ପିଏମ୍‌ କେୟାର୍ସ ଫଣ୍ଡ ଯାଞ୍ଚ ହେବ ନାହିଁ

0 331
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୭ : ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ପବ୍ଲିକ୍‌ ଆକାଉଣ୍ଟସ କମିଟି (ପିଏସି) କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଏହି ସଙ୍କଟର ମୁକାବିଲା ଲାଗି ଗଠିତ ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ୍‌ର ଯାଞ୍ଚ କରିବ ନାହିଁ। ଏହି ପ୍ରସଙ୍ଗରେ ଯାଞ୍ଚ ପାଇଁ ସର୍ବସମ୍ମତ ସହମତି ପ୍ରକାଶ କରିବାରେ ପିଏସି ବୈଠକ ବିଫଳ ହୋଇଛି।


ପିଏସି ହେଉଛି ପାର୍ଲାମେଣ୍ଟର ଏକ ମହତ୍ତ୍ୱପୂର୍ଣ୍ଣ ପ୍ୟାନେଲ। ଏହା ଅଡିଟର ଜେନେରାଲଙ୍କ ପକ୍ଷରୁ ଉପସ୍ଥାପନ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟଗୁଡ଼ିକୁ ଯାଞ୍ଚ କରିଥାଏ। ଏହି କମିଟି ଅତୀତରେ ୨ଜି ସ୍ପେକ୍ଟ୍ରମ୍‌ ଦୁନୀତି ଭଳି ପ୍ରସଙ୍ଗ ଉଠାଇଥିଲା। ଶୁକ୍ରବାର ଅନୁଷ୍ଠିତ ବୈଠକରେ ପିଏସି ଅଧ୍ୟକ୍ଷ ତଥା ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସଦସ୍ୟମାନଙ୍କୁ ଦେଶ ବିଷୟରେ ଚିନ୍ତାକରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକମତ ହେବା ପାଇଁ ଅପିଲ୍‌ କରିଥିଲେ। ତେବେ ପିଏସି ବୈଠକରେ ଉପସ୍ଥିତ ଭାଜପାର ସମସ୍ତ ସଦସ୍ୟ ପିଏମ୍‌ କେୟାର୍ସ ଫଣ୍ଡ୍‌ର ଯାଞ୍ଚ ପାଇଁ ଅଧୀର ଦେଇଥିବା ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ। ଭାଜପାକୁ ସବୁଠୁ ବଡ଼ ସମର୍ଥନ ମିଳିଛି ବିଜୁ ଜନତା ଦଳ (ବିଜେଡି) ନେତା ଭର୍ତ୍ତୃହରି ମହତାବଙ୍କଠାରୁ। ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ସଂଖ୍ୟାବଳ ଥିଲା। ଡିଏମ୍‌କେ ନେତା ଟି.ଆର୍‌. ବାଲୁ ବିପକ୍ଷର ପ୍ରସ୍ତାବକୁ ସମର୍ଥନ ଦେଇଥିବା ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ।
କେତେଜଣ ବିରୋଧୀ ନେତା ଦାବି କରିଛନ୍ତି ଯେ, ଭାଜପା କରୋନା ମହାମାରୀ ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପର ତଦନ୍ତକୁ ଏଡ଼ାଇବାକୁ ଚାହୁଁଛି। କାରଣ ଯାଞ୍ଚ କରାଗଲେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଉପରେ କଡ଼ା ନଜର ରଖାଯାଇପାରିବ। ପିଏମ୍‌ କେୟାର୍ସ ଫଣ୍ଡ୍‌ ସିଏଜିଙ୍କ ଅଧୀନରେ ମଧ୍ୟ ଆସୁନାହିଁ।
ସଂସଦୀୟ କମିଟିରେ ଭାଜପାର ନେତୃତ୍ୱ ନେଉଥିବା ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବ ପିଏମ୍‌ କେୟାର୍ସ ଫଣ୍ଡ୍‌ର ଯାଞ୍ଚ ପ୍ରସ୍ତାବକୁ ବିରୋଧ କରି କହିଥିଲେ, ଏହି ପାଣ୍ଠିର ଫଣ୍ଡିଂ ସଂସଦ ଦ୍ୱାରା ସ୍ବୀକୃତ ନୁହେଁ ଏବଂ ଏହି କାରଣରୁ କମିଟି ଏହି ପ୍ରସଙ୍ଗରେ ତଦନ୍ତ କରିପାରିବ ନାହିଁ। ଏହି ନିଷ୍ପତ୍ତି ଫଳରେ ପିଏସି ବିଶ୍ୱର ସବୁଠୁ ବଡ଼ ଲକ୍‌ଡାଉନ୍‌ ଓ କରୋନା ଭାଇରସ୍‌ ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପଗୁଡ଼ିକର ଯାଞ୍ଚ ଏବଂ ବିଶ୍ଳେଷଣ କରିପାରିବ ନାହିଁ। ତେବେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ଓ ଅନ୍ୟ ଭିତ୍ତିଭୂମି ଢାଞ୍ଚା ତଥା ସାମରିକ ବଳ ପାଇଁ ପୋଷାକ କିଣିବା ନେଇ ସମୀକ୍ଷା କରିବା ଉପରେ ରାଜି ହୋଇଥିଲା।

Leave A Reply

Your email address will not be published.

14 − nine =

error: Content is protected !!
Open chat