
ନୂଆଦିଲ୍ଲୀ ୨୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଫେସବୁକ ଓ ଇନଷ୍ଟାଗ୍ରାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହଟାଇ ଦେଇଛି। ଏହି ପୋଷ୍ଟରେ ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କ ପରିଚୟ ଜଣାପଡ଼ୁଥିଲା। ଏହାପୂର୍ବରୁ ଟୁଇଟର ଦ୍ବାରା ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହଟାଇ ଦିଆଯିବା ସହିତ ତାଙ୍କ ଆକାଉଣ୍ଟକୁ ଲକ କରି ଦିଆଯାଇଥିଲା।
ରାଜଧାନୀ ଦିଲ୍ଲୀରେ ଜଣେ ନଅବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା। ଏହି ଦୁଃଖଦ ଘଟଣା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ରାହୁଲ ଗାନ୍ଧି ପୀଡିତାଙ୍କ ପରିବାରକୁ ଭେଟିଥିବାର ଫଟୋ ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ ସେୟାର କରିଥିଲେ।
ସର୍ବପ୍ରଥମେ ଟୁଇଟର ରାହୁଲ ଗାନ୍ଧିଙ୍କ ଏହି ଫଟୋକୁ ଡିଲିଟ କରିଥିଲା। ଏହାପରେ ରାହୁଲଙ୍କ ଆକାଉଣ୍ଟକୁ ଲକ କରି ଦେଇଥିଲା। ଅନେକ ଦିନ ପର୍ଯ୍ୟନ୍ତ ରାହୁଲଙ୍କ ଆକାଉଣ୍ଟ ଲକ ହୋଇ ରହିଥିଲା। କେବଳ ରାହୁଲଙ୍କ ନୁହେଁ, କଂଗ୍ରେସର ବଡ଼ ନେତାଙ୍କ ଆକାଉଣ୍ଟ ଲକ କରି ଦେଇଥିଲା ଟୁଇଟର।
ଟୁଇଟର ଭଳି ଫେସବୁକ ଓ ଇନଷ୍ଟାଗ୍ରାମ ବି ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହଟାଇ ଦେଇଛି। ଦୁଇଟି ପ୍ଲାଟଫର୍ମ ରାହୁଲ ଗାନ୍ଧିଙ୍କୁ ଏହି ପୋଷ୍ଟ ହଟାଇବାକୁ କହିଥିଲେ କିନ୍ତୁ ରାହୁଲ କୌଣସି ପୋଷ୍ଟ ଡିଲିଟ କରି ନଥିଲେ।