‘କମଳା ହ୍ୟାରିସ’ : ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ହେବେ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ

0 416
greentech

ନୂଆଦିଲ୍ଲୀ/ୱାଶିଂଟନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହ୍ୟାରିସ ହେବେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ । ଡ଼େମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇନେଡ଼ ଏ କଥା ଘୋଷଣା କରିଛନ୍ତି । ଏହି ପଦ ନିମନ୍ତେ ନିର୍ବାଚନ ଲଢ଼ିବାରେ ସେ ପ୍ରଥମ କୃଷ୍ଣକାୟ ମହିଳା । ଜୋ ବାଇଡ଼େନ୍ ନିଜ ଟ୍ୱିଟରରେ ଏହା ସୂଚନା ଦେବା ସହ କମଳାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ କରିଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । କାଲିଫର୍ଣିଆର ଆଟର୍ଣ୍ଣି ଜେନେରାଲ ଥିବା ସମୟରେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ବୋଲି ଉଲ୍ଲେଖ କରି ସେ ବଡ଼ବଡ଼ ବ୍ୟାଙ୍କକୁ ଆଣ୍ଠେଇ ଦେଇଥିବା ଓ ମହିଳା, ଶିଶୁମାନଙ୍କ ନିମନ୍ତେ କାର୍ଯ୍ୟ କରିଥିବା ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

ଆମେରିକାର ଦୁଇ ପ୍ରମୁଖ ଦଳ ଡ଼େମୋକ୍ରାଟିକ୍ ଓ ରିପବ୍ଲିକାନ ପାର୍ଟି ପକ୍ଷରୁ କୌଣସି କୃଷ୍ଣକାୟ (ଅଶ୍ଵେତ) ମହିଳାଙ୍କୁ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ କରିନାହାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଆମେରିକୀୟ ମହିଳା ରାଷ୍ଟ୍ରପତି ନିର୍ବାଚନ ଜିତି ନାହାନ୍ତି । କାଲିଫର୍ଣିିଆର ସାଂସଦ କମଳା ହ୍ୟାରିସ ପ୍ରଥମେ ଜୋ ବାଇଡ଼େନଙ୍କ ପ୍ରତିଦ୍ୱନ୍ଦି ଥିଲେ । ତାଙ୍କୁ ରାଷ୍ଟ୍ରପତି ପଦ ନିମନ୍ତେ ତାଙ୍କ ଦଳ ପକ୍ଷରୁ କୁହାଯାଉଥିଲା । ମାତ୍ର ବାଇଡ଼େନ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ ହେବା ଚୂଡ଼ାନ୍ତ ହେବା ପରେ କମଳାଙ୍କୁ ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ଲଢ଼ିବାକୁ ଦଳ ମନୋନୀତ କରିଛି ।

ଏହା ପୂର୍ବରୁ ରିପବ୍ଲିକାନ ପାର୍ଟି ପକ୍ଷରୁ ୨୦୦୮ରେ ସାରା ପୌଲିନଙ୍କୁ ପ୍ରାର୍ଥୀ କରିଥିଲା ଓ ୧୯୮୪ ମସିହାରେ ଡ଼େମୋକ୍ରାଟିକ୍ ପାର୍ଟି ଗିରାଲାଡ଼ିନ ଫେରାରୋଙ୍କୁ ନିର୍ବାଚନରେ ଉପରାଷ୍ଟ୍ରପତି ପଦ ନିମନ୍ତେ ଠିଆ କରାଇଥିଲା । ମାତ୍ର ଉଭୟ ଶ୍ଵେତାଙ୍ଗ ମହିଳା ନିର୍ବାଚନରେ ହାରି ଯାଇଥିଲେ । କମଳା କାଲିଫର୍ଣିଆର ଆଟର୍ଣ୍ଣି ଜେନେରାଲ ରୂପେ କାର୍ଯ୍ୟ କରିଛନ୍ତି ଓ ପୁଲିସ ସଂସ୍କାରର ସେ ବଡ଼ ସମର୍ଥକ । ନଭେମ୍ବର ୩ରେ ହେବାକୁଥିବା ନିର୍ବାଚନରେ ତାଙ୍କର ପ୍ରତିଦ୍ୱନ୍ଦିତା ଟ୍ରମ୍ପଙ୍କ ସହଯୋଗୀ ତଥା ଏବର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସହ ହେବ ।

କମଳା ଭାରତୀୟ ବଂଶୋଦ୍ଭବ ଓ ଜାମାଇକାର ବାସିନ୍ଦା । କମଳାଙ୍କ ମା’ ଭାରତୀୟ ଓ ପିତା ଜାମାଇକାନ । ତାଙ୍କର ଜନ୍ମ କାଲିଫର୍ଣିଆର ଅକଲାଣ୍ଡରେ ହୋଇଥିଲା ଓ ସେ ହାଭାର୍ଡ଼ ବିଶ୍ଵବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ଅନ୍ୟପକ୍ଷରେ କମଳା ମଧ୍ୟ ବାଇଡ଼େନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଟ୍ୱିଟରରେ କମଳା ଲେଖିଛନ୍ତି ଯେ ମୁଁ ମୋ ଦଳ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ମନୋନୀତ ହୋଇଥିବାରୁ ଗର୍ବ ଅନୁଭବ କରୁଛି ଏବଂ ମୋର କମାଣ୍ଡର ଇନ ଚିଫ୍ (ରାଷ୍ଟ୍ରପତି) ଯାହା ଆଦେଶ ଦେବେ ତାହା କରିବି ବୋଲି କହିଛନ୍ତି । ବୁଧବାର କମଳା ଓ ବାଇଡ଼େନ ଡ଼େଲବେୟରରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

3 × two =

error: Content is protected !!
Open chat