ଭୁବନେଶ୍ବର : ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଡାକ୍ତରୀ ଓ ଇଂଜିନୟରିଂ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ। ଆଗାମୀ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବା ପାଇଁ ଏକ ସଂକଳ୍ପ କ୍ୟାବିନେଟରେ ପାରିତ ହୋଇଛି। ଏହାକୁ ଚଡାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ କରାଯିବ।
ସେହିପରି ଲୋକପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ବାଧ୍ୟତା ମୂଳକ କରାଯାଇଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ। ଏହାକୁ ଜନସାଧାରଣଙ୍କ ସୂଚନା ନିମନ୍ତେ ଏକ ପବ୍ଳିକ ଡୋମେନରେ ରଖାଯିବ। ସେହିଭଳି ସରକାରୀ କର୍ମଚାରୀମାନେ ଏଣ୍ଟ୍ରି ସ୍ତରରୁ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ପ୍ରତିବର୍ଷ ସେମାନଙ୍କର ସଂମ୍ପତ୍ତି ତାଲିକା ଦେବେ ଏବଂ ଏହାକୁ ମଧ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ ଏକ ପବ୍ଳିକ ଡୋମେନରେ ରଖାଯିବ। ଲୋକପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ତାଲିକାର ଏକକିତା ନକଲ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ।
ସେହିପରି ସ୍କୁଲ ପାଠ୍ୟକ୍ରମରେ ଓଡ଼ିଶାର ବରପୁତ୍ରଙ୍କ ଜୀବନୀ, କାର୍ଯ୍ୟ ଓ କୃତୀ ବିଷୟ ସ୍ଥାନ ପାଇବ।