କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ବେଜିଂ ୧୮/୦୮ : ଉଇଗୁର ମୁସଲମାନଙ୍କ ପ୍ରତି ଉତ୍ପିଡ଼ନ ନେଇ ଚୀନ୍ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ତେବେ ଜିନଜିଆଙ୍ଗ ପ୍ରାନ୍ତ ଆତୁସ୍ର ଏକ ଘଟଣା ସରକାରଙ୍କ କଠୋର ଇସ୍ଲାମନୀତିକୁ ପଦାରେ ପକାଇଦେଇଛି। ଏଠାରେ ଦୀର୍ଘ ବର୍ଷରୁ ଥିବା ଟୋକୁଲ ମସଜିଦକୁ ଭାଙ୍ଗି ତା ସ୍ଥାନରେ ସାର୍ବଜନିକ ଶୌଚାଳୟ ନିର୍ମାଣ କରିଦିଆଯାଇଛି।
ରେଡିଓ ଫ୍ରି ଏସିଆ (ଆଏଫଏ) ରିପୋର୍ଟ ଅନୁସାରେ ଅଧିକାରୀମାନେ କିଛି ଦିନ ପୂର୍ବେ ଏଠାରେ ଥିବା ଦୁଇ ତିନୋଟି ମସଜିଦକୁ ଭାଙ୍ଗିଥିଲେ। ଭଙ୍ଗାଯାଇଥିବା ମସଜିଦ ମଧ୍ୟରେ ଟୋକୁଲ ମସଜିଦ୍ ମଧ୍ୟ ଥିଲା। ମସଜିଦଗୁଡିକର ଭଗ୍ନାବଶେଷ ହଟାଇ ସ୍ଥାନ ସମତଳ କରିଦିଆଯାଇଥିବା ବେଳେ ଟୋକୁଲ ମସଜିଦ୍ ସ୍ଥାନରେ ଶୌଚାଳୟ ନିର୍ମିତ ହୋଇଛି।
ସୂଚନା ଯୋଗ୍ୟଯେ ଚୀନ୍ କମ୍ୟୁନିଷ୍ଟ ସରକାର ୨୦୧୬ ପ୍ରାରମ୍ଭରେ ଦେଶରେ ମସଜିଦ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ମସଜିଦଗୁଡିକୁ ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ମସଜିଦ ଭାଙ୍ଗି ତା ସ୍ଥାନରେ ଶୌଚାଳୟ ନିର୍ମାଣ ମଧ୍ୟ ଏହି ସଂସ୍କାରର ଅଂଶ ବିଶେଷ ବୋଲି ଜଣାପଡିଛି। ତେବେ ସାର୍ବଜନିକ ଶୌଚାଳୟକୁ ଏବେ କାର୍ଯ୍ୟକ୍ଷମ କରାଯାଇନି।
ଏଠାରେ ସାର୍ବଜନିକ ଶୌଚାଳୟର ଆବଶ୍ୟକତା ମଧ୍ୟ ନଥିଲା। କାରଣ ଏଠାରେ ସମସ୍ତ ବାସିନ୍ଦାଙ୍କ ଘରେ ଶୌଚାଳୟ ଅଛି। ହେଲେ ମସଜିଦର ବିଶାଳ ମସଜିଦ୍ର ଭଗ୍ନାବଶେଷକୁ ଲୁଚାଇବା ଲାଗି ଏହି ଶୌଚାଳୟ ନିର୍ମିତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ସବୁଠାରୁ ବଡ କଥା ହେଲା ଉଇଗୁର ମୁସଲମାନମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ବୋଲି ଉଇଗୁର ପଡୋଶୀ ସମିତି ମୁଖ୍ୟ କହିଛନ୍ତି।