![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: କୋରନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ଥିତି ଅଣୟାତ ହେବା ପରେ ପ୍ରଥମ ଥର ପାଇଁ ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ସାମିଲ କରିବା ଲାଗି ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ଚିଠି ଲେଖି ‘କୋଭିଡ-୧୯’ ସଚେତନତା ପାଇଁ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।
ବିଧାୟକମାନେ ନିଜ ନିଜ ଜିଲ୍ଲାର ମୁଖ୍ୟାଳୟରେ ରହି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହେବେ। ଆଜି ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ବୈଠକରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସମ୍ମାନରେ ଏକ ମିନିଟର ନିରବ ପ୍ରାର୍ଥନା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାଗତ ଭାଷଣ, ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବ ସୂଚନା ଦେବେ।
ଏହାପରେ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ୧୦ମିନିଟ୍ ଲେଖାଏଁ ନିଜର ମତ ରଖିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକମାନଙ୍କୁ ସମ୍ବୋଧିତ କରିବେ। କଟକ,ଖୋର୍ଦ୍ଧା ଓ ଗଞ୍ଜାମ ଭଳି ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ସ୍ଥାନରେ ସାମାଜିକ ଦୂରତ୍ୱ ପାଳନ ନିମନ୍ତେ ବିଧାୟକମାନଙ୍କ ପାଇଁ ଭିଡିଓ କନ୍ସଫରେନ୍ସିଂ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।