କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ନିକଟ ଅତୀତରେ ଭାରତ ସରକାର ୫୯ଟି ଚୀନ୍ ଆପ୍କୁ ବ୍ୟାନ୍ କରି ଚୀନ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ଏବେ ପୁଣି ଥରେ ଚୀନ୍ର ୪୭ଟି ଆପ୍କୁ ବ୍ୟାନ୍ କରିଛି ଭାରତ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯେଉଁ ନୂଆ ୪୭ ଆପ୍କୁ ଭାରତ ବ୍ୟାନ୍ କରିଛି ସେହି ଆପ୍ଗୁଡ଼ିକ ପୂର୍ବରୁ ବ୍ୟାନ୍ ହୋଇଥିବା ୫୯ ଆପ୍ର କ୍ଲୋନ୍ ଭାବେ କାର୍ଯ୍ୟ କରୁଥିଲା। ତେବେ, ଯେଉଁ ୪୭ ଆପ୍କୁୁ ବ୍ୟାନ୍ କରାଯାଇଛି ତାହାର ତାଲିକା ଖୁବ୍ ଶୀଘ୍ର ପ୍ରକାଶ କରାଯିବ ବୋଲି ସୂଚନା ରହିଛି।
କେବଳ ସେତିକୁ ନୁହେଁ, ବ୍ୟବହାରକାରୀଙ୍କ ଗୋପନୀୟତା ଓ ଜାତୀୟ ସୁରକ୍ଷା ଉଲ୍ଲଂଘନ ହେଉଛି କି ନାହିଁ ଜାଣିବା ପାଇଁ ଭାରତ ପ୍ରାୟ ୨୫୦ଟି ଆପ୍ର ପରୀକ୍ଷା କରିବାକୁ ତାଲିକା ପ୍ରସ୍ତୁତ କରିଛି।
ବ୍ୟାନ୍ ହେବାକୁ ଥିବା ଆପ୍ ମଧ୍ୟରେ PUBG , Zili, ଇକମର୍ସ Alibabae Aliexpress , Resso , Bytedancee ULike ଆଦି ସାମିଲ ରହିଛି । ଯଦିଓ ପବଜି ଚୀନର ନୁହେଁ ଦକ୍ଷିଣ କୋରିଆର ଭିଡ଼ିଓ ଗେମ୍ କମ୍ପାନୀ ବ୍ଲୁହୋଲର ଏକ ସହାୟକ କମ୍ପାନୀ ଦ୍ୱାରା ବିକଶିତ ହୋଇଛି । ତଥାପି ଚୀନର ଇଂଟରନେଟ୍ ଟେନସେଣ୍ଟ ଦ୍ୱାରା ପରିଚାଳିତ ହେଉଛି ପବଜି ଆପ୍ । ତେଣୁ ସୁରକ୍ଷା ଦୃଷ୍ଟିରୁ ପବଜି ଆପକୁ ଭାରତରୁ ହଟାଯାଇପାରେ । ତେବେ ଯାଂଚ ପରେ ବିପଦ ଆଶଙ୍କା ନଥିବା ପ୍ରମାଣିତ ହେଲେ ଏହି ସବୁ ଆପ୍ ଗୁଡ଼ିକୁ ଦେଶରେ ବନ୍ଦ କରାଯିବ ନାହିଁ ।
ଯେଉଁ କମ୍ପାନୀ ଗୁଡ଼ିକର ସର୍ଭର କମ୍ପାନୀ ଚୀନରେ ରହିଛି ତାହାର କଡ଼ାକଡ଼ି ଯାଞ୍ଚ ଚଳାଇଛନ୍ତି ଭାରତ ସରକାର । ଛାନଭିନ୍ ପରେ ସେହି କମ୍ପାନୀ ଗୁଡ଼ିକ ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ହୋଇସାରିଛି । ଭାରତରେ ବର୍ତ୍ତମାନ ଚୀନ ଆପ ଗୁଡ଼ିକର ଲଗାତାର ରିଭ୍ୟୁ କରାଯାଉଛି । କେବଳ ଏତିକି ନୁହେଁ ଆପ ଗୁଡ଼ିକର ଫଣ୍ଡିଂର ସୂତ୍ର ମଧ୍ୟ ଖୋଜଯାଉଛି । ବିଶ୍ୱସ୍ତ ସୂଚନା ଅନୁସାରେ ଚୀନର ଅନେକ ଆପ୍ ଡାଟା ସେୟାରିଂ ଓ ପ୍ରାଇଭେସି ନିୟମର ଉଲ୍ଲଂଘନ କରୁଛନ୍ତି । ସରକାର ଓ ୟୁଜରଙ୍କ ଅଜଣାଣତରେ ଚୋରି ହେଉଛି ଡାଟା ।
ରିପୋର୍ଟ ଅନୁସାରେ ଭାରତ ସରକାର ଆଗାମୀ ସମୟରେ ଆପ୍ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରିବେ । ସମସ୍ତ ଯାଂଚ ଓ ଛାନଭିନ ପରେ ପରେ ଭାରତରେ ସେହି ଆପ୍ ଲଂଚ ପାଇଁ ଅନୁମତି ମିଳିବ । ସାଇବର ସିକ୍ୟୁରିଟିକୁ ମଜଭୁତ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯଦ୍ୱାରା ଭାରତୀୟ ନାଗରିକଙ୍କୁ ଡାଟା ସୁରକ୍ଷିତ ରହିବ ଓ କୌଣସି ବିପଦ ସୃଷ୍ଟି ହେବନି ।
ଚୀନର କେତେକ ଲୋକପ୍ରିୟ ଗେମ୍ ଆପ୍ରେ ବି ପ୍ରତିବନ୍ଧକ ଲଗାଇବାର ଯୋଜନା ରଖିଛି ଭାରତ। ଚୀନ ସହିତ ତଥ୍ୟ ସେୟାର୍ କରୁଥିବା ଅଭିଯୋଗରେ ଆପ୍ଗୁଡ଼ିକୁ ବ୍ୟାନ୍ କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଉପୁଜିଥିବା ସୀମା ସଂଘର୍ଷ ପରେ ଭାରରତରୁ ଟିକ୍ଟକ୍ ସମେତ ୫୯ ଚୀନ ଆପ୍କୁ ବ୍ୟାନ୍ କରିଥିଲା ଭାରତ। ଦେଶର ଗୋପନୀୟତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କଥା ସରକାର କହିଥିଲେ।