ନିତି ଆୟୋଗ ରପ୍ତାନି ତତ୍ପରତା ସୂଚୀ ୨୦୨୦ : ଶେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା

0 427
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ପ୍ରକାଶ ପାଇଛି ନୀତି ଆୟୋଗ ‘ରପ୍ତାନି ତତ୍ପରତା ସୂଚୀ ୨୦୨୦’ । ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ସୂଚୀରେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ରାଜ୍ୟକୁ ଏହି ସଫଳତା ମିଳିଛି । ସୂଚନାଯୋଗ୍ୟ ଉପରୋକ୍ତ ନିର୍ଦିଷ୍ଟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ସଫଳତା ବିଚାରକୁ ନେଇ ନୀତି ଆୟୋଗ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ସ୍ଥାନ ଦେଇଛି । ଅନ୍ୟପକ୍ଷରେ ରପ୍ତାନି ତତ୍ପରତା ସୂଚୀର ଏକ୍ସପୋର୍ଟ ଇକୋ ସିଷ୍ଟମ ପିଲାର ବର୍ଗରେ ରାଜ୍ୟ ଦ୍ବିତୀୟ ଏବଂ ଉପକୂଳ ରାଜ୍ୟଗୁଡିକ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ୫-ଟି ମନ୍ତ୍ର ଏବଂ ​‌ମୋ’ ସରକାର କାର୍ଯ୍ୟକ୍ରମ ଜରିଆରେ ଶିଳ୍ପ ଓ ଔଦ୍ୟୋଗିକ ବାତାବରଣକୁ ପ୍ରୋତ୍ସାହିତ କରାଯାଉଛି । ଏହା ହିଁ ରାଜ୍ୟରେ ରପ୍ତାନି ତତ୍ପରତାକୁ ଆଗକୁ ବଢ଼ାଇଛି । ନୀତି ଆୟୋଗର ରପ୍ତାନିି ପସ୍ତୁତି ତଥା ପ୍ରତିଯୋଗିତା ସମ୍ପର୍କିତ ରି​ପୋର୍ଟରେ ଓଡ଼ିଶା ଭାରତର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ମୌଳିକ ପ୍ରସଙ୍ଗଗୁଡିକ ଉପରେ ଆମର ଗୁରୁତ୍ବ ଏବଂ ଉତ୍କର୍ଷ ନିମନ୍ତେ କ୍ରମାଗତ ଉଦ୍ୟମ ଯୋଗୁ ଏହି ସଫଳତା ମିଳିଛି । ଓଡ଼ିଶା ରପ୍ତାନି ଅଭିବୃଦ୍ଧି ନୀତି, ଭିତ୍ତିଭୂମି ଓ ବାଣିଜ୍ୟିକ ସହଯୋଗ ଭଳି ମାପଦଣ୍ଡଗୁଡିକରେ ଉତ୍କର୍ଷ ଅର୍ଜନ କରିଛି ​‌ବୋଲି ସେ କହିଛନ୍ତି ।

ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରପ୍ତାନି ତତ୍ପରତା ସୂଚୀ ୨୦୨୦ରେ ଓଡ଼ିଶା ଏହାର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛି । ଏ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହି ରାଜ୍ୟ ହାସଲ କରିଛି ୫୮.୨୩ ପଏଣ୍ଟ । ଏହି ସଫଳତା ଫଳରେ ଓଡ଼ିଶା ଦେଶର ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ତେଲଙ୍ଗାନା, ହରିୟାଣା, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶକୁ ପଛରେ ପକାଇଛି । ସେହିଭଳି ଏକ୍ସପୋର୍ଟ ଇକୋ ସିଷ୍ଟମ ପିଲାର କ୍ଷେତ୍ରରେ ରାଜ୍ୟ ୬୫.୯୪ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । ରାଜ୍ୟ ସରକାରଙ୍କ ଦ୍ବାରା ଏକ ରପ୍ତାନି ଅନୁକୂଳ ଶିଳ୍ପ ପରିବେଶ ସୃଷ୍ଟିକୁ ଏକ୍ସପୋର୍ଟ ଇକୋ ସିଷ୍ଟମ ପିଲାର କୁହାଯାଇଥାଏ । ଅନ୍ୟପକ୍ଷରେ ରପ୍ତାନି ତତ୍ପରତା ସୂଚୀ ୨୦୨୦ରେ ଦେଶର ୮ ଅଗ୍ରଣୀ ଉପକୂଳ ରାଜ୍ୟ ମଧ୍ୟରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ରାଜ୍ୟ ୫୮.୨୩ ପଏଣ୍ଟ ହାସଲ କରିଛି । ନୀତି ଆୟୋଗର ଏହି ରପ୍ତାନି ତତ୍ପରତା ସୂଚୀ ୨୦୨୦ରେ ୭୫.୧୯ ପଏଣ୍ଟ ସହ ଗୁଜରାଟ ଶୀର୍ଷରେ ରହିଛି । ତାଲିକାର ଦ୍ବିତୀୟ ସ୍ଥାନରେ ମହାରାଷ୍ଟ୍ର(୭୫.୧୪ ପଏଣ୍ଟ) ଏବଂ ତାମିଲନାଡୁ (୬୪.୯୩ ପଏଣ୍ଟ) ସହ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଆନ୍ଧ୍ରପ୍ରଦେଶ ତାଲିକାର ୨୦ ତମ ସ୍ଥାନରେ ରହିଛି ।

Leave A Reply

Your email address will not be published.

4 × 5 =

error: Content is protected !!
Open chat