କରୋନା ପ୍ରଭାବ: ସଂସଦ ସଦସ୍ୟଙ୍କ ବେତନ, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ବିଲ ଲୋକସଭାରେ ପାସ

0 402
greentech

ଦୁଇ ବର୍ଷ ଯାଏ ସାଂସଦଙ୍କ ହାତପାଣ୍ଠି ସ୍ଥଗିତ : ବର୍ଷକ ପର୍ଯ୍ୟନ୍ତ ୩୦% ଦରମା ହ୍ରାସ ବିଲ ଲୋକସଭାରେ ପାସ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୯ : ଆଜି ସଂସଦ ସଦସ୍ୟଙ୍କ ବେତନ, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ବିଲ୍ ଲୋକସଭାର ମଞ୍ଜୁରୀଲାଭ କରିଛି । ଏହା ଅନୁସାରେ, ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ସାଂସଦଙ୍କ ଦରମା  ୩୦ ପ୍ରତିଶତ ହ୍ରାସ ପାଇବ। ଏହାଛଡା ପ୍ରତ୍ୟେକ ସାଂସଦ ହାତପାଣ୍ଠି ବାବଦରେ ମିଳୁଥିବା ବାର୍ଷିକ ୫ କୋଟି ଟଙ୍କା ଅନୁଦାନ ୨ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିବ । କାଟ କରାଯାଇଥିବା ଏହି ଟଙ୍କାର ବ୍ୟବହାର କରୋନା ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ସ୍ଥିତି ସହ ଲଢିବା ପାଇଁ କରାଯିବ।

ସୋମବାର ଲୋକସଭାରେ  ସଂସଦୀୟ ବ୍ୟାପାର ମନ୍ତ୍ରୀ  ପ୍ରହ୍ଳାଦ ଯୋଶୀ ସଂସଦର ନିମ୍ନକକ୍ଷରେ ସାଂସଦଙ୍କ ବେତନ, ଭତ୍ତା ଏବଂ ପେନଶନ୍ ସଂଶୋଧନ ବିଲ୍ ୨୦୨୦କୁ ଆଗତ କରିଥିଲେ। ଏହି ବିଲରେ ସାଂସଦଙ୍କ ବେତନ, ଭତ୍ତା ଏବଂ ପେନାନ ଅଧ୍ୟାଦେଶ ୨୦୨୦ର ସ୍ଥାନ ନେବ। ଆର୍ଟିକିଲ ୧୦୬ ଅନୁଯାୟୀ ସରକାର ଏହି ସଂଶୋଧନ କରିଛନ୍ତି। ଯେଉଁଥିରେ ସାଂସଦଙ୍କ ଦରମା ୧ ବର୍ଷ ପର୍ଯ୍ୟନ୍ତ କାଟ୍ କରାଯିବ। ଏଥିରେ କେବଳ ସାଂସଦ ନୁହଁନ୍ତି ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ସାଂସଦ ରହିଛନ୍ତି। ବିଲ୍ ଅନୁଯାୟୀ ଦରମାରେ ହ୍ରାସ ପାଇବା ୧ ଅପ୍ରେଲ ୨୦୨୦ରୁ ଆଗାମୀ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ।

