କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ୱାସନା : ବଢୁଛି କରୋନା ସୁସ୍ଥ ହାର, କମୁଛି ମୃତ୍ୟୁ ହାର, ଭୟ ନ କରିବାକୁ କହିଲେ ଡକ୍ଟର ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଦେଶରେ ସାଂଘାତିକ ଭାବେ ବିଶେଷ କରି ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସହ ଏହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି। କରୋନାକୁ ଭୟ ବଢୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ଭଲ ଖବର ଶୁଣାଇଛନ୍ତି। ହେଲେ ଆଜି (ଶୁକ୍ରବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ନିଶ୍ଚିତ ଭାବେ ସମସ୍ତଙ୍କ ମନରୁ ଭୟ ଦୂର କରିଦେବ। କାରଣ ଏହି ରିପୋର୍ଟ ଅନଯାୟୀ ଦେଶରେ କୋଭିଡ-19 ସଂକ୍ରମିତଙ୍କ ସୁସ୍ଥ ହାରରେ ଯଥେଷ୍ଟ ଉନ୍ନତି ଘଟୁଛି। ଏହା ୬୨.୪୨ ପ୍ରତିଶତରେ ପହଞ୍ଚିଛି। ଅନ୍ୟପକ୍ଷରେ ମୃତ୍ୟୁ ହାର ୨.୭୨ ପ୍ରତିଶତକୁ ଖସିଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ପଜିଟିଭ୍ ସଂଖ୍ୟା ବଢୁଛି କିନ୍ତୁ ଏହାଠୁ ଅଧିକ ମାତ୍ରାରେ ସୁସ୍ଥ ହେଉଛନ୍ତି । ଏପରିକି ବର୍ତ୍ତମାନ ଦେଶରେ ସୁସ୍ଥ ହାର ପାଖାପାଖି ୬୩ ପ୍ରତିଶତ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି, ଭାରତରେ କରୋନା ରୋଗୀଙ୍କ ସୁସ୍ଥତା ହାର ପ୍ରାୟ ୬୩% ଥିବା ବେଳେ ମୃତ୍ୟୁ ହାର ମାତ୍ର ୨.୭୨ ପ୍ରତିଶତ ରହିଛି।
ଭୟ କରନ୍ତୁ ନାହିଁ କାରଣ ଦେଶରେ କରୋନା ମୃତ୍ୟୁ ହାର ମାତ୍ର ୨.୭୨ ପ୍ରତିଶତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଆଜି ଦେଶବାସୀଙ୍କୁ ସୁସ୍ଥ ହାର ବଢିବା ସହ ମୃତ୍ୟୁ ହାର କମିବା ନେଇ ଏକ ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ, ଏହା ଫଳରେ ଆକ୍ରାନ୍ତଙ୍କୁ ଠିକଣା ସମୟରେ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା ଦିଆଯାଇ ପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।