
ନୂଆଦିଲ୍ଲୀ/ଭୁବନେଶ୍ବର : କେନ୍ଦ୍ର କ୍ୟାବିନେଟ୍ରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆଗାମୀ ଦିନରେ ସମସ୍ତ ସମବାୟ ବ୍ୟାଙ୍କ ଆସିବ । ଏଥିପାଇଁ ସରକାର ଏକ ଅଧ୍ୟାଦେଶ ଆଣିବେ। ସେଥିରେ ରାଷ୍ଟ୍ରପତି ଯେଉଁଦିନ ସ୍ବାକ୍ଷର କରିବେ ସେହିଦିନ ଠାରୁ ସମସ୍ତ ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନା ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ। ଗତବର୍ଷ ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ୍ (ପିଏମ୍ସି) ବ୍ୟାଙ୍କରେ ହୋଇଥିବା ବିଭ୍ରାଟ ପରେ ସମବାୟ ବ୍ୟାଙ୍କ ପରିଚାଳନାକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏନେଇ ବ୍ୟାଙ୍କିଙ୍ଗ ନିୟାମକ ନିୟମରେ ସଂଶୋଧନ କରାଯାଇଥିଲା। ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଧୀନକୁ ଅଣାଯିବ ବୋଲି ଚଳିତ ବର୍ଷ ବଜେଟ୍ରେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଦେଶରେ ଏବେ ୧୮୪୨ଟି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଓ ୫୮ଟି ଆନ୍ତଃ ରାଜ୍ୟ ସମବାୟ ବ୍ୟାଙ୍କ ରହିଛି। ସେହି ସବୁ ବ୍ୟାଙ୍କରେ ୮.୬ କୋଟି ଗ୍ରାହକଙ୍କ ୪.୮୪ ଲକ୍ଷ କୋଟି ଟଙ୍କା ରହିଛି। ଓଡ଼ିଶାରେ ୯ଟି ସକ୍ରିୟ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ରହିଛି। ଏହି ବ୍ୟାଙ୍କଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କ ସିଧାସଳଖ ନଜର ରଖିବ। ଫଳରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି। ରିଜର୍ଭ ବ୍ୟାଙ୍କ ଅଧୀନକୁ ସମବାୟ ବ୍ୟାଙ୍କଗୁଡ଼ିକ ଯିବା ଗ୍ରାହକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏକ ଭଲ ଖବର। ଏହା ଦ୍ବାରା ଜମାକାରୀଙ୍କ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ରହିପାରିବ। କୌଣସି ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବା ପୂର୍ବରୁ ତାହାର ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ସୁଧାରିପାରିବ। ବ୍ୟାଙ୍କର ଭୁଲ ପରିଚାଳନା ଯୋଗୁଁ ହେଉଥିବା କ୍ଷତି ଦ୍ବାରା ଗ୍ରାହକମାନେ ପ୍ରଭାବିତ ହେବେ ନାହିଁ। ବ୍ୟାଙ୍କ ପରିଚାଳନାରେ ପାରଦର୍ଶିତା ଆସିବ। ପ୍ରଯୁକ୍ତିର ବ୍ୟବହାର ବଢ଼ିବ। ଫଳରେ ଗ୍ରାହକମାନେ ଉନ୍ନତ ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ। ସମବାୟ ବ୍ୟାଙ୍କଗୁଡ଼ିକରେ ହେଉଥିବା ଋଣ ଦୁର୍ନୀତି ଉପରେ ମଧ୍ୟ ଅଙ୍କୁଶ ଲାଗିବ।

ଏହି ନିଷ୍ପତ୍ତିର ଓଡ଼ିଶା ଉପରେ ମଧ୍ୟ ପ୍ରଭାବ ରହିବ। ସରକାରଙ୍କ ଘୋଷଣା ଅନୁସାରେ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଓ ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ଅଧୀନକୁ ଯିବ। ରାଜ୍ୟରେ ୯ଟି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ରହିଛି। କଟକ, ରାଉରକେଲା, ବାଲେଶ୍ବର, ଜୟପୁର, ବ୍ରହ୍ମପୁର ଓ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ସେଗୁଡ଼ିକ ରହିଛି। ଏହା ପୂର୍ବରୁ ଭୁବନେଶ୍ବର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯାଇଛି। ବାରିପଦା ଓ ଭଦ୍ରକରେ ଥିବା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ବନ୍ଦ ହେବା ପ୍ରକ୍ରିୟାରେ ରହିଛି। ରାଜ୍ୟର କୃଷି କ୍ଷେତ୍ର ଓ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ କରିବାରେ ସମବାୟ ବ୍ୟାଙ୍କଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଓଡ଼ିଶାରେ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ (ଓଏସ୍ସିବି), ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି), ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଓ ପ୍ୟାକ୍ସ ଓ ଲାମ୍ପସ୍ ଭଳି ବ୍ୟବସ୍ଥା ରହିଛି। ଓଏସ୍ସିବିର ଏକାଧିକ ଶାଖା ଥିବା ବେଳେ ରାଜ୍ୟରେ ୧୭ଟି ଡିସିସିବିର ୩୨୯ଟି ଶାଖା ରହିଛି। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍ଆର୍ବି) ଓ ଡିସିସିବିଗୁଡ଼ିକୁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଜରିଆରେ ପରିଚାଳିତ ହେଉଛନ୍ତି।