ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : କଟକ-ଭୁବନେଶ୍ୱର ଟ୍ଵିନସିଟି ଭିତରକୁ ଏଣିକି ବିନା କାରଣରେ ବାହାର ଗାଡ଼ି ପ୍ରବେଶ କରିପାରିବନି । କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବ। କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲା ରହିବ। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍ଡାଉନ୍ କଟକଣା ଲାଗୁ ହେବ। ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଜାରି ରହିବ।
ତେବେ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର ଶନିବାର ଓ ରବିବାର) ସଟ୍ଡାଉନ୍ କଟକଣାକୁ ହଟାଇ ଦିଆଯାଇଛି। ବାକି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ କଟକଣା ପୂର୍ବଭଳି ବଳବତ୍ତର ରହିବ। ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହୋଇଥିବା ଏହି ୧୪ ଦିନିଆ ଲକ୍ଡାଉନ୍ ସମୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ତେଣୁ ଲୋକମାନେ ଏହି ଲକ୍ଡାଉନ୍ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଆଉ ଯେଉଁମାନେ ଏହି କଟକଣା ନ ମାନନ୍ତି ତା’ହେଲେ ଆଇନ୍ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।