ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ: ‘ମନ୍‌ କି ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

0 328
greentech

ନୂଆଦିଲ୍ଲୀ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୭୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ କହିଛନ୍ତି, ବିଜ୍ଞାନକୁ ବିଶ୍ବାସ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରୁଛି। ଆମ ବୈଜ୍ଞାନିକମାନଙ୍କୁ ବିଶ୍ବାସ କରନ୍ତୁ। ଅନେକ ଲୋକ ଟିକା ନେଲେଣି। ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ। ଗାଁଗଣ୍ଡାର ସବୁ ଲୋକେ ଟିକା ଅବଶ୍ୟ ନେବା ଉଚିତ। ଭୟ କରନ୍ତୁ ନାହିଁ। ଟିକା ନେଲେ କେତେକ ଲୋକଙ୍କୁ ଜ୍ବର ହୋଇପାରେ। ମାତ୍ର ଏହି ଜ୍ବର ଖୁବ୍ ସାମାନ୍ୟ ଏବଂ ଅଳ୍ପ କେତେ ଘଣ୍ଟା ପାଇଁ ଆସେ। ଟିକା ନ ନେବା ଭାରି ବିପଜ୍ଜନକ ହୋଇପାରେ। କେବଳ ନିଜେ ବିପଦରେ ପଡ଼ିବ ନାହିଁ, ପରିବାର ଏବଂ ସମଗ୍ର ଗାଁକୁ ବିପଦରେ ପକାଇବ।

ନାଗରିକମାନଙ୍କୁ ଟିକା ଦେବାରେ ଭାରତ ପ୍ରଶଂସନୀୟ ଉଦ୍ୟମ କରିଛି। ମୁଁ ଦୁଇ ଡୋଜ୍‌ ଟିକା ନେଇଛି। ପ୍ରାୟ ୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ମୋ ମା ମଧ୍ୟ ଦୁଇ ଡୋଜ୍‌ ଟିକା ନେଇଛନ୍ତି। ଟିକା ସଂକ୍ରାନ୍ତ ନକାରାତ୍ମକ ଗୁଜବ ସବୁକୁ ବିଶ୍ବାସ କରନ୍ତୁ ନାହିଁ। ଯେଉଁମାନେ ଟିକା ବିଷୟରେ ଗୁଜବ ରଟୁଛନ୍ତି, ସେମାନେ ରଟୁ ଥାଆନ୍ତୁ। ଆମେ ଆମର କାର୍ଯ୍ୟ କରିବା ଏବଂ ଆମ ଚତୁର୍ପାଶ୍ବରେ ଥିବା ଲୋକେ ଟିକା ନେଇଛନ୍ତି ବୋଲି ସୁନିଶ୍ଚିତ ହେବା। କୋଭିଡ୍‌-୧୯ ବିପଦ ରହିଥିବାରୁ ଆମେ ଟିକାକରଣ ଉପରେ ଧ୍ୟାନ ଦେବା ସହ କୋଭିଡ୍-୧୯ ନିୟମ ମାନିବା।

ଜୁଲାଇ ୧ ତାରିଖ ଦିନ ଆମେ ଜାତୀୟ ଡାକ୍ତର ଦିବସ ପାଳିବା। କଠିନ ପରିଶ୍ରମ କରୁଥିବା ଡାକ୍ତରମାନଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରିବା କଥା।

‘ମନ୍‌ କି ବାତ୍ ପ୍ରାରମ୍ଭ’ରେ ପ୍ରଧାନମନ୍ତ୍ରୀ ମୋଦୀ ଟୋକିଓ ଅଲିମ୍ପିକ୍ସ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ଅଭିବାଦନ ଜଣାଇବା ସହ ଟୋକିଓ ଅଲିମ୍ପିକ୍ସ୍‌ରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଖେଳାଳିଙ୍କ ପାଇଁ ‘ଚିୟର୍‌ ଇଣ୍ଡିଆ’ ହାସ୍‌ଟ୍ୟାଗ୍‌ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ କହିଛନ୍ତି।

ସ୍ବର୍ଗତ ମିଲ୍‌ଖା ସିଂହଙ୍କ କଥା ସ୍ମରଣ କରି ସେ କହିଛନ୍ତି, ଶ୍ରୀ ମିଲ୍‌ଖା ସିଂହଜୀଙ୍କ ସହ କରିଥିବା ଆଳାପକୁ ସବୁଦିନ ପାଇଁ ସଶ୍ରଦ୍ଧ ସ୍ମରଣ କରିବି। ଅଲିମ୍ପିକ୍‌ ପ୍ରସଙ୍ଗ ପଡ଼ିଲା ବେଳେ ଆମ ମିଲ୍‌ଖା ସିଂହଙ୍କୁ ମନେ ନ ପକାଇବା କେମିତି? ସେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସହ ଆଳାପ କରିବାର ସୁଯୋଗ ପାଇଥିଲି। ଟୋକିଓ ଅଲିମ୍ପିକ୍‌ସ୍‌କୁ ଯାଉଥିବା ଖେଳାଳିମାନଙ୍କୁ ପ୍ରେରଣା ଦେବା ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲି। ପ୍ରତିଭାବାନ, ଉତ୍ସର୍ଗୀକରଣ, ପ୍ରତିବଦ୍ଧତା ଓ ଖେଳୁଆଡ଼ ଉଚ୍ଛ୍ବାସ ଏକତ୍ର ହେଲେ ଚାମ୍ପିୟନ୍ ଉତ୍ପତ୍ତି ହୁଅନ୍ତି।

ଭାରତର ମହିଳା ହକି ଟିମ୍‌ର ସଦସ୍ୟ ନେହା ଗୋୟାଲଙ୍କ ମା ଓ ଭଗିନୀମାନେ ପରିବାର ଚଳାଇବା ଲାଗି ସାଇକେଲ୍‌ କାରଖାନାରେ କାମ କରୁଛନ୍ତି। ଦୀପିକା କୁମାରୀଙ୍କ ଯାତ୍ରା ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତର ପ୍ରତିନିଧିତ୍ବ କରୁଥିବା ଏକମାତ୍ର ମହିଳା ତୀରନ୍ଦାଜ୍ ହେଉଛନ୍ତି ଦୀପିକା।

କରୋନା ସହ ଆମେ ଦେଶବାସୀ ଚଳାଇଥିବା ସଂଗ୍ରାମ ଚାଲୁ ରହିଛି। କିନ୍ତୁ, ଏହି ସମ୍ମିଳିତ ସଂଗ୍ରାମରେ ଆମେ ଅନେକ ଅସାଧାରଣ ସଫଳତା ହାସଲ କରିଛନ୍ତି। ମାତ୍ର ଅଳ୍ପ କିଛି ଦିନ ପୂର୍ବେ ଆ‌ମ ଦେଶ ଅଭୂତପୂର୍ବ କୃତିତ୍ବ ହାସଲ କରିଛି।

ସେହିଭଳି ଜଳ ସଂରକ୍ଷଣକୁ ‘ଦେଶ ପ୍ରତି ସେବା’ ବୋଲି ବିବେଚନା କରାଯାଇ ପାରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇ କହିଛନ୍ତି।

Leave A Reply

Your email address will not be published.

12 + 14 =

error: Content is protected !!
Open chat