ସଂସଦର ଦୁଇ ସଦନରେ ୭୯୦ ସାଂସଦ ଅଛନ୍ତି । ଏମାନଙ୍କ ମଧ୍ୟରୁ ଲୋକସଭାର ସଦସ୍ୟ ସଂଖ୍ୟା ୫୪୫ ଓ ରାଜ୍ୟସଭାରେ ୨୪୫ । ବର୍ତମାନ ଲୋକସଭାରେ ୫୪୨ ଜଣ ଓ ରାଜ୍ୟସଭାରେ ୨୩୮ ଜଣ ସଦସ୍ୟ ରହିଛନ୍ତି । ଏହି ଆଦାରରେ ବର୍ତମାନର ୭୮୦ ଜଣ ସାଂସଦଙ୍କ ନିମନ୍ତେ ଦରମା ଓ ଆନୁଷଙ୍ଗିକ ଭତ୍ତା ହ୍ରାସ ପରେ ମାସିକ ୨.୩୪ କୋଟି ଟଙ୍କା ସଞ୍ଚୟ ହେବା ଆଶା ରହିଛି । ସେହିପରି ସାଂସଦ କ୍ଷେତ୍ର ବିକାଶ ନିଧି (ଏମପିଲାଡ଼ ) ସମ୍ପର୍କରେ କେନ୍ଦ୍ର ସରକାର କହିଛନ୍ତି ଯେ ସାଂସଦ ହାତପାଣ୍ଠିକୁ ବର୍ତମାନ ସମୟରେ ଅସ୍ଥାୟୀ ଭାବରେ ୨ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି । ଲୋକଙ୍କ ସହାୟତା ନିମନ୍ତେ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ୁଛି ଏବଂ ଏହା ତାହାର ଅଂଶବିଶେଷ । ସୂଚନାଯୋଗ୍ୟ ଯେ ୭୮୦ ଜଣ ସାଂସଦଙ୍କ ହାତପାଣ୍ଠି ସ୍ଥଗିତ କରାଯିବା ଦ୍ୱାରା ୨ ବର୍ଷରେ ୭୮୦୦ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ।

ସାଧାରଣତଃ ଦରମା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ଜଣେ ସାଂସଦଙ୍କୁ ମାସିକ ୨,୯୧,୮୩୩ ଟଙ୍କା ମିଳିଥାଏ । ଏହାମଧ୍ୟରେ ଦରମା ୧ ଲକ୍ଷ ଟଙ୍କା ଓ ଅବଶିଷ୍ଟ ୧,୯୧, ୮୩୩ ଟଙ୍କା ହେଉଛି ଅନ୍ୟାନ୍ୟ ଭତ୍ତା।  ଅର୍ଥାତ୍ ଜଣେ ସାଂସଦଙ୍କ ପାଇଁ ବର୍ଷକୁ ୩୫ ଲକ୍ଷ ଟଙ୍କା ସରକାରଙ୍କୁ ଖର୍ଚ କରିବାକୁ ପଡ଼ିଥାଏ । କରୋନା ନିମନ୍ତେ ୩୦% ବେତନ ହ୍ରାସ ପରେ ସାଂସଦଙ୍କୁ ମାସିକ ୧ ଲକ୍ଷ ଟଙ୍କା ବଦଳରେ ୭୦ ହଜାର ଟଙ୍କା ଦରମା ମିଳିବ । ସେହିପରି ପୂର୍ବରୁ ମାସିକ ୭୦ ହଜାର ଟଙ୍କା ଦିଆଯାଉଥିବା ସାଂସଦ ନିଧିକୁ ହ୍ରାସ କରାଯାଇ ୪୯ ହଜାର ଟଙ୍କା କରି ଦିଆଯାଇଛି । କାର୍ଯ୍ୟାଳୟ ଭତ୍ତା ୬୦ ହଜାର ଟଙ୍କା ବଦଳରେ ୫୪ ହଜାର ଟଙ୍କା ମିଳିବ । ୫୪ ହଜାର ଟଙ୍କା ମଧ୍ୟରୁ ୪୦ ହଜାର ଟଙ୍କା ସାଂସଦଙ୍କ ସଚିବ ସହାୟତାରାଶି ଓ ୧୪ ହଜାର ଟଙ୍କା କାର୍ଯ୍ୟାଳୟ ଖର୍ଚ ମିଳିବ । ପ୍ରଧାନମନ୍ତ୍ରୀଙ୍କ ଭତ୍ତା ମାସିକ ୩୦୦୦ ଟଙ୍କା ବଦଳରେ ୨୧୦୦ ଟଙ୍କା, କ୍ୟାବିନେଟ୍ ମନ୍ତ୍ରୀଙ୍କ ଭତ୍ତା ମାସିକ ୨୦୦୦ ଟଙ୍କା ବଦଳରେ ୧୪୦୦ ଟଙ୍କା ଓ ରାଷ୍ଟ୍ରମନ୍ତ୍ରୀଙ୍କ ଭତ୍ତା ୧୦୦୦ ବଦଳରେ ୭୦୦ ଟଙ୍କା ମିଳିବ ।

Leave A Reply

Your email address will not be published.

3 × 5 =

error: Content is protected !!
Open chat