ଭାରତ-ଚୀନ ଉତ୍ତେଜନା ମଧ୍ୟରେ LACରେ ମୁତୟନ ହେଲେ ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପସ

0 516
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଲଦାଖ ସଂଲଗ୍ନ ସୀମାରେ ଭାରତ ଓ ଚୀନ୍‌ ସେନା ଗତ କିଛି ମାସ ଧରି ମୁହାଁମୁହିଁ ଅବସ୍ଥାରେ ଥିଲାବେଳେ ଏବେ ଯେକୌଣସି ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଏଇ ସେପ୍ଟେମ୍ବର ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏଇ ମାସ ପରେ ସେଠାରେ ବରଫପାତ ଆରମ୍ଭ ହୋଇଯିବ ଏବଂ ସେପରି ସ୍ଥିତିରେ କୌଣସି ପ୍ରକାର ସାମରିକ ଅପରେସନ କରିବା ମୁସ୍କିଲ ହୋଇଯିବ । ତେଣୁ ଚୀନ୍‌ ସେନା ଆସନ୍ତା ଚାରି ସପ୍ତାହ ଭିତରେ ଲଦାଖ ସୀମାରେ ବଳ ପ୍ରୟୋଗ କରି ସୀମାର ସ୍ଥିତାବସ୍ଥାକୁ ବଦଳାଇବାକୁ ଯେନତେନ ଉଦ୍ୟମ କରିବ ବୋଲି ଆଶଙ୍କା ରହିଛି । ଏପରି ସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ଏବେ ନିଜର ପ୍ରଥମ ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପସକୁ ଲଦାଖରେ ମୁତୟନ କରିଛି ।

ଏହି କର୍ପସ ପାହାଡିଆ ଅଞ୍ଚଳରେ ଯୁଦ୍ଧ କରିବାରେ ସିଦ୍ଧହସ୍ତ ଅଟେ । ଏହାକୁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ରରେ ସୁସିତ କରାଯାଇଛି । ଏହି କର୍ପସରେ ଆମେରିକା ଠାରୁ କ୍ରୟ କରାଯାଇଥିବା ଅଲଟ୍ରା ଲାଇଟ୍‌ ହ୍ୱିଜର ତୋପ ଏବଂ ଲଢୁଆ ହେଲିକପ୍ଟର ମଧ୍ୟ ସାମିଲ କରାଯାଇଛି ଯାହାକୁ ଖୁବ୍‌ କମ ସମୟ ଭିତରେ ପାହାଡିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇପାରିବ ।

ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପସକୁ ଖାସକରି ଚୀନ୍‌ ସୀମାରେ ଯୁଦ୍ଧ କରିବା ଲକ୍ଷ୍ୟରେ ଗଠନ କରାଯାଇଛି। ଏହାକୁ କେତେ ଗୁଡିଏ ଇଣ୍ଡିପେଣ୍ଡେଣ୍ଟ ବ୍ୟାଟେଲ ଗ୍ରୁପ୍‌ (ଆଇବିଜି)ରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ପ୍ରାୟ ୬ଟି ବାଟାଲିୟନ ରହିବେ । ପ୍ରତି ଆଇବିଜିରେ ଇନଫ୍ୟାଣ୍ଟ୍ରି ୟୁନିଟ ସାଙ୍ଗକୁ ତୋପ, ଟ୍ୟାଙ୍କ, ମିସାଇଲ, ଇଞ୍ଜନିୟରିଂ , ଏୟାର ଡିଫେନ୍ସ ଏବଂ ସିଗନାଲ୍‌ ୟୁନିଟ୍‌ ସାମିଲ କରାଯାଇଛି । ଲଢ଼ୁଆ ହେଲିକପ୍ଟର ବି ଏହି ଆଇବିଜିରେ ସାମିଲ କରାଯାଇଛି । ଏହି ଆଇବିଜିକୁ ଏପରି ଗଠନ କରାଯାଇଛି କି ଏହା ଦ୍ରୁତ ଗତିରେ ଏବଂ ଖୁବ୍‌ କମ ସମୟ ମଧ୍ୟରେ ଶତ୍ରୁ ସୀମା ଭିତରେ ପଶି ଆକ୍ରମଣ କରିପାରିବ ।

