
ନୁଆଦିଲ୍ଲୀ / ମସ୍କୋ: କୋଭିଡ୍-୧୯ ସଂକ୍ରମଣରୁ ରକ୍ଷା ପାଇବାକୁ ରୁଷ୍ ନୂଆ ଟିକା ଉତ୍ପାଦନ ଆରମ୍ଭ କରିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଠାରୁ ସୂଚନା ପାଇ ‘ଇଣ୍ଟର୍ଫ୍ୟାକ୍ସ’ ନିଉଜ୍ ଏଜେନ୍ସି ଶନିବାର ଦିନ ରିପୋର୍ଟ କରିଛି।ରୁଷ୍ କହିଛି ଯେ, ମସ୍କୋର ଗାମାଲେୟା ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ କରୋନାଭାଇରସ୍ ନିରୋଧୀ ଏହି ପ୍ରଥମ ଟିକା ଏ ମାସ ଶେଷ ସୁଦ୍ଧା ସର୍ବସାଧାଣଙ୍କ ପାଇଁ ଉପଲବ୍ଧ ହେବ। ରୁଷ୍ ଏ ଭଳି ଘୋଷଣାରେ ସନ୍ଦେହ ପ୍ରକଟ କରି କେତେକ ବୈଜ୍ଞାନିକ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ, ମସ୍କୋ ସୁରକ୍ଷା ଅପେକ୍ଷା ଜାତୀୟ ସମ୍ମାନ ଉପରେ ଗୁରୁତ୍ବ ଦେଉଥାଇ ପାରେ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଗତ ବୁଧବାର ଦିନ ରୁଷ୍ର ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରସ୍କୋ କହିଥିଲେ ଯେ, ଦୁଇ ସପ୍ତାହ ମଧ୍ୟରେ କୋଭିଡ୍-୧୯ ଟିକା ଉତ୍ପାଦନ ଆରମ୍ଭ ହେବ। ରୁଷ୍ରେ ଥିବା ଟିକା କାରଖାନାରୁ ଉତ୍ପାଦନ ହେବାକୁ ଥିବା ଏହି ଟିକା ପ୍ରଥମେ ରୁଷୀୟମାନଙ୍କ ଆବଶ୍ୟକତା ମେଣ୍ଟାଇବାକୁ ରୁଷ୍ ବଜାରକୁ ଛଡ଼ାଯିବ। ଯଥେଷ୍ଟ ପରିମାଣର ଟିକା ଉତ୍ପାଦନ ହେବା ପରେ ଯାଇ ଅନ୍ୟାନ୍ୟ ଦେଶକୁ ଟିକା ଛଡ଼ାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଟିକାର ଫଳପ୍ରଦତା ଉପରେ ବିଦେଶୀ ରାଷ୍ଟ୍ରମାନେ କରୁଥିବା ସନ୍ଦେହ ଭିତ୍ତିହୀନ।ଟିକା ଉତ୍ପତ୍ତି ହୋଇଥିବା ପ୍ଲାଟ୍ଫର୍ମକୁ ତନ୍ନତନ୍ନ କରି ଅଧ୍ୟୟନ କରାଯାଇଛି।
ଟିକାର ସୁରକ୍ଷା ଉପରେ ଗ୍ୟାରେଣ୍ଟି ଦେବାକୁ ଏହାର ବିକଶିତ କରିଥିବା ବ୍ୟକ୍ତିବିଶେଷ ଯଥେଷ୍ଟ ପରିମାଣର ବୈଜ୍ଞାନିକ ତଥ୍ୟ ଏକତ୍ର କରିଛନ୍ତି।ସରକାରୀ ଅଧିକାରୀମାନଙ୍କ ସହ ଏକ ଅନ୍ଲାଇନ୍ ବୈଠକରେ ମଙ୍ଗଳବାର ଦିନ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ବିଶ୍ବର ପ୍ରଥମ ପଞ୍ଜିକୃତ କରୋନାଭାଇରସ୍ ବିରୋଧୀ ଟିକା ଘୋଷଣା କରିଥିଲେ। ଗାମାଲେୟା ନ୍ୟାସ୍ନାଲ୍ ସେଣ୍ଟର୍ ଅଫ୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ଏହି ଟିକାର ନାଁ ଦିଆଯାଇଛି ‘ସ୍ପୁଟ୍ନିକ୍-୫’।