ଚୀନ୍‌ ବିରୋଧୀ ସ୍ୱର ବଢ଼ିଲାଣି,ମୁକାବିଲା ପାଇଁ ଆମେରିକା-ବ୍ରିଟେନ୍‌ ସେନା ମୁତୟନ କଲେଣି

0 278
greentech

ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ, କରୋନା ପାଇଁ ଖରାପ ଆର୍ଥିକ ସ୍ଥିତି ଏବଂ ଭାରତୀୟ ସୀମାରେ ଅତିକ୍ରମଣ ପ୍ରୟାସ ଏବେ ଚୀନ୍‌ ପାଇଁ ମହଙ୍ଗା ପଡ଼ିଛି। ପୂର୍ବ ଲଦାଖ୍‌ରେ ଚୀନ୍‌ର ବିସ୍ତାରବାଦୀ ନୀତିର ଭାରତ କଡ଼ା ଜବାବ ଦେଇଛି ଏବଂ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିଶ୍ବବ୍ୟାପୀ ସମର୍ଥନ ମିଳିବା ପରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସମସ୍ୟା ବଢ଼ିଯାଇଛି। ଭାରତର ଶକ୍ତିକୁ ଭୁଲ୍‌ ଆକଳନ କରି ଚୀନ୍‌ ଯେଉଁ ଅତିକ୍ରମଣ ପ୍ରୟାସ କରିଥିଲା ତାହା ଦ୍ବାରା କେବଳ ଭାରତ ସହିତ ତିକ୍ତତା ବଢ଼ିନାହିଁ, ଚୀନ୍‌ ବିରୋଧରେ ବିଶ୍ବସ୍ତରରେ ଏକ ବିଶାଳ ମହାମେଣ୍ଟ ପାଇଁ ମଧ୍ୟ ରାସ୍ତା ସଫା ହୋଇଯାଇଛି। ଚୀନ୍‌ର ଜଣେ ସାମରିକ ବିଶେଷଜ୍ଞ କହିଛନ୍ତି ଯେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ଭାରତର ସାମରିକ ଶକ୍ତିକୁ ଠିକ୍‌ରେ ବୁଝି ପାରିନାହିଁ। ଭାରତ ଯେକୌଣସି ଶକ୍ତିର ମୁକାବିଲା ପାଇଁ ଏବେ ସକ୍ଷମ ଏବଂ ଚୀନ୍‌ର ପଦକ୍ଷେପ ଏହାର ୧୯୬୨ କ୍ଷତକୁ ତାଜା କରିଦେଇଛି ବୋଲି ସେ କହିଛନ୍ତି। ଚୀନ୍‌ର ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ପ୍ରକଳ୍ପକୁ ମଧ୍ୟ ଏବେ ବଡ଼ ଝଟ୍‌କା ଲାଗିଛି। ଏହି ପ୍ରକଳ୍ପ ମାଧ୍ୟମରେ ଚୀନ୍‌ ନିଜର ରାଜନୈତିକ ଓ ଆର୍ଥିକ ଲକ୍ଷ୍ୟ ହାସଲ କରିବାକୁ ଚାହୁଥିଲା।

ଚୀନ୍‌ କରୋନା ଭାଇରସ୍‌ ସଂପର୍କିତ ତଥ୍ୟ ଲୁଚାଇ ସମଗ୍ର ବିଶ୍ବକୁ ଏକ ମହାମାରୀ କବଳକୁ ଠେଲି ଦେଇଥିବା ନେଇ ବହୁ ରାଷ୍ଟ୍ର ଅଭିଯୋଗ କରିଛନ୍ତି ଏବଂ ଏ କ୍ଷେତ୍ରରେ ଚୀନ୍‌ର ବ୍ୟବହାର ଅତ୍ୟନ୍ତ ସନ୍ଦେହଜନକ ରହିଛି। ବିଆର୍‌ଆଇ ପ୍ରକଳ୍ପ କାର୍ଯ୍ୟ ଅଟକି ଯାଇଛି ଏବଂ ଏଥିରେ ସାମିଲ ଥିବା ବିଭିନ୍ନ ରାଷ୍ଟ୍ର ଚୀନ୍‌ର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ପଡ଼ୋଶୀ ଭାରତକୁ ସାମରିକ ଶକ୍ତି ଦେଖାଇ ଚୀନ୍‌ ମସ୍ତବଡ଼ ଭୁଲ କରିଛି ବୋଲି ଚୀନ୍‌ର କୂଟନୀତିଜ୍ଞମାନେ କହିଛନ୍ତି। ଏହାକୁ ନେଇ ଜିନ୍‌ପିଙ୍ଗ୍‌ଙ୍କ ବିରୋଧରେ କମ୍ୟୁନିଷ୍ଟ ପାର୍ଟିରେ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଚୀନ୍‌ ହଂକଂରେ ଲଗାଇଥିବା କଟକଣାକୁ ନେଇ ମଧ୍ୟ ଜିନ୍‌ପିଙ୍ଗଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସେହିଭଳି ଦକ୍ଷିଣ ଚୀନ୍‌ ସାଗରର ସମସ୍ତ ସମ୍ବଳକୁ ଏକଚାଟିଆ ଅଧିକାର କରିବା ପାଇଁ ଚୀନ୍‌ର ପ୍ରୟାସକୁ ଏବେ ଆମେରିକା ଏବଂ ଜାପାନ ଜୋର୍‌ଦାର ବିରୋଧ କରିଛନ୍ତି ଏବଂ ଏଥିପାଇଁ ଯୁଦ୍ଧ ଆରମ୍ଭ ମଧ୍ୟ ହୋଇଯିବା ଆଶଙ୍କା କରାଯାଉଛି। ଚୀନ୍‌ର ବିସ୍ତାରବାଦୀ ନୀତି ଯୋଗୁଁ ଯୁଦ୍ଧ ଆଶଙ୍କା ବଢ଼ିଥିବାରୁ ଏବେ ଆମେରିକା ଏବଂ ବ୍ରିଟେନ୍‌ ସେମାନଙ୍କର ହଜାର ହଜାର ସୈନିକଙ୍କୁ ଜାପାନରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ମୁତୟନ କରୁଛନ୍ତି। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶୀତଳ ଯୁଦ୍ଧ ପରେ ସବୁଠାରୁ ବଡ଼ ଆହ୍ବାନ ଏବେ ଆସିଥିବା ଆମେରିକା କହିଛି।

Leave A Reply

Your email address will not be published.

4 × 2 =

error: Content is protected !!
Open chat