ଏଥିରେ ସେନାର ବିଭିନ୍ନ ୟୁନିଟରୁ କିଛି କିଛି ଅଂଶକୁ ସାମିଲ କରାଯାଇଥିବାରୁ ଏହାକୁ ଆଉ ଅନ୍ୟ କାହା ଉପରେ ନିର୍ଭରଶୀଳ ହେବାକୁ ପଡିବ ନାହିଁ । ଏହାର ମୁକାବିଲା କରିବା ଶତ୍ରୁ ପାଇଁ ମଧ୍ୟ କଷ୍ଟକର ହେବ । ୧୭ ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପସର ସୈନିକମାନଙ୍କୁ କମ ସମୟରେ ପାହାଡିଆ ଅଞ୍ଚଳରେ ମୁତୟନ ହେବା , ଏପରି ଅଞ୍ଚଳ ସହିତ ନିଜକୁ ଶାରୀରିକ ଓ ମାନସିକ ଭାବେ ଅଭ୍ୟସ୍ତ କରିବା ଏବଂ କମ ସମୟରେ ଶତ୍ରୁ ଉପରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ପ୍ରଶିକ୍ଷିତ କରାଯାଇଛି ।

ତିନି ବର୍ଷ ତଳେ ଏହି କର୍ପସ ଲଦାଖ ସୀମାରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ କରିଥିଲା ଏବଂ ନିଜକୁ ଏହି ଅଞ୍ଚଳ ସହିତ ଅଭ୍ୟସ୍ତ କରିବାକୁ ପ୍ରୟାସ କରିଥିଲା । ଗତ ବର୍ଷ ବି ଅରୁଣାଚଳ ପ୍ରଦେଶ ସୀମାରେ ଅପରେସନ ହିମ ବିଜୟ ନାମରେ ଏହି କର୍ପସ ଏକ ସମରାଭ୍ୟାସ କରିଥିଲା । ତେଣୁ ଏବେ ଏହାକୁ ଲଦାଖ ସୀମାରେ ମୁତୟନ କରାଯିବା ଦ୍ୱାରା ଭାରତ ଚୀନ୍‌ର ମୁକାବିଲା ପାଇଁ ନିଜକୁ ସବୁ ପ୍ରକାରେ ପ୍ରସ୍ତୁତ କରୁଥିବା ଏବଂ କେବେ ବି ମୁଣ୍ଡ ନୁଆଁଇବାକୁ ରାଜି ନଥିବାର ସ୍ପଷ୍ଟ ହୋଇଛି ।

ଭାରତୀୟ ସେନା ପୂର୍ବରୁ ଲଦାଖ ସୀମାରେ ତିନିଟି ଅତିିରିକ୍ତ ଡିଭିଜନ ମୁତୟନ କରିଛି । ତା’ ସହିତ ଟ୍ୟାଙ୍କ, ତୋପ, ମିସାଇଲ, ବିମାନ ବିଧ୍ୱଂସୀ ମିସାଇଲ, ବ୍ରହ୍ମୋସ ମିସାଇଲ ଏବଂ ଭାରୀ ଯୁଦ୍ଧ ଯାନ ବି ମୁତୟନ କରିଛି । ସେନା ଦ୍ୱାରା ଏହି ଅଞ୍ଚଳରେ ଲଦାଖ ସ୍କାଉଟ୍ସ ଏବଂ ବିକାଶ ରେଜିମେଣ୍ଟକୁ ନିୟୋଜିତ କରାଯାଇଛି । ଏହି ଦୁଇଟି ରେଜିମେଣ୍ଟର ସୈନିକମାନେ ପାହାଡିଆ ଅଞ୍ଚଳରେ ଯୁଦ୍ଧ କରିବାରେ ଦକ୍ଷ ଅଟନ୍ତି ଏବଂ ସେମାନେ ଲଦାଖର ଭୌଗୋଳିକ ସ୍ଥିତି ଏବଂ ସେଠାକାର ପରିବେଶ ସହ ବି ବେଶ୍‌ ଅଭ୍ୟସ୍ତ ଅଟନ୍ତି । ଭାରତୀୟ ସେନା ମଧ୍ୟ ନିଜର ପାରା କମାଣ୍ଡୋ ୟୁନିଟଗୁଡିକୁ ଲଦାଖକୁ ପଠାଯାଇଛି । ତେଣୁ ଚୀନ୍‌ ଯଦି ଭାରତ ଉପରେ ଆକ୍ରମଣ କରିବାର ଦୁଃସାହସ କରେ, ତାହାହେଲେ ତା’କୁ ଏହାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡିପାରେ ବୋଲି ମନେ କରାଯାଉଛି ।

Leave A Reply

Your email address will not be published.

20 − one =

error: Content is protected !!
Open chat