ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ, ସର୍ବେଶ୍ବର

0 265
greentech

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ଆଜି ବ୍ରହ୍ମପୁର ଅଣାଯାଇଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀଙ୍କ କୋର୍ଟରେ ଉଭୟଙ୍କୁ ହାଜର କରି ଏକ ଠକେଇ ମାମଲାରେ ଜଡ଼ିତ କରାଯାଇଥିଲା। ଏହାପରେ ପୁଣିଥରେ ସେମାନଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲ୍‌କୁ ନିଆଯାଇଥିଲା।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝିଗାଁର ବି. ଶିବ ପାତ୍ର ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ବିଧାୟକଙ୍କୁ ଗତ ୨୦୧୯ ଅକ୍ଟୋବର ୨୦ତାରିଖରେ ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନରେ ୨ଲକ୍ଷ ଟଙ୍କା ଦେଇଥିଲେ। ଏଥିପାଇଁ ବିଧାୟକଙ୍କ ସହଯୋଗୀ ସର୍ବେଶ୍ବର ତାଙ୍କୁ ପ୍ରବର୍ତ୍ତାଇ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରି ମିଳି ନଥିଲା। ସେ ତାଙ୍କର ଟଙ୍କା ଫେରି ପାଇ ନଥିବାରୁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଏପ୍ରିଲ୍‌ ୨୦ତାରିଖରେ ଶିବ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧୨୦/୨୧ ଅନୁସାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା।

ଏହି ମାମଲାରେ ଆଜି ବିଧାୟକ ପ୍ରଦୀପ ଓ ସର୍ବେଶ୍ବରଙ୍କୁ ଜଡ଼ିତ କରାଯାଇଛି। ବିଧାୟକ ପ୍ରଦୀପଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ଓ ସର୍ବେଶ୍ବରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୀରେନ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ। ସର୍ବେଶ୍ବରଙ୍କ ତରଫରୁ ତାଙ୍କର ଓକିଲ ଜାମିନ୍‌ ପାଇଁ ଆବେଦନ କରିଥିଲେ। ହେଲେ ତାହା ଖାରଜ୍‌ ହୋଇ ଯାଇଥିଲା। ଆସନ୍ତାକାଲି ପ୍ରଦୀପଙ୍କ ପାଇଁ ଜାମିନ୍‌ ଆବେଦନ କରାଯିବ ବୋଲି ତାଙ୍କର ଓକିଲ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପଙ୍କ ନାମରେ ୪ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି।

ବର୍ତ୍ତମାନ କରୋନା ମହାମାରୀ ସମୟରେ ସମସ୍ତଙ୍କ ସୁରକ୍ଷା ପ୍ରତି ସରକାର ଗୁରୁତ୍ବ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଏହି ଦୁଇଜଣଙ୍କୁ ପୁଲିସ ଲକ୍‌ଡାଉନ୍‌ ସତ୍ବେ ଭୁବନେଶ୍ବର ଆଣି କୋର୍ଟରେ ହାଜର କରିଛି। ଅନ୍ୟପଟେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ୭ବର୍ଷ ପର୍ଯ୍ୟନ୍ତ ସଜା ହେବାକୁ ଥିବା ମାମଲାରେ ଥାନାରେ ଜାମିନ୍‌ ଦେବାକୁ କୁହାଯାଇଛି। କିନ୍ତୁ ଡ. ପ୍ରଦୀପଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେଇଛି ବୋଲି ତାଙ୍କର ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି। ଭିଡ଼ିଓ କନ୍‌‌ଫରେନ୍ସିଂ ଜରିଆରେ ମଧ୍ୟ ହାଜିରା ହୋଇ ପାରିଥାନ୍ତା ବୋଲି ସେ କହିଛନ୍ତି।

Leave A Reply

Your email address will not be published.

one × one =

error: Content is protected !!
Open chat