![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ସାଲେପୁର,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ସାଲେପୁର ଅଞ୍ଚଳର କୋଭିଡ୍ ଯୋଦ୍ଧା ଏସ୍.ଆଇ. ନିମାଇଁ ଚରଣ ମହାପାତ୍ରଙ୍କ ଅକାଳ ବିୟୋଗରେ ସାଲେପୁର ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାଲେପୁର ଥାନାରେ ପ୍ରାୟ ଦୁଇ ବର୍ଷ ଧରି ଏ.ଏସ୍.ଆଇ. ଭାବେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ଏସ୍.ଆଇ. ଭାବେ ତାଙ୍କର ବଦଳି ହୋଇଥିଲା । ଗତ ମାର୍ଚ୍ଚ ମାସରେ ସେ କିଛି ଦିନ ପାଇଁ ଡେପୁଟେସନରେ ସାଲେପୁର ଥାନାରେ ଏସ.ଆଇ. ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ । ସାଲେପୁର ଥାନାରେ କାର୍ଯ୍ୟରତ ଥିବା ବେଳେ ସେ ଜନସାଧାରଣଙ୍କର ନିକଟତର ହୋଇପାରିଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ସ୍ନେହୀ ଓ ମେଳାପୀ ଅଧିକାରୀ ଭାବେ ପରିଚିତ ଥିଲେ । ବିଶେଷ କରି ସାଲେପୁରରେ ଆୟୋଜିତ ବିଭିନ୍ନ ରାଜନୈତିକ ସଭାସମିିତି ହେଉ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ସେ ସବୁକୁ ସେ ଶୃଙ୍ଖଳାର ସହିତ ପରିଚାଳନା କରିପାରୁଥିଲେ । ବିଶେଷ କରି ଦଶହରାର ଦୁର୍ଗାପୂଜା ଓ ଦୋଳ ମେଳନ ବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସେ ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇପାରିଥିଲେ ।
![](https://i0.wp.com/kalingajyoti.com/wp-content/uploads/2020/10/file-Photo-of-Late-Police-S.I.-Nimain-Charan-Mohapatra.jpeg?resize=720%2C723&ssl=1)
ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାଲେପୁର ଥାନାର କର୍ମଚାରୀ ଓ ଅଂଚଳବାସୀ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ସାଲେପୁର ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ, ସାଲେପୁର ଥାନାର ପ୍ରାକ୍ତନ ଆଇ ଆଇ ସି ପ୍ରଶାନ୍ତ କୁମାର ମାଝି, ଏସ୍ ଆଇ ପ୍ରଭାକର ରାଉତ, ଝରଣା ପ୍ରଧାନ, ସଂଯୁକ୍ତା ଖିଲାର, ସତ୍ୟନାରାୟଣ ପାଢୀ, ଏ ଏସ୍ ଆଇ ତ୍ରିଲୋଚନ ନାୟକ, ସାଲେପୁରର ବିଜେପି ନେତା ତଥା କଟକ ଜିଲ୍ଳା ବିଜେପି ସଭାପତି ଶ୍ରୀଯୁ୍କ୍ତ ପ୍ରକାଶ ବେହେରା, କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, ସାଲେପୁର ବ୍ଲକ ଆତ୍ମାସଭାପତି ଦିଲ୍ଲୀପ ଦାଶ, କଂଗ୍ରେସ ନେତା ରବିନ୍ଦ୍ରନାଥ କର, ପିକଳ ସରପଂଚ ରଂଜିତ୍ ଦାସ, ରାଇସୁଙ୍ଗୁଡା ପଂଚାୟତର ପ୍ରାକ୍ତନ ସରପଂଚ ବେଣୁଧର ପ୍ରଧାନଙ୍କ ସମେତ ସାଲେପୁର ଅଂଚଳର ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।