ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ!ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟରର କମ୍ପ୍ୟୁଟର ହ୍ୟାକ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ଚୋରି
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ :ସେପ୍ଟେମ୍ବର ଆରମ୍ଭରୁ ଚୀନ୍ ଦ୍ବାରା କରାଯାଇଥିବା ତଥ୍ୟ ଚୋରି ଘଟଣା ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି)ର ଅନେକ କମ୍ପ୍ୟୁଟରକୁ ହ୍ୟାକରଙ୍କ ଦ୍ୱାରା ହ୍ୟାକ୍ କରାଯାଇଥିବା ଜଣା ପଡ଼ିଛି | ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଟିମ୍ ସେପ୍ଟେମ୍ବର ଆରମ୍ଭରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ସାରିଛି।
![](https://i0.wp.com/kalingajyoti.com/wp-content/uploads/2020/09/images-22.jpg?resize=471%2C353&ssl=1)
ଏନଆଇସିର ଏହି କମ୍ପ୍ୟୁଟରଗୁଡିକରେ, ଭାରତୀୟ ସୁରକ୍ଷା, ଭାରତୀୟ ନାଗରିକ, ବଡ ଭିଆଇପି ବ୍ୟକ୍ତିତ୍ୱଙ୍କ ସହ ଜଡ଼ିତ ତଥ୍ୟ ଉପଲବ୍ଧ ରହିଥିଲା | ଏଥିରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ମଧ୍ୟ ରହିଥିବା ଜଣା ପଡ଼ିଛି। କମ୍ପ୍ୟୁଟର ହ୍ୟାକ୍ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଭାରତୀୟଙ୍କ ତଥ୍ୟ ଚୋରି ହୋଇଥିବା ନେଇ ଆଶଙ୍କା କରାଯାଉଛି।
![](https://kalingajyoti.com/wp-content/uploads/2020/09/1h75s2t_computer-generic_650x400_19_April_19.jpg)
ସୂଚନା ଅନୁଯାୟୀ, ଏହି ଆକ୍ରମଣ ବେଙ୍ଗାଲୁରୁର ଏକ କମ୍ପାନିରୁ କରାଯାଇଥିଲା। ଏନଆଇସିର କର୍ମଚାରୀମାନଙ୍କୁ ଏକ ଇମେଲ୍ ଆସିଥିଲା। ଯେଉଁମାନେ ସେହି ମେଲର ଲିଙ୍କ ଉପରେ କ୍ଲିକ୍ କରିଥିଲେ, ସେମାନଙ୍କର କମ୍ପ୍ୟୁଟରର ତଥ୍ୟ ଚୋରି ହୋଇ ଯାଇଥିଲା। ଏହି ସାଇବର ଆକ୍ରମଣରେ ପ୍ରାୟ ୧୦୦ଟି କମ୍ପ୍ୟୁଟରକୁ ଟାର୍ଗେଟ କରାଯାଇଥିଲା ବୋଲି ଜଣା ପଡ଼ିଛି, ଯେଉଁଥିରେ କିଛି ଏନଆଇସିର କମ୍ପ୍ୟୁଟର ଥିବା ବେଳେ ଆଇଟି ମନ୍ତ୍ରାଳୟର କିଛି କମ୍ପ୍ୟୁଟର ରହିଥିବା ଜଣା ପଡ଼ିଛି।
![](https://i0.wp.com/kalingajyoti.com/wp-content/uploads/2020/09/643094-big-cyber-attack-reported-on-nic.jpg?resize=582%2C326&ssl=1)
ଏହି ମାମଲା ପରେ, ଏନଆଇସିର ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏହି ଘଟଣାର ତଦନ୍ତ ଚାଲିଛି। ସୂତ୍ର ଅନୁଯାୟୀ, ଏହି ମେଲ ବେଙ୍ଗାଲୁରୁରେ ଥିବା ଏକ ଆମେରିକୀୟ କମ୍ପାନୀରୁ ଆସିଥିଲା। ଆଇପି ଠିକଣାରୁ ଏହି ସୂଚନା ସାମ୍ନାକୁ ଆସିଛି।
କିଛି ଦିନ ପୂର୍ବରୁ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଚୀନର କିଛି କମ୍ପାନି ପ୍ରାୟ ଦଶ ହଜାର ଭାରତୀୟଙ୍କ ଉପରେ ନଜର ରଖିଛନ୍ତି | ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ବରିଷ୍ଠ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ନେତା, କ୍ରୀଡ଼ାବିତ୍, ଅଭିନେତାଙ୍କ ସମେତ ବହୁ ସେଲିବ୍ରିଟିଙ୍କ ତଥ୍ୟ ଉପରେ ନଜର ରଖାଯାଉଛି। ଚୀନ କମ୍ପାନି ଏହି ସବୁ ଗତିବିଧିକୁ ରେକର୍ଡ କରୁଛି।