କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

0 354
greentech

ଓଡ଼ିଶାରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର/କୋରାପୁଟ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୮ : ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି । ଅଧିକରୁ ଅଧିକ କୋଭିନ ରୋଗୀ ଏହି ଚିକିତ୍ସା ପଦ୍ଦତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ଼ ରୋଗ ପୀଇଁ ପ୍ଲାଜମା ଚିକିତ୍ସା ପଦ୍ଧତିରେ ଓଡ଼ିଶା କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଏକ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି । ଆମର ଡାକ୍ତର ଓ ମେଡ଼ିକାଲ ଟିମ୍‌ର ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଏହା ସଫଳ ହୋଇପାରିଛି ଏବଂ ଆମେ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର ସବୁ ନାଗରିକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଂଚିତ ହେବେ ନାହିଁ । ବର୍ତମାନ ଏହି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ୱାରା ରାଜ୍ୟର ସବୁ ଅଂଚଳର କୋଭିଡ଼ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ ।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ୱାରା ସେହି ଅଂଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି ବୋଲି ସେ କହିଥିଲେ ।

ଏହି ଅବସରରେ କୋଭିଡ଼ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥିରେ ଆହ୍ୱାନ ଜଣାଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଥିଲେ ଯେ, କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବାଦ୍ୱାରା ଓଡ଼ିଶାର ଦକ୍ଷିଣାଂଚଳର କୋଭିଡ଼ ରୋଗୀମାନେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସଫଳ କରି ପ୍ଲାଜମା ଦାନ କରିବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଆଗେଇ ଆସିବାକୁ ଦୁଇ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପର କରିଥିଲେ । ପ୍ଲାଜମା ବ୍ୟାଙ୍କ୍‌ ସମ୍ପର୍କରେ ଏକ ଭିଡ଼ିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଜଣେ ପ୍ଲାଜମା ଦାତାଙ୍କ ସହ କଥାହୋଇ ତାଙ୍କର ମହନୀୟତା ପାଇଁ ଧନ୍ୟବାଦ ଜଣାଇଥିଲେ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସରକା, ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave A Reply

Your email address will not be published.

one × 2 =

error: Content is protected !!
Open chat