କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ବହୁ ପ୍ରତୀକ୍ଷିତ ଆଇପିଏଲ୍ ଲାଗି ଜାରି ହୋଇଛି କ୍ରୀଡ଼ା ସୂଚୀ । ଆସନ୍ତା ୧୯ ତାରିଖରେ ଏହାର ଉଦ୍ଘାଟନୀ ମ୍ୟାଚ । ଧୋନୀଙ୍କ ଚେନ୍ନଇ ସୁପରକିଙ୍ଗସ ସହ ରୋହିତଙ୍କ ମୁମ୍ବାଇ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଆବୁଧାବୀରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ ମିନିଟରେ ଆରମ୍ଭ ହେବ ।
ଏହା ପରେ, ୨୦ ସେପ୍ଟେମ୍ବର ରବିବାର ଦିନ, ଦୁବାଇରେ ଦିଲ୍ଲୀ କ୍ୟାପିଟାଲସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ଏକ ମ୍ୟାଚ୍ ହେବ | ସୋମବାର, ୨୧ ସେପ୍ଟେମ୍ବରରେ, ଦୁବାଇରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲା ହେବ | ୨୨ ସେପ୍ଟେମ୍ବର ମଙ୍ଗଳବାର ଦିନ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଶାରଜାହଠାରେ ମୁହାଁମୁହିଁ ହେବେ |
ଆଇପିଏଲର ସର୍ବାଧିକ ୨୪ ଟି ମ୍ୟାଚ୍ ଦୁବାଇରେ ଖେଳାଯିବ | ଆବୁଧାବିରେ ୨୦ ଟି ଏବଂ ଶାରଜାହରେ ୧୨ ଟି ମ୍ୟାଚ୍ ଖେଳାଯିବ | ତେବେ ପ୍ଲେ ଅଫ୍ ଏବଂ ଫାଇନାଲ୍ ମ୍ୟାଚ୍ ପାଇଁ ସ୍ଥାନଗୁଡିକର ନାମ ପରେ ଘୋଷଣା କରାଯିବ ବୋଲି ଆଇପିଏଲ୍ ପରିଚାଳନା ପରିଷଦ କହିଛି।
ଆଇପିଏଲ୍ ଇତିହାସରେ ପ୍ରଥମଥର ପାଇଁ ଫାଇନାଲ ରବିବାର ବଦଳରେ ମଙ୍ଗଳବାର କରାଯିବାକୁ ଚଳିତ ବର୍ଷ ନିଷ୍ପତ୍ତି ହୋଇଛି । ଟୁର୍ଣ୍ଣାମେଣ୍ଟରେ ୧୦ଟି ଡ଼ବଲ ହେଡ଼ର ଅର୍ଥାତ୍ ଦିନକୁ ୨ଟି ଲେଖାଏଁ ମ୍ୟାଚ ୧୦ ଦିନ ରଖାଯାଇଛି । ସେହିପରି ପୂର୍ବରୁ ସାଧାରଣତଃ ଆଇପିଏଲ୍ ଅପରାହ୍ନ ୪ଟା ଓ ରାତି ୮ଟାରେ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ଏହି ସମୟ ଅବଧି ଅଧଘଣ୍ଟା ପୂର୍ବରୁ ଧାର୍ଯ୍ୟ କରିଛନ୍ତି । ଅପରାହ୍ନ ୪ଟା ବଦଳରେ ୩.୩୦ ଓ ରାତି ୮ଟା ବଦଳରେ ୭.୩୦ ମିନିଟରେ ଖେଳ ଆରମ୍ଭ ହେବ ।
ଅପରପକ୍ଷରେ ଚଳିତ ବର୍ଷ ଆଇପିଏଲ ଗଭର୍ଣିଂ କାଉନସିଲ କରୋନା ଯୋଗୁଁ ଦଳରେ ୨୪ ଜଣ ଖେଳାଳି ସାମିଲ କରିବାକୁ ଅନୁମତି ଦେଇଛି । ଅର୍ଥାତ୍ ଯଦି କୌଣସି ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳି ସାମିଲ ହୋଇ ପାରିବେ ।
ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ନୂଆ କଣ?
୧.କରୋନା ଯୋଗୁଁ ଟୁର୍ଣ୍ଣାମେଣ୍ଟ ବିନା ଦର୍ଶକରେ ବାୟୋ ସିକ୍ୟୋର ପରିବେଶରେ ଅନୁଷ୍ଠିତ ହେବ
୨. ଆଇପିଏଲର ପ୍ରତ୍ୟେକ ୫ମ ଦିନ ଖେଳାଳି, ସପୋଟିଂ ଷ୍ଟାଫଙ୍କ କରୋନା ପରୀକ୍ଷା ହେବ
୩. ଆଇପିଏଲରେ ସବୁ ଫ୍ରାଞ୍ଚାଇଜିଙ୍କୁ ଅନଲିମିଡ଼େଡ଼୍ କରୋନା ସବଷ୍ଟିଚ୍ୟୁଟ୍ ପାଇଁ ଅନୁମତି
୪, ପୁରୁଣା ସିଡ଼୍ୟୁଲ ଅନୁସାରେ ନୁହେଁ ନୂଆ ସିଡ଼୍ୟୁଲ ଅର୍ଥାତ୍ ପୂର୍ବର ସମୟଠାରୁ ଅଧଘଣ୍ଟା ପୂର୍ବରୁ ଖେଳ ଆରମ୍ଭ ହେବ ।
ଆଇପିଏଲ୍ ଖେଳ ସୂଚୀ ଜାରି ହୋଇଥିଲେ ହେଁ ଚଳିତ ବର୍ଷ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ସଂଶୟ ଜାରି ରହିଛି । ଆଇପିଏଲରେ ଇଂଲଣ୍ଡର ୧୩ ଓ ଅଷ୍ଟ୍ରେଲିଆର ୧୭ ଖେଳାଳି ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିବାରୁ ସେମାନଙ୍କ ଭାଗ ନେବାକୁ ନେଇ ଏବେ ବି ସଂଦେହ ଜାରି ରହିଛି ।