କୋଭିଡ-୧୯ ସତ୍ତ୍ବେ ଦେଶରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହୋଇଛି : ପ୍ରଧାନମନ୍ତ୍ରୀ ମୋଦୀ

0 432
greentech

ନୂଆଦିଲ୍ଲୀ : କୋଭିଡ-୧୯ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ଉତ୍‍ଥାନ ପତନ ସତ୍ତ୍ବେ ଅର୍ଥନୈତିକ ସୁଧାର ଘଟୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଭାରତୀୟ ଶିଳ୍ପ ବଣିକ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‍ଘାଟନୀ ଅଭିଭାଷଣ ଦେଇ ଶ୍ରୀ ମୋଦୀ କହିଛନ୍ତି ବିଭିନ୍ନ ଅର୍ଥନୈତିକ ସୂଚକାଙ୍କରୁ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ନେଇ ସଙ୍କେତମାନ ମିଳୁଥିବାରୁ ଏହା ସମସ୍ତଙ୍କ ମନରେ ଆଶାର କିରଣ ସଞ୍ଚାର କରିଛି।
ସେ କହିଛନ୍ତି ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ କିଛି ଶିକ୍ଷାଲାଭ କରିଛି। ପ୍ରଧାନମନ୍ତ୍ରୀ ଏଥିପାଇଁ ଦେଶର ଉଦ୍ୟୋଗପତି, ଯୁବସମାଜ, କୃଷକ ଓ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେଉଁ ଦେଶ କୋଭିଡ-୧୯ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣ ସମୟରେ ଏହାର ଅଧିକାଂଶ ନାଗରିକଙ୍କର ଜୀବନରକ୍ଷା କରିପାରିଛି ସେ ଦେଶ ନିଶ୍ଚିତ ଭାବେ ସବୁ କ୍ଷେତ୍ରରେ ପୁନର୍ବାର ଅଗ୍ରଗତି ପଥରେ ଆଗେଇ ଚାଲିବ। ସେ କହିଛନ୍ତି ଭାରତ ଏହାର ନାଗରିକମାନଙ୍କର ଜୀବନକୁ ସବୁଠୁ ଅଧିକ ମୂଲ୍ୟବାନ ବିବେଚନା କରେ ଓ ସେମାନଙ୍କର ଜୀବନ ରକ୍ଷା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି।
କୋଭିଡର ମୁକାବିଲାରେ ଦେଶ ଅନେକ ଅଦ୍ଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛି।

ସେ କହିଛନ୍ତି, ବିଦେଶୀ ପୁଞ୍ଜିନିବେଶକାରୀମାନେ କୋଭିଡ ସମୟରେ ମଧ୍ୟ ଭାରତରେ ରେକର୍ଡ ପରିମାଣର ପୁଞ୍ଜିନିବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବେସରକାରୀ କ୍ଷେତ୍ର କେବଳ ଦେଶୀୟ ଚାହିଦା ପୂରଣ କରିନାହିଁ, ବିଦେଶରେ ମଧ୍ୟ ଭାରତୀୟ ସାମଗ୍ରୀର ଚାହିଦା ବୃଦ୍ଧି କରାଇ ପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଉତ୍ତମମାନର ପଦାର୍ଥ ଉତ୍ପାଦନ କରିବା ଓ ଭାରତୀୟ ଶିଳ୍ପଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ସମକକ୍ଷ ଓ ପ୍ରତିଯୋଗିତା ସମ୍ପନ୍ନ କରାଇବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରାଯାଇଛି। ସେ କହିଛନ୍ତି ଏକ ଦକ୍ଷ ସରକାର କେବେ ନିଜ ପାଖରେ ସମସ୍ତ କ୍ଷମତା ରଖିବାକୁ ଚାହେଁ ନାହିଁ। ଏକ ଉପଯୁକ୍ତ ସରକାର ସବୁ କ୍ଷେତ୍ର ସେମାନଙ୍କର ପ୍ରତିଭାର ସର୍ବାଧିକ ଉପଯୋଗ କରିବାକୁ ସର୍ବଦା ଚାହିଁବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ୬ ବର୍ଷ ଧରି ଭାରତରେ ଏଭଳି ଘଟି ଆସୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଉଦ୍ୟୋଗ ଟିକସ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ସବୁଠୁ କମ୍‍ ରହିଛି।
ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ବ୍ୟକ୍ତିଗତ ଭାବେ ନଯାଇ ଟିକସ ଦାଖଲ ହୋଇ ପାରୁଛି ଓ ଆବେଦନ କରାଯାଇ ପାରୁଛି। ଶ୍ରୀ ମୋଦୀ କହିଛନ୍ତି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାର ଯୋଗୁଁ ଅବାଞ୍ଛିତ ନିୟମଗୁଡ଼ିକୁ ଦୂର କରାଯାଇ ପାରିଛି। ଏଥିପାଇଁ ସେ କୃଷିକ୍ଷେତ୍ରର ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଅର୍ଥନୀତିରେ ବିଭିନ୍ନ କ୍ଷେତ୍ର ପରସ୍ପର ପ୍ରତି ପ୍ରତିବନ୍ଧକ ହେବା ଉଚିତ୍‍ ନୁହେଁ, ବରଂ ପରସ୍ପରକୁ ସହଯୋଗ କରିବା ଉଚିତ୍‍।
ସେ କହିଛନ୍ତି ଭାରତରେ ବିଶ୍ୱର ସର୍ବବୃହତ ସିଧାସଳଖ ବ୍ୟାଙ୍କ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। କିଛିଦିନ ପୂର୍ବେ ଏକ ଆନ୍ତର୍ଜାତିକ ସ୍ତରର ପତ୍ରିକାରେ ଏହାର ଭୂୟସୀ ପ୍ରଶଂସା କରାଯାଇଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ସେ କହିଛନ୍ତି ଭାରତରେ କୋଟି କୋଟି ଟଙ୍କା ଗରିବ ଲୋକମାନଙ୍କ ପାଖରେ ସିଧା ସେମାନଙ୍କ ବ୍ୟାଙ୍କ ଜମାଖାତା ମାଧ୍ୟମରେ ସହାୟତା
ପହଞ୍ଚି ପାରିଛି। କୋଭିଡ ସଂକ୍ରମଣ ସମୟରେ ୟୁପିଆଇ ମାଧ୍ୟମରେ ୪ଲକ୍ଷ କୋଟିରୁ ଅଧିକ ଅର୍ଥ ପ୍ରତିମାସରେ କାରବାର ହୋଇଛି। ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ କ୍ଷୁଦ୍ର ବୁଲାବିକାଳିମାନେ ଡିଜିଟାଲ ପେମେଣ୍ଟ ସୁବିଧା ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

18 − 18 =

error: Content is protected !!
Open chat