଦେଇଥାନ୍ତି ରାଜ୍ୟବାସୀ । ରାଜ୍ୟର ସବୁଆଡେ ଦେଖିବାକୁ ମିଳିଥାଏ ଭାଇଚାରା । ଗୋଟିଏ ସୂତାରେ ବାନ୍ଧି ହୋଇଥାନ୍ତି ପରିବାରର ପ୍ରତିଟି ସଦସ୍ୟ । ତେଣୁ ଓଡ଼ିଶାକୁ ଭାରତର ‘ବେଷ୍ଟ କେପ୍ଟ ସିକ୍ରେଟ୍‌’ ଭାବେ ଆଖ୍ୟା ଦିଆଯାଇଛି । କିନ୍ତୁ ଏସବୁ ସତ୍ତେ୍ୱ ଖୁସି ନୁହନ୍ତି ଓଡ଼ିଶାବାସୀ । ଭାରତର ପ୍ରଥମ ଧରଣ ହ୍ୟାପିନେସ୍‌ ରିପୋର୍ଟ-୨୦୨୦ରେ ବହୁ ତଳେ ସ୍ଥାନ ପାଇଛି ଓଡ଼ିଶା । ରିପୋର୍ଟରେ ସବୁଠାରୁ ତଳେ ରହିଥିବା ୩ ରାଜ୍ୟ ହେଲେ ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ ।

ଦେଶର ଜଣେ ପ୍ରମୁଖ ମ୍ୟାନେଜ୍‌ମେଣ୍ଟ ଷ୍ଟ୍ରାଟେଜି ଏକ୍ସପର୍ଟ ପ୍ରଫେସର ରାଜେଶ. କେ. ପିଲାନିଆ ଏହି ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି । ୩୬ଟି ଯାକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସେ ତାଙ୍କର ସର୍ଭେରେ ସ୍ଥାନ ଦେଇଛନ୍ତି । ୨୦୨୦ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଖୁସିର ୬ଟି ମାପକକୁ ନେଇ ଏହି ସର୍ଭେ କରାଯାଇଥିଲା । ଏହି ୬ଟି ମାପକ ହେଲା କାର୍ଯ୍ୟ, ସମ୍ପର୍କ, ସ୍ୱାସ୍ଥ୍ୟ, ପରୋପକାର, ଧାର୍ମିକ ତଥା ଆଧ୍ୟାତ୍ମିକ ଦିଗ ଓ କୋଭିଡ୍‌ ପ୍ରଭାବ । ସମଗ୍ର ଦେଶରୁ ପ୍ରାୟ ୧୬୯୫୦ ଜଣ ବ୍ୟକ୍ତିଙ୍କୁ ସର୍ଭେରେ ସାମିଲ କରାଯାଇଥିଲା । ଏଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯେ, ଅବିବାହିତଙ୍କ ତୁଳନାରେ ବିବାହିତମାନେ ଖୁସି ଅଛନ୍ତି । ହ୍ୟାପିନେସ୍‌ ତାଲିକାରେ ମିଜୋରାମ୍‌ ଶୀର୍ଷରେ ରହିଛି ।

ଏହା ପଛକୁ ପଞ୍ଜାବ ଏବଂ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ରହିଛନ୍ତି । ଗୁଜରାଟ ଏବଂ ଉତ୍ତରପ୍ରଦେଶ ବି ଦେଶର ଶ୍ରେଷ୍ଠ ୧୦ ଖୁସି ଭରା ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛନ୍ତି । ରିପୋର୍ଟରୁ ଜଣାଯାଇଛି ଯେ, ଲିଙ୍ଗ ଏବଂ ଖୁସି ମଧ୍ୟରେ କୌଣସି ସମ୍ପର୍କ ନାହିଁ । ବୟସ, ମାରିଟାଲ ଷ୍ଟାଟସ, ଆୟ ଏବଂ ଶିକ୍ଷା ସହ ଏହାର ସମ୍ପର୍କ ରହିଛି । କାର୍ଯ୍ୟ ମାପକରେ ଆସାମ, ପଞ୍ଜାବ, ଆଣ୍ଡାମାନ ନିକୋବର, ମିଜୋରାମ ଏବଂ ପୁଡୁଚେରୀ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଅଛନ୍ତି । ସମ୍ପର୍କ ମାପକରେ ମିଜୋରାମ, ଆଣ୍ଡାମାନ ନିକୋବର, ପଞ୍ଜାବ, କର୍ଣ୍ଣାଟକ ଏବଂ ସିକ୍କିମ ଶ୍ରେଷ୍ଠ ୫ ମଧ୍ୟରେ ରହିଛନ୍ତି । ସ୍ୱାସ୍ଥ୍ୟ ମାପକରେ ଆଣ୍ଡାମାନ ନିକୋବର, ଲାକ୍ଷାଦୀପ, ମିଜୋରାମ, ପଞ୍ଜାବ ଏବଂ ସିକ୍କିମ ଆଗରେ ଅଛନ୍ତି । ପରୋପକାରରେ ଲଦାଖ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମିଜୋରାମ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଅଛନ୍ତି । ସେହିଭଳି ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରେ ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ ନିକୋବର ଏବଂ ଲଦାଖ ଆଗରେ ଅଛନ୍ତି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଗକୁ ମଣିପୁର, ଆଣ୍ଡାମାନ ନିକୋବର ଏବଂ ଗୁଜରାଟ ତାଲିକାର ଶୀର୍ଷ ସ୍ଥାନକୁ ଆସିପାରନ୍ତି ।

Leave A Reply

Your email address will not be published.

2 × two =

error: Content is protected !!
Open chat