କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୭/୦୯: ପ୍ରଥମ ଥର ପାଇଁ କଟକ କମିସନରେଟ୍ ପୁୁଲିସ୍ରେ ମୁଣ୍ଡ ନେଇଛି କରୋନା । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା ପରେ ଜଗତପୁରସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । କରୋନା ବିରୁଦ୍ଧ ଲଢେଇରେ ପ୍ରାଣବଳୀ ଦେଇଥିବା ଦିବାକରଙ୍କୁ ଆସନ୍ତାକାଲି କମିସନ୍ରେଟ୍ ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ ଡିସିପି ପ୍ରତୀକ ସିଂହ ସୂଚନା ପ୍ରଦାନ କରିଛନ୍ତି ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଲାଲବାଗ ଥାନାରେ କନଷ୍ଟେବଲ୍ ଭାବେ କାର୍ଯ୍ୟରତ ଦିବାକର ସେଠୀ ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଥମେ ବେଲିଭ୍ୟୁ ନିକଟରେ ଥିବା କୋଭିଡ୍ କେୟାର ସେଣ୍ଟରରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ମାତ୍ର ଏଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ପରେ ତାଙ୍କୁ ଜଗତପୁରସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ପ୍ଲାଜମା ଥେରାପିଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ମୃତକଙ୍କ ଭାଇ ମଧ୍ୟ କରୋନା ସଂକ୍ରମିତ ହୋଇଛି ଚିକିତ୍ସିତ ହେଉଛନ୍ତି । ତାଙ୍କ ଭାଇ ଷଷ୍ଠ ବାଟାଲିୟନ୍ର ପୁଲିସ କର୍ମଚାରୀ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ କଟକ କମସିନରେଟ୍ ପୁଲିସ୍ରେ ଏବେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି । ଅଫିସରଙ୍କଠାରୁ ଆରମ୍ଭ କରି କନଷ୍ଟେବଲ୍, ହୋମଗାର୍ଡ ପର୍ଯ୍ୟନ୍ତ ସବୁବର୍ଗର ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି । ପ୍ରାୟ ଶହେରୁ ଅଧିକ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ଏପରିକି କଟକ କମିସନରେଟ୍ ପୁଲିସ ଅଧୀନରେ ଥିବା ସବୁ ଥାନାରେ କେହି ନା କେହି କର୍ମଚାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିଦିନ ଆକ୍ରାନ୍ତ ପୁଲିସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ଡିସିପି ଅଫିସ୍ ସମେତ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟ ଆଦି ସର୍ବସାଧାରଣଙ୍କ ବନ୍ଦ ରହିଛି । ଅନ୍ୟପକ୍ଷରେ କଟକ କମିସନରେଟ୍ ପୁଲିସର ପ୍ରଥମ କରୋନା ଯୋଦ୍ଧା ଭାବେ ପ୍ରାଣ ହରାଇଥିବା ଦିବାକରଙ୍କୁ ଆସନ୍ତକାଲି ଗାର୍ଡ ଅଫ୍ ଅନର ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।