କଟକ – ଚାନ୍ଦବାଲି ରାଜପଥରେ ବିଭାଗୀୟ ଅବହେଳାର ଚିତ୍ର: ରିସୋ ଆପ୍ରୋଜ୍ ରୋଡ ନିର୍ମାଣ ନହେବାରୁ ଜନଅସନ୍ତୋଷ ଦାନା ବାନ୍ଧୁଛି ! !
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: କଟକ – ଚାନ୍ଦବାଲି ମୁଖ୍ୟ ରାସ୍ତାରୁ ନିଶ୍ଚିନ୍ତକୋଇଲି ତହସିଲ ଛକରୁ କେନ୍ଦୁପାଟଣା ପଂଚାୟତ ରିସୋ ଗ୍ରାମ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଡବ୍ଲୁ ଡି ରାସ୍ତାଠାରୁ ନଟରା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା କାର୍ଯ୍ୟ ୫ ବର୍ଷ ହେବ ଶେଷ ହେଲାଣି । ବିଭାଗୀୟ ଅବହେଳା ଯୋଗୁ ଏହି ରାସ୍ତାର ଆରମ୍ଭରୁ ମୁଖ୍ୟ ରାସ୍ତାକୁ ଲଗାଇ ନିର୍ମାଣ ହୋଇଥିବା ଆପ୍ରୋଜ ରୋଡକୁ ଅଦ୍ୟାବଧି ହୋଇପାରୁନାହିଁ । ଫଳରେ ଲୋକମାନେ ଯାତାୟାତ ସମୟରେ ମୁଖ୍ୟ ରାସ୍ତାରୁ ଶାଖା ରାସ୍ତାକୁ ଗାଡି ଗଡାଇଲା ବେଳେ କିମ୍ବା ଶାଖା ରାସ୍ତାରୁ ମୁଖ୍ୟ ରାସ୍ତାକୁ ଗାଡି ଉଠାଇଲା ବେଳେ ବିଭିନ୍ନ ସମସ୍ୟା ଦେଖାଦେବା ସହିତ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଆପ୍ରୋଜ୍ ରାସ୍ତାଟିକୁ ନିର୍ମାଣ କରିବା ପାଇଁ ସାଧାରଣରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ନିକଟରେ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି ।
କଟକ – ଚାନ୍ଦବାଲି ରାସ୍ତା ନିର୍ମାଣ ଗାଇଡଲାଇନ୍ ଅନୁଯାୟୀ ପ୍ରତ୍ୟେକ ସଂଯୁକ୍ତି କରଣ ରାସ୍ତାର ୫ ମିଟର ପର୍ଯ୍ୟନ୍ତ ରାସ୍ତାକୁ ସଂପୃକ୍ତ ଠିକାଦାର ଉନ୍ନତ ମାନର ନିର୍ମାଣ କରିବା କଥା । କିନ୍ତୁ ଏହି ରାସ୍ତାକୁ ସେତେବେଳେ ନିର୍ମାଣ କରାଯାଇନାହିଁ । ଅପରପକ୍ଷରେ ଏହି ରାସ୍ତାଠାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମାପ କରାଯାଇ ବିଭାଗୀୟ ପକ୍ଷରୁ ବିଲ୍ କରାଯାଇଥିଲେ ମଧ୍ୟ ୫ ମିଟର ଆପ୍ରୋଜ ରୋଡ୍ ନିର୍ମାଣ ହୋଇନାହିଁ । ଦୁଇ ବିଭାଗ ପରସ୍ପର ମଧ୍ୟରେ ଛକାପଞ୍ଝା ହୋଇ ଏହି ରାସ୍ତାକୁ ନିର୍ମାଣ କରୁନଥିବାରୁ ସାଧାରଣରେ ଯାତାୟାତ ପାଇଁ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଉକ୍ତ ଆପ୍ରୋଜ ରାସ୍ତାକୁ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।