ଦେଶର ଯୁବକମାନେ ଆମର ପୂର୍ବପୁରୁଷଙ୍କ ବଳିଦାନକୁ ସ୍ମରଣ କରିବା ଆବଶ୍ୟକ : ମୁଖ୍ୟମନ୍ତ୍ରୀ

0 231
greentech

ଭୁବନେଶ୍ବର: ଦେଶ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରିିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ପକ୍ଷରୁ ଏଥିପାଇଁ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ୬ଜଣ ଓଡ଼ିଆ ସାମିଲ ହୋଇଛନ୍ତି। ଆଜି ଏଭଳି ଅଭିଯାନ ଆରମ୍ଭ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଲାଗି ଗଠିତ କମିଟିର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସ୍ୱାଧୀନତାର ୭୫ବର୍ଷର ସ୍ମୃତିଚାରଣ ବିଷୟରେ ଆଲୋଚନା କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସମୟ ଅତିବାହିତ ହେବା ସହିତ ଆମ ଦେଶର ଯୁବକମାନେ ଆମର ପୂର୍ବପୁରୁଷଙ୍କ ବଳିଦାନକୁ ସ୍ମରଣ କରିବା ଆବଶ୍ୟକ। ଏ ନେଇ ଆମର ସ୍ୱାଧୀନତା ସଂଗ୍ରାମ ଏବଂ ସଂଗ୍ରାମୀଙ୍କ ବଳିଦାନ ସଂପର୍କରେ ପ୍ରଚାର ପ୍ରସାର ହେବା ସହ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ସ୍ଥାନର ବିକାଶ ହେବା ଆବଶ୍ୟକ। ଭାରତର ସୀମା ବାହାରେ ଘଟିଥିବା ଅନେକ ଘଟଣାକୁ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ସ୍ବାଧୀନତା ଆଣିବା ପାଇଁ ହୋଇଥିବା ଆନ୍ଦୋଳନର ମୂଲ୍ୟବୋଧ ଏବଂ ନୈତିକତାକୁ ବୁଝି ଏହାକୁ ଆଗକୁ ନେବା ହିଁ ଆମ ଜାତିର ପିତାଙ୍କୁ ଆମର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।  ସ୍ୱାଧୀନତା, ନ୍ୟାୟ ଏବଂ ସମାନତାର ଆଦର୍ଶ, ଯାହା ସ୍ୱାଧୀନତା ସଂଗ୍ରାମକୁ ବ୍ୟାଖ୍ୟା କରିଛି ଆଜିର ପରିସ୍ଥିତିରେ ଏହାକୁ ଦୋହରାଇବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଯେକୌଣସି ସ୍ଥାନରେ ବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଖରେ ସ୍ମୃତିଚାରଣ ସମାରୋହର ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ପହଞ୍ଚିବା ପାଇଁ ସମସ୍ତ ଉଦ୍ୟମ କରାଯିବା ଉଚିତ୍। ଟେକ୍ନୋଲୋଜି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଏହା ହାସଲ କରିବା ସମ୍ଭବ ଅଟେ। ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଯେ, ନିଜକୁ ଖୋଜିବାର ସର୍ବୋତ୍ତମ ଉପାୟ ହେଉଛି ଅନ୍ୟମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା । ସେଥିପାଇଁ ଦେଶର ନାଗରିକଙ୍କ ମଧ୍ୟରେ ସମାଜ ସେବାକୁ ଉତ୍ସାହିତ କରିବା ପାଇଁ ସେବାଭିତ୍ତିକ କାର୍ଯ୍ୟକଳାପଗୁଡିକୁ ଏହି କାର୍ଯ୍ୟକ୍ରମର ଏକ ଅଂଶ କରାଯାଇପାରିବ।

ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୨ରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ। ଜାତୀୟ କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନୀତିଗତ ମାର୍ଗଦର୍ଶନ ପ୍ରଦାନ କରାଯିବ। ଦେଶ ସ୍ୱାଧୀନତାକୁ ନେଇ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଦେଶର ୭୫ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏନେଇ ପ୍ରତ୍ୟେକ ରାଜ୍ୟରୁ ୨-୩ ଟି ସ୍ଥାନର ନାମ ସଂସ୍କୃତି ମନ୍ତ୍ରାଣାଳୟକୁ ପଠାଇବାକୁ ପଡ଼ିବ।

Leave A Reply

Your email address will not be published.

1 × 4 =

error: Content is protected !!
Open chat