ବାତ୍ୟା ପ୍ରଭାବିତ ରାଜ୍ୟର ଲୋକେ ଆସାମାନ୍ୟ ସାହସ, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ସହ ପରିସ୍ଥିତିକୁ ମୁକାବିଲା କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ‘ମନ୍କି ବାତ୍’ର ୭୭ତମ ସଂସ୍କରଣରେ ସାମୁଦ୍ରିକ ବାତ୍ୟା ‘ତୌତେ’ ଓ ‘ୟାସ୍’ ସମୟର ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, କୋଭିଡ୍-୧୯ ବିପର୍ଯ୍ୟୟ ସମୟରେ ପୂର୍ବ ଉପକୂଳରେ ବାତ୍ୟା ପ୍ରଭାବିତ ରାଜ୍ୟର ଲୋକେ ଆସାମାନ୍ୟ ସାହସ, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ସହ ପରିସ୍ଥିତିକୁ ମୁକାବିଲା କରିଛନ୍ତି। ମୁଁ ସବିନୟ ତାଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ ଅଭିବାଦନ ଜଣାଉଛି।
ପ୍ରିୟ ପରିଜନଙ୍କୁ ହରାଇଥିବା ଜନତାଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଆମେ ଦୃଢ଼ଭାବେ ସମ୍ମିଳିତ ହୋଇ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବା।
କୋଭିଡ୍-୧୯ ପ୍ରସଙ୍ଗ ଉତ୍ଥାପନ କରି ପ୍ରଧାନମନ୍ତ୍ରୀ କହିଲେ, ପ୍ରକୃତରେ କହିବାକୁ ଗଲେ କୋଭିଡ୍ ବିରୋଧୀ ସଂଗ୍ରାମ ଏତେ ଭୟାବହ ଯେ, ଆମ ଦେଶ ଜଳ, ସ୍ଥଳ ଓ ଆକାଶ ତିନୋଟି ମାର୍ଗରେ ମୁକାବିଲା କରୁଛି। ଶିଳ୍ପ ସଂସ୍ଥାମାନଙ୍କରେ ଆମର ଅଧିକାଂଶ ବୈଜ୍ଞାନିକ, ବିଶେଷଜ୍ଞ ଏବଂ ଟେକ୍ନିସିଆନ ଯୁଦ୍ଧକାଳୀନ ପରିସ୍ଥିତିରେ କାର୍ଯ୍ୟ କରିବା ପରି କାର୍ଯ୍ୟ କରୁଛନ୍ତି। ଏମାନଙ୍କର କାର୍ଯ୍ୟକଳାପ ବିଷୟରେ ବୁଝିବା ଏବଂ ଜାଣିବା ଲାଗି ସମସ୍ତ ନାଗରିକ ଖୁବ୍ ଉତ୍ସୁକ ହୋଇ ଉଠିଛନ୍ତି।
ବିଦେଶରୁ ଦେଶକୁ ଆକ୍ସିଜେନ୍, ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ଏବଂ କ୍ରାୟୋଜିନିକ୍ ଟ୍ୟାଙ୍କର୍ ଅଣାଯାଉଛି। ତେଣୁ, ଭାରତୀୟ ନୌସେନା, ବାୟୁସେନା, ସେନା, ‘ଡିଆର୍ଡିଓ’ ଏବଂ ଆମର ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଗୋଟିଏ ପଟେ, ବାୟୁସେନା ବିମାନ ଯୋଗେ ଖାଲି ଟ୍ୟାଙ୍କର୍ ସବୁକୁ ଅକ୍ସଜେନ୍ କାରଖାନାକୁ ନିଆଯାଉଥିବା ବେଳେ, ଅନ୍ୟ ପଟେ ନୂଆ ଅକ୍ସିଜେନ୍ କାରଖାନ ନିର୍ମାଣ ଶେଷ କରାଯାଉଛି।
ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଉଥିବା ଜଣେ ମହିଳା ଡ୍ରାଇଭର୍ଙ୍କ ସହ ଆଳାପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଗୋଟାଏ ଅକ୍ସିଜେନ୍ ଏକ୍ସପ୍ରେସ୍ ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କଦ୍ବାରା ଚାଲୁଥିବା ଜାଣି ମା ଓ ଭଉଣୀମାନେ ଗର୍ବୀତା ହେବେ। ସେଥିପାଇଁ ଦେଶର ସମସ୍ତ ମହିଳା ମଧ୍ୟ ଗର୍ବ ଅନୁଭବ କରିବେ। କେବଳ ସେତିକି ନୁହେଁ ପ୍ରତ୍ୟେକ ଭାରତୀୟ ବି ଗର୍ବ ଅନୁଭବ କରିବେ।
ପ୍ରଧାନମନ୍ତ୍ରୀ ପୁଣି କହିଲେ, ଏପର୍ଯ୍ୟନ୍ତ ଦେଶରେ ୩୩ କୋଟିରୁ ଅଧିକ ନମୁନା ପରୀକ୍ଷା ସରିଲାଣି। ବନ୍ଧୁଗଣ, କରୋନାଭାଇରସ୍ ସଂକ୍ରମଣ ଆରମ୍ଭରେ ଦେଶରେ ଗୋଟଏ ମାତ୍ର ପରୀକ୍ଷାଗାର ଥିଲା, କିନ୍ତୁ ଆଜି ଦେଶରେ ଅଢ଼େଇ ହଜାରରୁ ଅଧିକ ପରୀକ୍ଷାଗାର କାର୍ଯ୍ୟ କରୁଛନ୍ତି। ପ୍ରାରମ୍ଭରେ ଦୈନିକ ମାତ୍ର ଅଳ୍ପ କେତେ ଶହ ନମୁନା ପରୀକ୍ଷା ହେଉଥିଲା। ଏବେ ଦୈନିକ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଛି। ସୁରକ୍ଷିତ ରହିବା ଲାଗି ଏଭଳି ଗରମରେ ମଧ୍ୟ ପ୍ରତ୍ୟକ୍ଷ ସେବାକାରୀମାନେ ସବୁବେଳେ ‘ପିପିଇ କିଟ୍’ ପିନ୍ଧୁଛନ୍ତି। ତା’ପରେ ଯାଇ ସେମାନେ ସାମ୍ପଲ୍ ଲ୍ୟାବ୍ରେ ପହଞ୍ଚୁଛନ୍ତି।