ଦେଶରେ ଉତ୍ତମ ଗୁଣର ଉଚ୍ଚଶିକ୍ଷା ପାଇଁ ସରକାରଙ୍କ ପ୍ରୟାସ :ଭାରତରେ ଖୋଲିବ ଅକ୍ସଫୋର୍ଡ, ୟେଲ ବିଶ୍ବବିଦ୍ୟାଳୟ କ୍ୟାମ୍ପସ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନେ ମାଇକ୍ରୋସଫ୍ଟ ଠାରୁ ଆରମ୍ଭ କରି ଗୁଗଲ୍ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ କମ୍ପାନିର ମୁଖ୍ୟ ହୋଇପାରିଛନ୍ତି। ତେବେ ଭାରତୀୟ ବିଦ୍ୟାର୍ଥୀମାନେ ୟେଲ୍, ଅକ୍ସଫୋର୍ଡ ଓ ଷ୍ଟାନଫୋର୍ଡ ପରି ଅନ୍ୟାନ୍ୟ ବିଶ୍ବସ୍ତରୀୟ ନାଁରେ ମଧ୍ୟ ଉତ୍ତମ ପ୍ରତିଦ୍ବନ୍ଦ୍ବୀ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପୋଷଣ କରିଛନ୍ତି।ଭାରତରେ ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ଓ ୟେଲ ଭଳି ପ୍ରତିଷ୍ଠିତ ବିଦେଶ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ଯାଉଛି।
![](https://i0.wp.com/kalingajyoti.com/wp-content/uploads/2020/10/b_AllSoulsquad.jpg?resize=587%2C201&ssl=1)
ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଭାରତରେ ଖୋଲିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିବେ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଦକ୍ଷିଣ ଏସିଆର ପ୍ରଥମ ଦେଶ ଭାବେ ଭାରତରେ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ଯାଉଛି। ଦକ୍ଷିଣ ଏସିଆର ପ୍ରାୟ ସାଢେ ୭ଲକ୍ଷ ଛାତ୍ରଛାତ୍ରୀ ପ୍ରତିବର୍ଷ ଉଚ୍ଚ ଶିକ୍ଷା ଲାଗି ଆମେରିକା, ଇଂଲଣ୍ଡର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଏଥିପାଇଁ ବିଭିନ୍ନ ବିଶ୍ବସ୍ତରୀୟ ଅନୁଷ୍ଠାନର ଶାଖା ଭାରତରେ ଖୋଲିବା ପାଇଁ ମଧ୍ୟ ମୋଦୀ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ସମ୍ପ୍ରତି ୧୩୨ ଦେଶ ମଧ୍ୟରେ ବିଶ୍ବସ୍ତରୀୟ ବିଜ୍ଞ ପ୍ରତିଦ୍ବନ୍ଦ୍ବିତା ମାନକରେ ଭାରତର ସ୍ଥାନ ୭୨ ରହିଥିବା ବେଳେ ବାର୍ଷିକ ସାଢ଼େ ୭ ଲକ୍ଷ ଛାତ୍ରଛାତ୍ରୀ ସାମଗ୍ରିକ ଭାବେ ପାଖାପାଖି ୧୫୦୦ କୋଟି ଡଲାର ଖର୍ଚ୍ଚ କରି ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାକୁ ପସନ୍ଦ କରୁଛନ୍ତି।
![](https://kalingajyoti.com/wp-content/uploads/2020/10/2016_10_12_15-03-40_dsc_0199.jpg)
ଏ ଭଳି ସ୍ଥିତିରେ ଦେଶରେ ମହାବିଦ୍ୟାଳୟ ପାଠ୍ୟକ୍ରମ ଓ ବଜାର ଚାହିଦା ଭିତରେ ବଢ଼ି ଚାଲିଥିବା ଶୂନ୍ୟସ୍ଥାନକୁ ବନ୍ଦ କରି ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି ବୋଲି ସରକାର ଅନୁଭବ କରୁଛନ୍ତି। ତେଣୁ ଦେଶରେ ଅନ୍ୟଦେଶର ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟର ଶାଖା ଖୋଲିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କି ସଂସଦରେ ଅନୁମୋଦନ ପାଇଁ ଅପେକ୍ଷା କରିଛି ବୋଲି ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି। ଏ ଭଳି ପ୍ରସ୍ତାବରେ କିଛି ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରେଲିଆ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ସୁତରାଂ ନିକଟ ଭବିଷ୍ୟତରେ ଭାରତୀୟ ଛାତ୍ରଛାତ୍ରୀମାନେ ନିଜ ଦେଶରେ ଉଚ୍ଚମାନର ବିଦେଶୀ ଶିକ୍ଷା ଲାଭ କରିପାରିବେ ବୋଲି ସେ କହିଛନ୍ତି।ଏହି ପାଠପଢା ଲାଗି ବାର୍ଷିକ ୧୫୦୦ କୋଟି ଡଲାର ଖର୍ଚ୍ଚ ହେଉଛି। ଭାରତରେ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତର ଯୁବକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଦେଶୀ ବିଶ୍ବବିଦ୍ୟାଳୟଗୁଡିକ ଭାରତରେ କ୍ୟାମ୍ପସ ଖୋଲିବାକୁ ଆଗ୍ରହ ପ୍ରକାଶ କରିବେ।