![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଉଛି। ଏହାର ଅର୍ଥ ୮୦ କୋଟି ଲୋକଙ୍କୁ ନଭେମ୍ବର ଶେଷ ଯାଏ ମାଗଣା ରାସନ ସାମଗ୍ରୀ ମିଳିବ। ଏଥିପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକଙ୍କୁ କରୋନା ପାଇଁ ଅଧିକ ସତର୍କ ରହିବାକୁ ସେ ଆହ୍ୱାନ କରିଛନ୍ତି। ଏଥିସହ ଆସନ୍ତା ୫ ମାସ ଯାଏ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ମାର୍ଚ୍ଚ ୨୬ରେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ଆସନ୍ତା ୩ ମାସ ଯାଏ ପରିବାରରେ ମୁଣ୍ଡ ପିଛା ମାଗଣା ୫ କେଜି ଲେଖାଏ ଚାଉଳ କିମ୍ବା ଗହମ ମିଳିବ ବୋଲି କହିଥିଲେ। ସେହିପରି ଘର ପିଛା ୧ କେଜି ଡାଲି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।
![](https://i0.wp.com/kalingajyoti.com/wp-content/uploads/2020/06/7a77e521-9ce4-49f6-b975-d3de8485f95a.jpg?resize=580%2C330)
ଚାଷୀ ଓ ଟିକସଦାତାଙ୍କ ପାଇଁ ଗରିବଙ୍କୁ ଅନ୍ନ ଦିଆଯାଇ ପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୦ ହଜାର ଜନଧନ ଆକାଉଣ୍ଟକୁ ୩୧ ହଜାର କୋଟି ଟଙ୍କା ଯାଇଛି। ସରକାର ସର୍ବଦା ଗରିବଙ୍କ ପାଇଁ କାମ କରୁଛନ୍ତି। ଏଥିପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମୋଦି କହିଛନ୍ତି। ଆଗକୁ ବର୍ଷା ଋତୁରେ ପର୍ବପର୍ବାଣି ଆସୁଛି। ତେଣୁ ଲୋକଙ୍କ ଖର୍ଚ୍ଚ ବି ବଢ଼ିବ। ତେଣୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଯାଏ ଚାଲିବ। ୮୦ କୋଟି ଲୋକଙ୍କୁ ନଭେମ୍ବର ଶେଷ ଯାଏ ମାସକୁ ୫ କେଜି ଚାଉଳ କିମ୍ବା ଗହମ ମିଳିବ। ସେହିପରି ପ୍ରତି ପରିବାରକୁ ୧ କେଜି ଡାଲି ବି ମାଗଣାରେ ମିଳିବ।