କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ତୃତୀୟ ରାଷ୍ଟ୍ର ଭାବେ ୧୦ ଲକ୍ଷ ପାର କଲା

0 331
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭: ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଯାଇଛି। ପୂର୍ବରୁ ଆମେରିକା ଏବଂ ବ୍ରାଜିଲ୍‌ରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିସାରିଛି। ଦେଶରେ କ‌ରୋନା ସଂକ୍ରମଣ ୯ ଲକ୍ଷ ଟପିବାର ମାତ୍ର ୩ ଦିନ ପରେ ୧୦ ଲକ୍ଷ ଟପିଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ସର୍ବାଧିକ ୩୪ ହଜାର ୯୫୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ୩ ହଜାର ୮୩୨ ରହିଛି ।

ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୨୫ ହଜାର ୬୦୨ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୮୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ସଂକ୍ରମଣ ୧୦ ଲକ୍ଷ ଟପିଥିଲେ ମଧ୍ୟ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୩ ଲକ୍ଷ ୪୨ ହଜାର ୪୭୩ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୨ ହଜାର ୯୪୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ୍‌ ୬ ଲକ୍ଷ ୩୫ ହଜାର ୭୫୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଲଗାତାର ୬ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୨୮ ହଜାରରୁ ଅଧିକ ରହୁଛି। ଦେଶରେ ପ୍ରଥମ ୧ ଲକ୍ଷ ମାମଲା ପାଇଁ ୧୧୦ ଦିନ ଲାଗିଥିଲା କିନ୍ତୁ ମାମଲା ୧ ଲକ୍ଷରୁ ୯ ଲକ୍ଷରେ ପହଞ୍ଚିବାପାଇଁ ୫୯ ଦିନ ଲାଗିଥିଲା।

୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ସଂକ୍ରମଣ ମାମଲା ଖୁବ୍‌ କମ୍‌ ଅଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ଆସନ୍ତା ମାସଗୁଡ଼ିକରେ ଭାରତରେ ସଂକ୍ରମଣ ମାମଲା ବୃଦ୍ଧି ପାଇବ। ସଂକ୍ରମଣର ଶୀର୍ଷରେ ପହଞ୍ଚିବାପାଇଁ ଆହୁରି ଅନେକ ଦିନ ଲାଗିଯିବ ବୋଲି ମହାମାରୀ ‌ରୋଗ ବିଶେଷଜ୍ଞମାନେ କହୁଛନ୍ତି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଜୁଲାଇ ୧୬ ପର୍ଯ୍ୟନ୍ତ ୧ କୋଟି ୩୦ ଲକ୍ଷ ୭୨ ହଜାର ୭୧୮ ନମୁନା ପରୀକ୍ଷା କରାଯାଇଛି। କେବଳ ଗୁରୁବାର ଦିନ ୩ ଲକ୍ଷ ୩୩ ହଜାର ୨୨୮ ନମୁନା ପରୀକ୍ଷା ହୋଇଛି। ତେବେ ପ୍ରତି ୧୦ ଲକ୍ଷରେ ଦେଶରେ ସଂକ୍ରମଣ ୬୫୮ ରହୁଛି। ଯାହା ୟୁ‌ରୋପୀୟ ରାଷ୍ଟ୍ରମାନଙ୍କଠାରୁ ୪ରୁ ୮ ଗୁଣା କମ୍‌। ତେବେ ଭାରତ‌ ତୁଳନାରେ ରୁଷ୍‌ ଏବଂ ଆମେରିକାରେ ପ୍ରତି ୧୦ ଲକ୍ଷରେ ସଂକ୍ରମଣ ମାମଲା ୮ ଏବଂ ୧୬ ଗୁଣା ଅଧିକ ରହୁଛି।

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୬୬, କର୍ଣ୍ଣାଟକରେ ୧୦୪, ତାମିଲନାଡ଼ୁରେ ୬୯ ଏବଂ ଦିଲ୍ଲୀରେ ୫୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏଯାବତ୍‌ ହୋଇଥିବା ମୋଟ୍‌ କୋଭିଡ୍‌ ମୃତ୍ୟୁ ୨୫ ହଜାର ୬୦୨ ରୁ ମହାରାଷ୍ଟ୍ରରେ ସର୍ବାଧିକ ୧୧ ହଜାର ୧୯୪, ଦିଲ୍ଲୀରେ ୩ ହଜାର ୫୪୫, ତାମିଲନାଡ଼ୁରେ ୨,୨୩୬, ଗୁଜରାଟରେ ୨,୦୮୯, ଉତ୍ତରପ୍ରଦେଶରେ ୧,୦୪୬,‌ କର୍ଣ୍ଣାଟକରେ ୧,୦୩୨ , ପଶ୍ଚିମବଙ୍ଗରେ ୧,୦୨୩, ମଧ୍ୟପ୍ରଦେଶ‌େ ର ୬୮୯ ଏବଂ ରାଜସ୍ଥାନରେ ୫୩୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ମାମଲା ୨ ଲକ୍ଷ ୮୪ ହଜାର ୨୮୧ ରହିଛି ଏବଂ ତାମିଲନାଡ଼ୁରେ ୧ ଲକ୍ଷ ୫୬ ହଜାର ୩୬୯, ଦିଲ୍ଲୀରେ ୧ ଲକ୍ଷ ୧୮ ହଜାର ୬୪୫ ରହିଛି। ତେବେ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୧ ଲକ୍ଷ ୧୪ ହଜାର ୯୪୭ ରହିଛି। ଅନ୍ୟପକ୍ଷେ ତାମିଲନାଡ଼ୁରେ ସକ୍ରିୟ ମାମଲା ୪୬ ହଜାର ୭୧୭ ରହିଛି।

Leave A Reply

Your email address will not be published.

eleven + three =

error: Content is protected !!
Open chat