କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ନଭେମ୍ବର ମାସରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି।
ରାଷ୍ଟ୍ରପତି ହେବା ନିମନ୍ତେ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିବା ବାଇଡେନ୍ଙ୍କ ପାଇଁ ଏହି ମୁହୂର୍ତ୍ତଟି ଥିଲା ଖୁବ୍ ଆମୋଦଦାୟକ। ସେ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ, ଏହା ହେଉଛି ‘ତାଙ୍କ ଜୀବନର ସମ୍ମାନ’।
ଟୁଇଟର୍ରେ ସେ ଲେଖିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଲାଗି ଡେମୋକ୍ରାଟିକ୍ ପାର୍ଟିର ମନୋନୟନକୁ ଗ୍ରହଣ କରିବା ମୋ ଜୀବନର ସମ୍ମାନ।
‘ଡେମୋକ୍ରାଟିକ୍ ନ୍ୟାସ୍ନାଲ୍ କନ୍ଭେନ୍ସନ୍’ର ଦ୍ବିତୀୟ ଦିବସରେ ବାଇଡେନ୍ଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଏହି ଦଳୀୟ ସମ୍ମିଳନୀରେ ବାଇଡେନ୍ଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରୁଥିବା ଅନେକ ବିଗତ ଏବଂ ସାମ୍ପ୍ରତିକ ଡେମୋକ୍ରାଟିକ୍ ନେତା ଓ ବାଚସ୍ପତି ଉପସ୍ଥିତ ଥିଲେ। ମତ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଲାଇଭ୍ ୱେବ୍କାଷ୍ଟ୍ରେ ବାଇଡେନ୍ କହିଲେ, ଆପଣମାନଙ୍କୁ ଧନ୍ୟବାଦ। ଏହାର ଅର୍ଥ ମୋତେ ଓ ମୋ ପରିବାର ପ୍ରତି ସମସ୍ତଙ୍କର ସ୍ନେହ ଓ ସଦିଚ୍ଛା ରହିଛି। ଗୁରୁବାର ଦିନ ମୁଁ ଆପଣମାନଙ୍କୁ ଭେଟିବି!
ଟ୍ରମ୍ପ୍ ଦେଶ ଓ ବିଦେଶରେ ସୃଷ୍ଟି କରିଥିବା ଗୋଳମାଳିଆ ପରିସ୍ଥିତିକୁ ସୁଧାରିବା ନିମନ୍ତେ ବାଇଡେନ୍ଙ୍କର ଅନୁଭୂତି ଏବଂ ସାମର୍ଥ୍ୟ ଥିବା କଥା ଡେମୋକ୍ରାଟିକ୍ ନେତାମାନେ କହୁଛନ୍ତି। ସେମାନେ ସରଳ ଭାବେ କହିଛନ୍ତି: ନେତୃତ୍ବ ଉପରେ ହିଁ ସବୁକିଛି ନିର୍ଭରଶୀଳ।