![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଦୀର୍ଘ ବର୍ଷ ଧରି ଚୀନ୍ର ଜିଞ୍ଜିଆଙ୍ଗ ପ୍ରଦେଶରେ ରହୁଥିବା ତୁର୍କୀର ସଂଖ୍ୟାଲଘୁ ଵିଘର ମୁସଲିମ୍ ମହିଳାମାନେ ଦେଶ ଭିତରେ ଓ ବାହାରେ ଚୀନୀ ସରକାରଙ୍କ ବିରୋଧରେ ନାନା ଅଭିଯୋଗ ଗୋପନରେ ଉଠାଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ବଳପ୍ରୟୋଗ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇବା, ସାଂସ୍କୃତିକ ସ୍ବଦେଶୀକରଣ ଏବଂ ଯୌନ ନିର୍ଯାତନା ଆଦି ରହିଛି। ତେବେ ସେମାନଙ୍କ ଉପରେ ବଢ଼ିଚାଲିଥିବା ଏଭଳି ନିର୍ଯାତନା ଅତିଷ୍ଠ ହେବା ପରେ ସେମାନେ ଧୀରେ ଧୀରେ ଏବେ ପ୍ରକାଶ୍ୟରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଜିଞ୍ଜିଆଙ୍ଗ୍ର ରାଜଧାନୀ ଉରୁମ୍କ୍ବି ବାସିନ୍ଦା ୩୮ ବର୍ଷୀୟା ଜୁମ୍ରାତ୍ ଦାଵତ୍ଙ୍କ କହିବା ହେଲା, ଚୀନ୍ର ଏକସନ୍ତାନି ନୀତି ଆଧାରରେ ତାଙ୍କର ଦୁଇଟି ସନ୍ତାନ ଥିବାରୁ ୨୦୧୮ ମସିହାରେ ତାଙ୍କଠାରୁ ଜଣେ ଅଧିକ ସନ୍ତାନ ପାଇଁ ୧୮,୪୦୦ ୟୁଆନ୍ ବା ୨,୬୦୦ ଡଲାର ଜରିମାନା ଆଦାୟ କରାଯାଇଥିଲା।
ଏପରିକି ପରେ ତାଙ୍କର ବଳପୂର୍ବକ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। କେବଳ ଜୁମାତ୍ କାହିଁକି, ହଜାର ହଜାର ଵିଘର ମହିଳା ଏପରି ଚୀନୀ ପ୍ରଶାସନ ଦ୍ବାରା ଅକଥନୀୟ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି। ଏପରିକି ସେଠାରେ ସେମାନେ ନର୍କତୁଲ୍ୟ ଜୀବନଯାପନ କରୁଛନ୍ତି ବୋଲି ଜିଞ୍ଜିଆଙ୍ଗରୁ ନିର୍ବାସନ ଦଣ୍ଡ ଭୋଗି ଲଣ୍ଡନରେ ବିଶ୍ବ ଵିଘର କଂଗ୍ରେସର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ରହିମା ମାହମତ୍ କହିଛନ୍ତି। ଵିଘର ମହିଳାମାନେ ହିଁ ଏପରି ନରସଂହାରର ପ୍ରଥମ ନିଶାଣ ବୋଲି ସେ କହିଛନ୍ତି। ତେବେ ଚୀନୀ ସରକାର ଏଭଳି ଅଭିଯୋଗକୁ ଖଣ୍ଡନ କରି ଆସିବା ସହ ଜିଞ୍ଜିଆଙ୍ଗରେ ନିଜର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏପରିକି ସେଠାରେ ୨୦୧୪ ଓ ୨୦୧୫ରେ ଆତଙ୍କୀ ଆକ୍ରମଣ ହୋଇଛି ବୋଲି ବାହାନା କରି ବେଜିଂ ପ୍ରଶାସନ ନିଜର ଆଭିମୁଖ୍ୟର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଚୀନ୍ରେ ୧୯୮୦ ମସିହାରୁ ଗୃହୀତ ଏକ ସନ୍ତାନ ନୀତି ପାଇଁ ବିଶେଷ କରି ମହିଳାଙ୍କ ଜନ୍ମଦେବା ଅଧିକାରକୁ ନଷ୍ଟ କରିଦିଆଯାଇଛି। ଅବଶ୍ୟ ଏଥିପାଇଁ ଚୀନ୍ ୪୦ କୋଟି ସନ୍ତାନଜନ୍ମକୁ ରୋକିପାରିଥିବା ବେଳେ ସନ୍ତାନଜନ୍ଣ ହାରରେ ମାତ୍ରାଧିକ ହ୍ରାସ ଯୋଗୁଁ ୨୦୧୫ରେ ଦ୍ବିସନ୍ତାନ ନୀତି ଜାରି କରାଯାଇଛି। ଅପରପକ୍ଷେ, ଜିଞ୍ଜିଆଙ୍ଗରେ ସ୍ଥାନୀୟ ଦମ୍ପତିଙ୍କ ପାଇଁ ତିନିଟି ସନ୍ତାନ ଗ୍ରହଣୀୟ ଥିବା ବେଳେ ଏବେ ସେମାନଙ୍କର ଜୋର ଜବରଦସ୍ତ ବନ୍ଧ୍ୟାକରଣ କରାଯାଉଛି। ଏପରିକି ଅନେକ ମହିଳାଙ୍କର ପରିବାର ଅସ୍ତ୍ରୋପଚାର ହୋଇଥିବା ବିଷୟରେ ସେମାନେ ଜାଣିନାହାନ୍ତି ବୋଲି କହିଛନ୍ତି।
ସେହିପରି ୨୦୧୫ ମସିହାରେ ଜିଞ୍ଜିଆଙ୍ଗରେ ମହିଳାଙ୍କର ବୁର୍ଖା ପରିଧାନକୁ ନିଷିଦ୍ଧ କରାଗଲା। ଏହାଦ୍ବାରା ଧାର୍ମିକ କଠୋରବାଦକୁ ପ୍ରୋତ୍ସାହିତ କରାଯାଉଥିଲା ବୋଲି ସଫେଇ ଦିଆଯାଇଥିଲା। ଧୀରେ ଧୀରେ ସେମାନଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରୁଥିବା ପାରମ୍ପରିକ ପୋଷାକ ଛାଡ଼ି ଅତ୍ୟାଧୁନିକ ଶୈଳୀର ପ୍ୟାଣ୍ଟସାର୍ଟ ପିନ୍ଧିବାକୁ ବାଧ୍ୟ କରାଯାଇଥିଲା। ଏପରିକି ବାଟରେ ବିଭିନ୍ନ ତନଖି ଫାଟକରେ ମହିଳାଙ୍କର ଲମ୍ବା ପୋଷାକକୁ କାଟି ଦିଆଯାଉଥିଲା। ସେହିପରି ୨୦୧୬ରେ ଯେତେବେଳେ ଵିଘର ବାସୀଙ୍କୁ ବଳପୂର୍ବକ ଅଟକ ଶିବିରରେ ରଖାଗଲା, ସେମାନଙ୍କ ମଧ୍ୟରେ ଅଧିକାଂଶ ହିଁ ପୁରୁଷ ରହିଥିଲେ। ଫଳରେ ସଂଖ୍ୟାଧିକ ମହିଳାଙ୍କୁ ନିଜ ନିଜ ପରିବାର ପୋଷଣ ପାଇଁ ଛାଡ଼ିଦିଆଯାଇଥିଲା। ଶେଷରେ ବାଧ୍ୟ ହୋଇ କିଛି ମହିଳା ଦେହ ବ୍ୟବସାୟକୁ ଆପଣେଇଥିଲେ। ଏପରିକି ଅଜଣା ମହିଳାମାନଙ୍କୁ ଧରିନେଇ ଅଟକ ଶିବିରରେ ଛାଡ଼ିଦିଆଯାଇଥିଲା ଯେଉଁଠି ସେମାନେ ସୁରକ୍ଷା କର୍ମୀ ଏବଂ ଅନ୍ୟମାନଙ୍କର ଯୌନ ନିର୍ଯାତନାର ଶିକାର ହେଉଥିଲେ।
![](https://kalingajyoti.com/wp-content/uploads/2020/08/images-1-3.jpg)