କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଭାରତ-ଚୀନ ସୀମା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଚୀନ୍ ଭାରତ ବିରୋଧରେ ଆକ୍ରମଣାତ୍କମ ପଦକ୍ଷେପ ଗ୍ରହଣ କରି ସୀମାରେ ଉତ୍ତେଜନା ବଢ଼ାଇଛି। ଏଭଳି ସ୍ଥିତିରେ ଭାରତ ଚୀନ୍ର ଅନେକ ଫାର୍ମ ଏବଂ ମୋବାଇଲ ଆପ୍କୁ ବନ୍ଦ କରି ସାରିଛି। ଏବେ ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ବୃଦ୍ଧି ପାଉଥିବା ଚୀନ୍ ପ୍ରଭାବକୁ ରୋକିବା ପାଇଁ ଭାରତ ବିଚାର କରୁଛି। ଭାରତରେ ଚାଲିଥିବା କନ୍ଫୁସିୟସ ଇନ୍ଷ୍ଟିଚ୍ୟୁଟ୍ ଏବଂ ଏହା ଦ୍ବାରା ଅନୁବନ୍ଧିତ କଲେଜମାନଙ୍କୁ ତୁରନ୍ତ ବନ୍ଦ କରିବାକୁ ସୁରକ୍ଷା ସଂସ୍ଥାମାନେ ଚେତାବନୀ ଦେଇଛନ୍ତି।
ଏହିସବୁ ଶିକ୍ଷାସଂସ୍ଥା ମାଧ୍ୟମରେ ଭାରତୀୟ ଉଚ୍ଚତର ଶିକ୍ଷା ବ୍ୟବସ୍ଥାରେ ପ୍ରଭାବ ବିସ୍ତାର କରିବାକୁ ଚୀନ ସଫଳ ହେଉଛି ବୋଲି ଜଣାପଡ଼ିବା ପରେ ଏହାକୁ ବନ୍ଦ କରିବାକୁ ସରକାର ଚିନ୍ତା କରୁଛନ୍ତି। ଅତୀତରେ ଆଇଆଇଟି, ବିଏଚ୍ୟୁ, ଜେଏନ୍ୟୁ, ନିଟ୍ସ ଭଳି ସମ୍ମାନଜନକ ଉଚ୍ଚତର ଶିକ୍ଷାନୁଷ୍ଠାନ ଏବଂ ଚୀନ୍ର ଶିକ୍ଷାନୁଷ୍ଠାନ ମଧ୍ୟରେ ୫୪ଟି ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ଭାରତ ସରକାର ଏହି ଏମ୍ଓୟୁକୁ ବାତିଲ କରିବାକୁ ଯୋଜନା କରୁଛି ବୋଲି ଜଣାପଡ଼ିଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏ ନେଇ ଏକ ବିଜ୍ଞପ୍ତି ଜାରି କରି ସାରିଲାଣି। ସୂଚନାଯୋଗ୍ୟ, କନ୍ଫୁସିୟସ ଇନ୍ଷ୍ଟିଚ୍ୟୁଟ୍ ଚୀନ୍ ସରକାରଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବେ ପରିଚାଳିତ ହେଉଛି।