![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/rhetyu356u-1.jpg?resize=577%2C323)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ପୁଣି ଏକ ମହାମାରୀର ଆଶଙ୍କା କରାଯାଉଛି। ଚାଇନାରେ ସମ୍ପ୍ରତି ନୂଆ ପ୍ରକାର ସ୍ବାଇନ୍ ଫ୍ଲୁ ଚିହ୍ନଟ ହୋଇଛି। ଚାଇନାର ଗବେଷକ ଏହି ନୂଆ ମହାମାରୀ ଭୂତାଣୁକୁ ଚିହ୍ନଟ କରିଛନ୍ତି। ଏନେଇ ଆମେରିକାର ବିଜ୍ଞାନ ପତ୍ରିକା ପିଏନ୍ଏଏସ୍ରେ ଅଧ୍ୟୟନ ଭିତ୍ତିକ ତଥ୍ୟ ପ୍ରକାଶ ପାଇଛି। ଏହି ନୂଆ ସ୍ବାଇନ୍ ଫ୍ଲୁ ଭୂତାଣୁକୁ ଜି-୪ ଭାବେ ନାମିତ କରାଯାଇଛି। ୨୦୦୯ରେ ମହାମାରୀ ସାଜିଥିବା ଏଚ୍-୧ଏନ୍-୧ ସ୍ବାଇନ୍ ଫ୍ଲୁର ଏହା ଆନୁବଂଶିକ ରୂପ ବୋଲି ଗବେଷକ କହିଛନ୍ତି। ଚାଇନା ବିଶ୍ୱ ବିଦ୍ୟାଳୟ ଏବଂ ରୋଗ ନିୟନ୍ତ୍ରଣ ପ୍ରତିଷେଧକ କେନ୍ଦ୍ରର ଗବେଷକମାନେ କହିଛନ୍ତି ଯେ, ଜି-୪ ପାଖରେ ମହାମାରୀ ରଚିବା ଭଳି ସମସ୍ତ ଲକ୍ଷଣ ରହିଛି। ଗବେଷକମାନେ ୨୦୧୧ରୁ ୨୦୧୮ ମଧ୍ୟରେ ୩୦ ହଜାର ଘୁଷୁରିଙ୍କଠାରୁ ନମୁନା ସଂଗ୍ରହ କରି ଅଧ୍ୟୟନ ଜାରି ରଖିଥିଲେ। ସେଥିମଧ୍ୟରେ ୧୭୯ ସ୍ବାଇନ୍ ଫ୍ଲୁ ଭୂତାଣୁ ଥିଲା।
![](https://kalingajyoti.com/wp-content/uploads/2020/06/eu356u.jpg)
୨୦୧୬ଠାରୁ ସଂଗ୍ରହ କରାଯାଇଥିବା ନମୁନାରେ ଅଧିକାଂଶ ନୂଆ ଭୂତାଣୁ ଥିବା ଗବେଷକ ସୂଚନା ଦେଇଛନ୍ତି। ଜି-୪ ଭୂତାଣୁ ଦ୍ୱାରା ୧୦.୪ ପ୍ରତିଶତ ଗବେଷକ ମଧ୍ୟ ସଂକ୍ରମିତ ହୋଇଥିବା କୁହାଯାଉଛି। ମଣିଷର ରୋଗ ପ୍ରତିରୋଧକ ଶକ୍ତି ଜି-୪ ଆଗରେ ହାର ମାନିଥିବା ଗବେଷକ କହିଛନ୍ତି। ଏହି ନୂଆ ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ। ତେବେ ମଣିଷଠାରୁ ମଣିଷକୁ ଏହା ସଂକ୍ରମିତ ହେଉଛି କି ନାହିଁ ସେନେଇ ଅଧିକ ଗବେଷଣା ଜାରି ରହିଛି। ଚାଇନାରେ କରାଯାଇଥିବା ଗବେଷଣା ବେଶ୍ ସ୍ବାଗତଯୋଗ୍ୟ ଏହା ଦ୍ୱାରା ନୂଆ ମହାମାରୀ ସମ୍ପର୍କରେ ସୂଚନା ମିଳି ପାରିଛି ବୋଲି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଭେଟେରେନାରି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଜେମ୍ସ୍ ଉଡ୍ କହିଛନ୍ତି।