ଗଣତନ୍ତ୍ର ସଂରକ୍ଷଣ ପାଇଁ ଜରୁରୀ ପରିସ୍ଥିତି ବେଳେ ତ୍ୟାଗ ସ୍ବୀକାର କରିଥିବା ବ୍ୟକ୍ତିଙ୍କୁ ଭାରତ ଭୁଲିଯିବ ନାହିଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) : ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତିର ୪୫ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ଗଣତନ୍ତ୍ର ନିମନ୍ତେ ଯେଉଁମାନେ ଅସୀମ ତ୍ୟାଗ ସ୍ବୀକାର କରିଛନ୍ତି ଭାରତ ସେମାନଙ୍କୁ ସ୍ମରଣ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ର ସଂରକ୍ଷଣ ପାଇଁ ଜରୁରୀ ପରିସ୍ଥିତି ବେଳେ ତ୍ୟାଗ ସ୍ବୀକାର କରିଥିବା ବ୍ୟକ୍ତିଙ୍କୁ ଭାରତ ଭୁଲିଯିବ ନାହିଁ ।
ହିନ୍ଦୀରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଆଜି ଠାରୁ ଠିକ୍ ୪୫ ବର୍ଷ ତଳେ ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିଲା। ସେ ସମୟରେ ଭାରତରେ ଗଣତନ୍ତ୍ରର ରକ୍ଷା ନିମନ୍ତେ ଯେଉଁମାନେ ସଂଘର୍ଷ କରିଥିଲେ, ନିର୍ଯାତନା ସହ୍ୟ କରିଥିଲେ, ସେମାନଙ୍କୁ ଶତ ଶତ ପ୍ରଣାମ! ସେମାନଙ୍କ ତ୍ୟାଗ ଏବଂ ବଳିଦାନ ଦେଶ କେବେ ଭୁଲି ପାରିବ ନାହିଁ।
ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଜେପିର ଅନ୍ୟାନ୍ୟ ନେତାମାନେ ମଧ୍ୟ ୧୯୭୫ ମସିହା ଜରୁରୀ ପରିସ୍ଥିତି ଘୋଷଣା ପାଇଁ କଂଗ୍ରେସକୁ ସମାଲୋଚନା କରିଛନ୍ତି।
ଅମିତ ଶାହା କହିଛନ୍ତି, ଏବେ ମଧ୍ୟ କଂଗ୍ରେସରେ ଜରୁରୀପରିସ୍ଥିତି ଭଳି ମନୋଭାବ ରହିଛି।ନିର୍ମଳା ସୀତାରମଣ କହିଛନ୍ତି, ୪୫ ବର୍ଷ ତଳେ ଆଜିର ଦିନରେ କ୍ଷମତା ଲୋଲୁପୀ କଂଗ୍ରେସ ସରକାର ଜରୁରୀ ପରିସ୍ଥିତି ଜାରି କରି ଲୋକମାନଙ୍କର ଅଧିକାର ଛଡ଼ାଇ ନେଇଥିଲା। ସେହି ଦଳ ଯେତେବେଳେ ଗଣତନ୍ତ୍ର କଥା କହେ ଭାରି କଷ୍ଟ ଲାଗେ।