ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ନିର୍ବାଚନ ଆୟୋଗ ଅଶୋକ ଲାଭାସା ଆଜି ନିଜର ପଦରୁ ଇସ୍ତଫା ଦେଇଛନ୍ତି। ଲଭାସା ଆଗାମୀ ମାସରେ ଫିଲିପାଇନ୍ସ ସ୍ଥିତ ଏସିଆନ ବିକାଶ ବ୍ୟାଙ୍କ(ଏଡିବି)ରେ ଉପ ସଭାପତି ଦାୟିତ୍ଵ ସମ୍ଭାଳିବେ। ସେ ଏଡିବିରେ ଦିବାକର ଗୁପ୍ତାଙ୍କ ସ୍ଥାନ ନେବେ। ଲାଭାସା ୨୦୧୮ ଜାନୁଆରୀ ୨୩ରେ ଭାରତର ନିର୍ବାଚନ ଆୟୋଗ ଭାବେ ପଦଭାର ସମ୍ଭାଳିଥିଲେ। ୨୦୨୨ ଅକ୍ଟୋବର ଯାଏ ତାଙ୍କର କାର୍ଯ୍ୟକାଳ ଥିଲା।
୧୦୮୦ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଲାଭାସା ମୁଖ୍ୟ ନିର୍ବାଚନ ଆୟୋଗ ହେବା ପାଇଁ ଦାବିଦାର ଥିଲେ। ହେଲେ ନିର୍ବାଚନ ଆୟୋଗରେ ନିଜର କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆୟୋଗର ଜଣେ ଅଧିକାରୀଙ୍କ ଅନୁଯାୟୀ ଲାଭାସା ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ଏମିତି ସ୍ଥିତିରେ ଉମେଶ ସିହ୍ନା ଆଗାମୀ ମୁଖ୍ୟ ନିର୍ବାଚନ ଆୟୋଗ ପଦ ସମ୍ଭାଳି ପାରନ୍ତି।
ଅଶୋକ ଲାଭାସା ଭାରତ ସରକାରରେ ଅଲଗା ଅଲଗା ବିଭାଗରେ ଅନେକ ମହତ୍ଵପୂର୍ଣ୍ଣ ପଦରେ କାମ କରିଛନ୍ତି। ନିର୍ବାଚନ ଆୟୋଗ ଭାବେ ନିଯୁକ୍ତି ପୂର୍ବରୁ ସେ କେନ୍ଦ୍ରୀୟ ଅର୍ଥ ସଚିବ ଭାବେ କାମ କରିଛନ୍ତି। ଏହା ପୂର୍ବରୁ ଲାଭାସା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବେସାମରିକ ଚଳାଚଳ ମନ୍ତ୍ରଣାଳୟର କେନ୍ଦ୍ରୀୟ ସଚିବ ପଦରେ ମଧ୍ୟ ରହିଛନ୍ତି। ନିର୍ବାଚନ ଆୟୋଗ ଇତିହାସରେ ଅଶୋକ ଲାଭାସା ଦ୍ଵିତୀୟ ଏମିତି ଆୟୁକ୍ତ ଯିଏ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ୧୯୭୩ରେ ମୁଖ୍ୟ ନିର୍ବାଚନ ଆୟୋଗ ନାଗେନ୍ଦ୍ର ସିଂହ ତେବେ ଇସ୍ତଫା ଦେଇଥିଲେ ଯେବେ ତାଙ୍କୁ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଜଜ ଭାବେ ନିଯୁକ୍ତି ଦିଆଯାଇଥିଲା।