ଗରିବ ଗ୍ରାମବାସୀଙ୍କ ପାଇଁ “କୋଭିଡ୍-୧୯ ପ୍ୟାକେଜ” ଘୋଷଣା କଲେ ରାଜ୍ୟ ସରକାର: ରାଜ୍ୟର ଅର୍ଥନୀତି ସୁଧାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱାରୋପ

0 315
greentech
  • ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କରୋନା ପ୍ୟାକେଜ୍ ଘୋଷଣା
  • ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର ଟଙ୍କା ଋଣ
  • କୃଷି ଓ ଅଣ କୃଷି କ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ପାଇଁ କୋଭିଡ୍- ୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ଶ୍ରେଣୀର ଲୋକମାନେ ଲାଭବାନ ହୋଇପାରିବେ ବୋଲି କୁହାଯାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାରମାନଙ୍କ ଜୀବିକା ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଇତ୍ୟାଦି ଏହି ଦିଗରେ କାର୍ଯ୍ୟ କରିବେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ନିମନ୍ତେ ନିମ୍ନୋକ୍ତ ଚାରୋଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି।

ପ୍ୟାକେଜ-୧:ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦,୦୦୦ ଟଙ୍କା ପର୍ୟ୍ୟନ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାରର ସଦସ୍ୟ କୃଷି ଏବଂ ଅଣ କୃଷି ଉଦ୍ୟୋଗର ବିକାଶ ନିମନ୍ତେ ଏହି ଋଣ ନେଇ ପାରିବେ।
ପ୍ୟାକେଜ-୨:କୃଷି ଏବଂ ଅଣ କୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ୧,୫୦,୦୦୦ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ। ୬ମାସରୁ ଊର୍ଧ୍ୱ ଉଦ୍ୟୋଗ ଗୋଷ୍ଠୀ ଏବଂ ଏକ  ବର୍ଷରୁ ଊର୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
ପ୍ୟାକେଜ-୩:ଅତିଗରିବ କିମ୍ବା ଅସହାୟ ପରିବାର ଯଥା ଦିବ୍ୟାଙ୍ଗ,ଆଦିମ-ଜନଜାତି ବିଧବା,ତୃତୀୟଲିଙ୍ଗୀ,ନିରାଶ୍ରୟ,ମହିଳା ମୁଖ୍ୟ ଥିବା ପରିବାର ଇଦ୍ୟାଦିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦,୦୦୦ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ।
ପ୍ୟାକେଜ-୪:କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଭୟ ପୁରୁଣା ଉଦ୍ୟୋଗର ବିକାଶ ତଥା ନୂତନ ଉଦ୍ୟୋଗର ଆରମ୍ଭ ନିମନ୍ତେ ୧,୦୦,୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।

୬୦ ଲକ୍ଷରୁ ଉର୍ଦ୍ଧ୍ବ ଗ୍ରାମୀଣ ପରିବାରଙ୍କୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ରାଜ୍ୟ ଏକ ଶକ୍ତିଶାଳୀ ନେଟୱର୍କ ସୃଷ୍ଟି କରିଛି। ଏହି ନେଟୱାର୍କର ସହାୟତାରେ ଏହି ସ୍ୱତନ୍ତ୍ର ପ୍ୟାକେଜର କାର୍ଯ୍ୟକାରିତା ତଥା ପରିଚାଳନାକୁ ତ୍ବରାନ୍ବିତ କରାଯାଇପାରିବ। କୋଭିଡ-୧୯ ଦ୍ବାରା କ୍ଷତିଗ୍ରସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ସେମାନଙ୍କ ପରିବାରର ଉଦ୍ୟୋଗ ଗୁଡିକୁ ଏହି ପ୍ୟାକେଜ ମାଧ୍ୟମରେ ପୁନଃ-କାର୍ଯ୍ୟକ୍ଷମ କରାଯାଇପାରିବ। ଏହା ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ଉଦ୍ୟୋଗର ବିକାଶ ହେବା ସହିତ ଏହା ପ୍ରବାସୀ ଫେରନ୍ତାଙ୍କ ଦକ୍ଷତା ମୁତାବକ ସେମାନଙ୍କ ନିମନ୍ତେ ଉଦ୍ୟୋଗ ସ୍ଥାପନ କରିବାରେ ମଧ୍ୟ ସହାୟକ ହେବ।

ସେହିପରି ଦିବ୍ୟାଙ୍ଗ, ଆଦିମ ଜନଜାତି, ବିଧବା ଓ ତୃତୀୟ ଲିଙ୍ଗୀମାନଙ୍କୁ ମଧ୍ୟ ଉଦ୍ୟୋଗ ଗଠନ କରିବା ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆଦି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏ ଦିଗରେ କାର୍ଯ୍ୟ କରିବେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି ବୋଲି କୁହାଯାଇଛି। ଏହି ପ୍ୟାକେଜ କରୋନା ମହାମାରୀ ସମୟରେ ରାଜ୍ୟର ଗରିବ ଓ ଅତିଗରିବ ପରିବାର ଏବଂ ପ୍ରବାସୀ ଫେରନ୍ତାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.

fourteen + 4 =

error: Content is protected !!
Open chat